ଭୁବନେଶ୍ବର: ମୃତ୍ତିକା ହେଉଛି ଜନସମାଜ ପାଇଁ ପ୍ରକୃତିର ଏକ ମୂଲବାନ ଅବଦାନ । ଏହାର ଉପଯୁକ୍ତ ଯତ୍ନ ସହ କିପରି ଏହାକୁ ସଂରକ୍ଷିତ କରି ରଖି ହେବ ସେନେଇ ଅନେକ ପଦକ୍ଷେପ ନିଆଯାଉଛି (Research on soil conservation is essential)। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ପ୍ରାକୃତିକ ସମ୍ବଳ ପରିଚାଳନା ସହ ନିର୍ଦ୍ଦେଶକ ଡା. ଏସକେ ଚୌଧୁରୀ (Dr. SK Chowdhury)କହିଛନ୍ତି ଯେ, ବର୍ତ୍ତମାନ ବୈଜ୍ଞାନିକମାନେ ମୃତ୍ତିକାକୁ ନେଇ ବିଭିନ୍ନ ସ୍ତରରେ ଗବେଷଣା ଜାରି ରଖିଛନ୍ତି। ଏହାର ପରିସୀମାକୁ ବିଶେଷ ଭାବରେ ବିସ୍ତୃତ କରିବା ଜରୁରୀ । ଉର୍ବର ମାଟିରୁ ହିଁ ଉତ୍ତମ ଖାଦ୍ୟ ମିଳିପାରିବ ।
ଯୁକ୍ରେନ ଓ ରୁଷିଆ ଯୁଦ୍ଧ ଫଳରେ ପୁରା ବିଶ୍ବରେ ମୃତ୍ତିକା, ସାର ଆଦି କ୍ଷେତ୍ରରେ ସନ୍ତୁଳନ ନଷ୍ଟ ପାଇଛି। ଏଣୁ ପ୍ରାକୃତିକ କୃଷିକୁ ବହୁଳ ମାତ୍ରାରେ ଆପଣେଇ ସଫଳ ଚାଷ ଦିଗରେ ମନବଳାଇବାକୁ ଡ. ଚୌଧୁରୀ ପରାମର୍ଶ ଦେଇଛନ୍ତି। ଉର୍ବର ମୃତ୍ତିକା ସ୍ବାସ୍ଥ୍ୟକର ସମାଜ ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମାଟିକୁ ପ୍ରଦୂଷଣମୁକ୍ତ କରିବା ସହ ଉର୍ବରତାକୁ ବୃଦ୍ଧି କରିବା ଦିଗରେ ଅନେକ ଚେଷ୍ଟା କରିବା ନିହାତି ଆବଶ୍ୟକ । ଏହା ସହ ମୃତ୍ତିକାରେ ଗନ୍ଧକ ଓ ଦସ୍ତା ପରିମାଣ ବୃଦ୍ଧି ପାଇଲେ ମାଟିର ଉର୍ବରତା ବଢିବ। ଫଳରେ ସ୍ବାସ୍ଥ୍ୟକର ପରିବେଶ ଗଠନ ଦିଗରେ ସହାଯକ ହୋଇପାରିବ ବୋଲି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି ।
ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏକ ବିରାଟ ସମସ୍ୟା ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି କେଉଁ ଅଞ୍ଚଳରେ କିପରି ମୁଭିକା ପ୍ରସ୍ତୁତି କରାଯିବ ତାହାର ରୂପରେଖ ତିଆରି କରିବାକୁ ହେବ । ଏହାର ଗବେଷଣା ଦିଗରେ ସମସ୍ତେ ତତ୍ପର ହେବା ଆବଶ୍ୟକ ବୋଲି କୁଳପତି କହିଛନ୍ତି । ସେହିପରି ଉଭିଦର ଅଣୁ ଓ ଗୌଣସାରର ଉପଯୋଗୀତାକୁ ହୃଦୟଙ୍ଗମ କରି ଆଗାମୀ ଖସଡା ପ୍ରସ୍ତୁତ କରିବା ଆବଶ୍ୟକ । କୋଭିଡ ମହାମାରୀ ସମୟରେ ଜିଙ୍କର ବହୁଳ ବ୍ୟବହାର ଦ୍ବାରା ପ୍ରମାଣିତ ହୋଇଛି ଯେ, ମାଟିରେ ଏହାର ମାତ୍ରା ବୃଦ୍ଧି ଜନହିତରେ ଆବଶ୍ୟକ ।
ଏହି କର୍ମଶାଳାରେ ଯୋଗ ଦେଇ ଭୋପାଳ ର ଭାରତୀୟ ମୃତ୍ତିକା ବିଜ୍ଞାନ ଅନୁଷ୍ଠାନର ନିର୍ଦ୍ଦେଶକ ଡ. ଏସ ପି ଦତ୍ତ ଏହି ସୂଚନା ଦେଇଛନ୍ତି । ସେହିପରି ପୂର୍ବ ପ୍ରଥାକୁ ଏଡାଇ ନୂତନ ପ୍ରଣାଳୀରେ ମୃତ୍ତିକା ସଂରକ୍ଷଣର ପ୍ରଣାଳୀ ପ୍ରସ୍ତୁତ କରିବାକୁ ହେବ । ବାରମ୍ବାର କ୍ଷେତ୍ର ପରିଦର୍ଶନର ମଧ୍ୟ ଆବଶ୍ୟକତା ହେବା ଆବଶ୍ୟକ।
ଇଟିଭି ଭାରତ, ଭୁବନେଶ୍ବର