ଭୁବନେଶ୍ବର: ସୁଦୃଢ଼ ହେଉଛି ରମାଦେବୀ ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି । ରାଷ୍ଟ୍ରପତି ଆସିବା ପୂର୍ବରୁ ଉଦ୍ଘାଟନ ହୋଇଛି ରମାଦେବୀ ପ୍ରେକ୍ଷାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଛନ୍ତି । ଏହି ପ୍ରେକ୍ଷାଳୟଟି ୧୭ କୋଟି ଟଙ୍କାର ଅଟକଳ ବ୍ୟୟ କରାଯାଇଥିବା ବେଳେ ଏଥିରେ ଏକା ସାଙ୍ଗରେ ୧ ହଜାର ଜଣ ବସିବାର ବ୍ୟବସ୍ଥା ରହିଛି । ଏହି ଅବସରରେ ରମାଦେବୀ ବିଶ୍ଵବିଦ୍ୟାଳୟ ରାଜ୍ୟ ତଥା ଦେଶର ଏକ ନମ୍ବର ବିଶ୍ଵବିଦ୍ୟାଳୟ ହେବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ।
ରାଷ୍ଟ୍ରପତି ଆସିବା ପୂର୍ବରୁ ଚଳଚଞ୍ଚଳ ହେଉଛି ରମାଦେବୀ ବିଶ୍ବବିଦ୍ୟାଳୟ । ମହାମହିମ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ଭିତ୍ତିଭୂମି ସୌନ୍ଦର୍ଯ୍ୟକୁ ଗୁରୁତ୍ଵ ଦିଆଯାଉଛି । ରାଜ୍ୟ ସରକାରଙ୍କ ଭାଗିଦାରିରେ ରାଜ୍ୟର ପ୍ରଥମ ମହିଳା ବିଶ୍ବବିଦ୍ୟାଳୟରେ ଅନେକ ବିକାଶ କାର୍ଯ୍ୟ ଆଗେଇବାରେ ଲାଗିଛି । ସ୍ୱାଧୀନତା ସଂଗ୍ରାମୀ ରମାଦେବୀଙ୍କ ନାମରେ ଏକ ଅଡିଟୋରିୟମ ରମାଦେବୀ ବିଶ୍ବବିଦ୍ୟାଳୟ ପରିସର ମଧ୍ୟରେ ଉଦ୍ଘାଟନ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ରମାଦେବୀ ଅଡିଟୋରିୟମଟି ପ୍ରାୟ ୧୭ କୋଟି ଟଙ୍କା ବ୍ୟୟ ଅଟକଳରେ କରାଯାଇଛି । ଏହି ଅଡିଟୋରିୟମରେ ଏକା ସାଙ୍ଗରେ ୧ ହଜାର ଜଣ ବସିବାର କ୍ଷମତା ରହିଛି ।
ଏହି ଅଡିଟୋରିୟମ ଉଦ୍ଘାଟନ ସମୟରେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି, "ଏହି ମହିଳା କଲେଜକୁ ପ୍ରଥମ କରି ମହିଳା ବିଶ୍ଵବିଦ୍ୟାଳୟ କରାଯାଇଛି । ଆମ ରାଜ୍ୟର ଝିଅ ମାନଙ୍କୁ ସଶକ୍ତ କରିବା ପାଇଁ ଏହାକୁ ବିଶ୍ଵବିଦ୍ୟାଳୟ କରାଗଲା । ଏହାର ବିକାଶ ପାଇଁ ଯାହା ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯାଉଛି । ରମାଦେବୀ ବିଶ୍ଵବିଦ୍ୟାଳୟ ରାଜ୍ୟ ତଥା ଦେଶର ଏକ ନମ୍ବର ବିଶ୍ଵବିଦ୍ୟାଲୟ ହେବ । ରମାଦେବୀରେ ରାଷ୍ଟ୍ରପତି ପାଠ ପଢ଼ୁଥିଲେ । ଦୀର୍ଘ ବର୍ଷ ପରେ ଆସୁଛନ୍ତି ନିଜ କଲେଜକୁ ।" ତେବେ ରାଷ୍ଟ୍ରପତିଙ୍କୁ ଏହା ଭଲ ଲାଗିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ।
ଅନ୍ୟପଟେ ରମାଦେବୀ ବିଶ୍ଵବିଦ୍ୟାଳୟର କୁଳପତି କହିଛନ୍ତି, "ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରମାଦେବୀ ଅଡିଟୋରିୟମ ଉଦଘାଟିତ ହୋଇଛି । ଆସନ୍ତା ୧୦ ତାରିଖରେ ଯେଉଁ ଦ୍ବିତୀୟ ସମାବର୍ତ୍ତନ ଉତ୍ସବ ଆୟୋଜିତ ହେବାକୁ ଯାଉଛି, ତାହା ଏହି ପ୍ରେକ୍ଷାଳୟରେ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି, ରାଜ୍ୟପାଳ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।" ତେବେ ଏହି ପ୍ରେକ୍ଷାଳୟରେ ଲାଇଟ୍, ସାଉଣ୍ଡ ସିଷ୍ଟମ୍ ଆଦି ଉଚ୍ଚମାନର ହୋଇଛି ବୋଲି କହିଛନ୍ତି କୁଳପତି ।
ରମାଦେବୀ ଅଡିଟୋରିୟମରେ ହୋଇଥିବା ଖର୍ଚ୍ଚ ଅଟକଳର ଅଧା Rashtriya Uchchatar Shiksha Abhiyan (RUSA) ଫଣ୍ଡରୁ ଏବଂ ଅଧା ରାଜ୍ୟ ସରକାରଙ୍କ ଫଣ୍ଡରୁ ଆସିଛି ଟଙ୍କା । ସୂଚନା ଅନୁଯାୟୀ, ଆସନ୍ତା ୧୦ ତାରିଖ ଦିନ ମହାମହିମ ରାଷ୍ଟ୍ରପତି ରମାଦେବୀ ବିଶ୍ଵବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଏନେଇ ବିଶ୍ଵବିଦ୍ୟାଳୟ ଏବେ ଚଳଚଞ୍ଚଳ । ଛାତ୍ରୀଙ୍କ ଠାରୁ ଆରମ୍ଭ କରି କୁଳପତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏକାଗ୍ରତା ଭାବରେ କାମ କରୁଛନ୍ତି । କିଭଳି ଭାବରେ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବେ, ସେନେଇ ଜୋରଦାର ଚାଲିଛି ପ୍ରସ୍ତୁତି । ଯେହେତୁ ରାଷ୍ଟ୍ରପତି ନିଜେ ଏହି ରମାଦେବୀ ବିଶ୍ଵବିଦ୍ୟାଳୟରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ପାଠ ପଢ଼ୁଥିଲେ, ତେଣୁ କଲେଜ ପଢୁଥିବା ସମୟର ସାଙ୍ଗମାନଙ୍କ ସହ ଏକାଠି ହେବେ ମହାମହିମ ରାଷ୍ଟ୍ରପତି ।
ଇଟିଭି ଭାରତ, ଭୁବନେଶ୍ବର