ଭୁବନେଶ୍ବର: ମାତିଛନ୍ତି ଚାରି ଚକିଆ ଚୋର ଗ୍ୟାଙ୍ଗ୍ । ରାଜଧାନୀରୁ ଗାୟବ କରୁଛନ୍ତି ବଡ଼ ଗାଡି । ଗତ ୩୦ତାରିଖ ରାତିରେ ଇନଫୋସିଟି ଥାନା ଅଞ୍ଚଳର ନନ୍ଦନ ବିହାରରୁ ଚୋରି ହୋଇଛି ଟ୍ରାକ୍ଟର । ସାମ୍ନାକୁ ଆସିଲା ଚୋରି ସମୟର ସିସିଟିଭି ଫୁଟେଜ । OD33AF7252 ନମ୍ବର ଥିବା ଏକ ଟ୍ରାକ୍ଟର ଗାଡ଼ିକୁ ଚୋରି କରିଛନ୍ତି ଦୁର୍ବୃତ୍ତ । ଏନେଇ ଗାଡ଼ିର ମାଲିକ ଶ୍ରୀଧର ବେହେରା ଥାନାରେ ଅଭିଯୋଗ କରିଛନ୍ତି ।
ଗାଡ଼ିଟିକୁ କିଛି ଦୁର୍ବୃତ୍ତ ଘର ପାଖ ଏକ ପାର୍କିଂରୁ ଚୋରି କରିନେଇଥିବା ରିପୋର୍ଟରେ ଦର୍ଶାଇଛନ୍ତି ଗାଡ଼ିର ମାଲିକ । ଚୋରି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କିପରି ଏକ ପେଟ୍ରୋଲ ପମ୍ପ କଡ଼ରେ ପାର୍କିଂରେ ଥିବା ଏକ ଟ୍ରାକ୍ଟରକୁ ଚୋରି କରୁଛନ୍ତି ଦୁର୍ବୃତ୍ତ । ତେବେ ଭୁବନେଶ୍ୱରରୁ ଚାରି ଚକିଆ ଗାଡିଚୋରି ହେବା ଘଟଣା ଏହା ନୂଆ ନୁହେଁ । ପୂର୍ବରୁ ମଧ୍ୟ ନନ୍ଦନକାନନ ଥାନା ଅଞ୍ଚଳରେ ଗତ ସେପ୍ଟେମ୍ବର ମାସ ୧୭ ତାରିଖରେ ରାସ୍ତା ଉପରୁ ଏକ ହାଇୱା ଟ୍ରକ ଚୋରି ହୋଇଥିବା ରିପୋର୍ଟ ହୋଇଥିଲା ।
ଖାଲି ସେତିକି ନୁହେଁ, କିଛିଦିନ ତଳେ ଅଗଷ୍ଟ ୧୬ ତାରିଖରେ ମଧ୍ୟ ଜଣେ ବୋଲେରୋ ଚୋରକୁ ଗିରଫ କରିଥିଲା କମିଶନରେଟ ପୋଲିସ । ଅଭିଯୁକ୍ତ ଲିଙ୍ଗରାଜ ଥାନା ଅଞ୍ଚଳରୁ ଚୋରି କରିଥିଲା ବୋଲେରୋ । ତେବେ ସେହିପରି ଧଉଳି ଥାନା ଅଞ୍ଚଳରେ ମଧ୍ୟ ଏକ ଏଟିଏମ୍ ତାଡି କିଛି ଦୁର୍ବୃତ୍ତ ଟଙ୍କା ନେଇ ଛୁ ମାରିଥିଲେ । ଏହି ଲିଙ୍କରେ ତଦନ୍ତ ବେଳେ ପୋଲିସ ହାତରେ ଲାଗିଥିଲା ବାଂଲାଦେଶୀ ଲୁଟେରା ଲିଙ୍କ । ଯେଉଁମାନେ କି ଏକ ଚୋରା ଟାଟା ଏସି ଗାଡି ବ୍ୟବହାର କରିଥିଲେ । ସେହି ଗାଡି ମଧ୍ୟ ଏକ ଚାରା ବିକ୍ରୟ କେନ୍ଦ୍ରରୁ ଚୋରି କରିଥିବା ସାମ୍ନାକୁ ଆସିଥିଲା । ସେହିପରି ୨୦୧୯ ରେ ମଧ୍ୟ ତତ୍କାଳୀନ ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କ ସମୟରେ ଏକ କାର ଚୋରି ଗ୍ୟାଙ୍ଗର ଖୁଲାସା କରିଥିଲା କମିଶନରେଟ ପୋଲିସ । ସେତେବେଳେ ମଧ୍ୟ ୯ଟି କାର ଜବତ କରାଯାଇଥିଲା ।
ସମାନ ଢଙ୍ଗରେ ଏବେ ଟ୍ରାକ୍ଟର ଚୋରି ପଛରେ କିଛି ଗ୍ୟାଙ୍ଗ ଥାଇପାରନ୍ତି ବୋଲି ସନ୍ଦେହ ହେଉଛି । କାରଣ ଚୋରା ଗାଡିରେ କ୍ରାଇମ୍ କରି ଫେରାର ହେଉଛନ୍ତି ଅଭିଯୁକ୍ତ । ସେମାନଙ୍କୁ ଧରିବା ଏବେ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ଏନେଇ ପୋଲିସ ତଦନ୍ତ କରୁଥିବା ବେଳେ ଏକ ସ୍ବତନ୍ତ୍ର ଟିମ ଏନେଇ ତଥ୍ୟ ସଂଗ୍ରହ କରୁଥିବା ପୋଲିସ କହିଛି । ତେବେ ଏପରି ବଡଗାଡି ଚୋରି ଗ୍ୟାଙ୍ଗ ସାମ୍ନାକୁ ଆସିଲା ପରେ ସହରବାସୀଙ୍କ ପାଇଁ ସତର୍କ ହେବାର ସମୟ ଆସିଛି ।
ଇଟିଭି ଭାରତ, ଭୁବନେଶ୍ବର