ଭୁବନେଶ୍ବର: ଓଡ଼ିଶାରେ ମହଙ୍ଗା ମସଲା କେଶର ଚାଷ । ବିନା ମାଟିରେ ଏହି କେଶର ଚାଷ କରିଛନ୍ତି ଭୁବନେଶ୍ୱର ବରମୁଣ୍ଡା ଜଗନ୍ନାଥ ବିହାରର ବାସିନ୍ଦା ସୁବ୍ରତ ମହାନ୍ତି । ସେ ୨୦୨୨ରୁ ଏହି ଚାଷ ଉପରେ ଗବେଷଣା କରୁଥିଲେ । କିନ୍ତୁ ଗୋଟିଏ ଥର ଅସଫଳ ହେବା ପରେ ବର୍ତ୍ତମାନ ଏଥିରେ ସଫଳ ହୋଇଛନ୍ତି । ଆଉ ଓଡିଶା ଜଳବାୟୁରେ ବି ଏହି ଚାଷ କରିହେବ ବୋଲି ପ୍ରମାଣିତ କରିଛନ୍ତି ।
ସାଧାରଣତଃ 'କେଶର' ହେଉଛି ବିଶ୍ୱର ସବୁଠାରୁ ମହାଙ୍ଗା ମସଲା । ଔଷଧ ଭାବେ ହେଉ ଅବା ତ୍ୱଚାର ସୁନ୍ଦରତା ପାଇଁ ଏହାକୁ ବ୍ୟବହାର କରାଯାଏ । ମଣିଷ ଶରୀର ପାଇଁ ଏହି ମସଲାର ଉପାଦେୟତା ବେଶ ଗୁରୁତ୍ୱ ବହନ କରୁଥିବାବେଳେ ବର୍ତ୍ତମାନ ଏହା ଓଡ଼ିଶାରେ ବି ଚାଷ କରାଯିବ ବୋଲି ଆଶା ସଞ୍ଚାର ହୋଇଛି । ବରମୁଣ୍ଡାର ସୁବ୍ରତ ମହାନ୍ତିଙ୍କ 'କେଶର ଚାଷ' ଉପରେ ଏହି ଗବେଷଣାରେ ସଫଳ ହୋଇଥିବାବେଳେ ଓଡ଼ିଶାରେ ବି ମହାଙ୍ଗା କେଶର ଚାଷ କରାଯାଇପାରିବ ବୋଲି ସେ ଦାବି କରିଛନ୍ତି ।
ଏନେଇ ସୁବ୍ରତ କହିଛନ୍ତି, "ଏହି ଚାଷ ବିନା ମାଟିରେ ୩ ଟି ପ୍ରଣାଳୀରେ କରାଯାଇଛି । ଏରୋପୋନିକ ବା ବାୟୁରେ, ହାଇଡ୍ରୋପୋନିକ ବା ଜଳରେ, କୋକପିଟ ବା ନଡ଼ିଆ କତା ଗୁଣ୍ଡରେ ପରଲାଇଟ ମିଶାଯାଇ ଏହି ଚାଷ କରାଯାଇଛି । କେବଳ ଓଡିଶା ଜଳବାୟୁରେ ଏହା ସମ୍ଭବ ତାହା ନୁହେଁ, ଭିନ୍ନ ଭିନ୍ନ ପ୍ରଣାଳୀରେ ବି ଏହି ଚାଷ କରାଯାଇପାରିବ ।" ଏହି ଚାଷ ପାଇଁ ୧୦ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାର ଆବଶ୍ୟକ ରହିଥିବାରୁ ଆମ ରାଜ୍ୟରେ ଏହା କରିବା ଅସମ୍ଭବ । ଏହାକୁ ନିଜର ଦୃଢ ପ୍ରଚେଷ୍ଟା ଫଳରେ କରିଦେଖାଇଛନ୍ତି ସୁବ୍ରତ ମହାନ୍ତି ।
ଏହା ବି ପଢନ୍ତୁ...ଗୁଆଁର ଚାଷ ଦେଇଛି ପରିଚୟ, ଅଭାବୀ ବିକ୍ରିକୁ ନେଇ ହତାଶ ଚାଷୀ
ନିଜସ୍ୱ ପ୍ରୟାସରେ ସେ ସାଢେ ୪ ଲକ୍ଷରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି କେଶର ଚାଷ କରିଥିବା କହିଛନ୍ତି । କେବଳ କେଶର ନୁହେଁ ଷ୍ଟ୍ରବେରୀ ଓ ସାଲାଡ ପତା ମଧ୍ୟ ଚାଷ କରିଛନ୍ତି । ଏକ ଗ୍ରାମ କେଶରର ଦାମ ୪୫୦ରୁ ୫୦୦ ଟଙ୍କା ରହିଥିବାବେଳେ କିଲୋ ପ୍ରତି ଦର ୫ ରୁ ୬ ଲକ୍ଷ ରହିଥାଏ । ତେବେ ବର୍ତ୍ତମାନ ତାଙ୍କ ଗବେଷଣା ଡ୍ରାଇପ୍ରୋସେସ ବା ପରୀକ୍ଷାମୂଳକ ଭାବେ ରହିଥିବାବେଳେ ଆଗକୁ କିଭଳି ଏହାର ସଫଳ ଚାଷ ହୋଇପାରିବ ସେନେଇ ସେ ଚାଷ କ୍ଷେତ୍ରର ବିକାଶ ଦିଗରେ କାର୍ଯ୍ୟ କରୁଥିବା ଯୁବ ଚାଷୀ,ଉଦ୍ୟୋଗୀ ଓ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହାସହ ସେ ସରକାରଙ୍କ ପ୍ରୋତ୍ସାହନ ଲୋଡିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର