ଭୁବନେଶ୍ବର: ଆସନ୍ତା ଶୁକ୍ରବାର ଠାରୁ ଭୁବନେଶ୍ବର ଏବଂ ରାଉରକେଲାରେ ଆରମ୍ଭ ହେବ ହକି ବିଶ୍ବକପ । ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଦୁଇଟି ସ୍ବତନ୍ତ୍ର ଟ୍ରେନ ଚଳାଇବା ପାଇଁ ନିଷ୍ପତ୍ତି ନେଇଛି । ରାଉରକେଲା-ଭୁବନେଶ୍ବର ଗଡିବ ଦୁଇଟି ସ୍ବତନ୍ତ୍ର ଟ୍ରେନ । ଏହି ଟ୍ରେନ ହକି ବିଶ୍ବକପ ଅବଧି ମଧ୍ୟରେ ଚଳାଚଳ କରିବ । ନିୟମିତ ଚଳଚଳ କରୁଥିବା ୫ଟି ଟ୍ରେନ ସହ ଏହି ଦୁଇଟି ଟ୍ରେନ ଚଳାଚଳ କରିବ ।
ଟ୍ରେନ ନମ୍ବର 02834 ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଟ୍ରେନ ଭୁବନେଶ୍ୱରରୁ 14 ରୁ 30 ଜାନୁୟାରୀ ମଧ୍ୟରେ ପ୍ରତ୍ୟେକ ସୋମବାର, ବୁଧବାର, ଗୁରୁବାର ଏବଂ ଶନିବାର ଦିନ ଭୁବନେଶ୍ବରରୁ ରାତି 8ଟା25ରେ ଛାଡି ରାଉରକେଲା ଯାତ୍ରା କରିବ ।
ଫେରିବା ମାର୍ଗରେ 02833 ରାଉରକେଲା-ଭୁବନେଶ୍ୱର ସ୍ପେଶାଲ ରାଉରକେଲା ଠାରୁ 15 ରୁ 31 ଜାନୁୟାରୀ ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଏବଂ ରବିବାର ଦିନ ରାତି 11ଟା25 ମିନିଟରେ ରାଉରକେଲାରୁ ଛାଡି ଭୁବନେଶ୍ୱର ଯାତ୍ରା କରିବ।
ଏହା ମଧ୍ୟ ପଢନ୍ତୁ: ଭାରତୀୟ ହକିର ସମୃଦ୍ଧଶାଳୀ ଯାତ୍ରାରେ ରହିଛି ଅନେକ ବିଜୟ ଓ କାଳଜୟୀ କାହାଣୀ: ଅନୁରାଗ ଠାକୁର
ଏହି ଟ୍ରେନରେ ଗୋଟିଏ ଏସି-2 ଟାୟାର, ତିନିଟି ଏସି -3 ଟାୟାର, ଆଠଟି ସ୍ଲିପର କ୍ଲାସ, ଚାରିଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ହେବାକୁ ଥିବାବେଳେ ଏହା ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଉଭୟ ପାର୍ଶ୍ୱରୁ କଟକ, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୋଳ, ସମ୍ବଲପୁର ସିଟି ଏବଂ ଝାରସୁଗୁଡା ମଧ୍ୟରେ ରହଣି କରିବ।
02836/02835 ପୁରୀ-ରାଉରକେଲା-ପୁରୀ ହକି ସ୍ପେଶାଲ୍ 14 ରୁ 31 ଜାନୁୟାରୀ ପର୍ଯ୍ୟନ୍ତ ପ୍ରତିଦିନ ଚଳାଚଳ କରିବ । ଏହି ଟ୍ରେନ ପୁରୀ ଠାରୁ ସକାଳ 05ଘ.15ମି.ରେ ଛାଡି ରାଉରକେଲା ଠାରେ ଅପରାହ୍ନ 12ଘ.45ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ଏହା ରାଉରକେଲା ଠାରୁ ଅପରାହ୍ନ 01ଘ.30ମି.ରେ ଛାଡି ପୁରୀ ଠାରେ ରାତ୍ରୀ 10ଘ.30ମି.ରେ ପହଞ୍ଚିବ ।
ଏହି ଟ୍ରେନରେ ଦୁଇଟି ଏସି -3 ଟାୟାର୍, ତିନିଟି ସ୍ଲିପର୍ କ୍ଲାସ୍, ଛଅ ଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଏବଂ ଜେନେରେଟର କାର୍ ଉପଲବ୍ଧ ଥିବାବେଳେ ଏହା ଉଭୟ ପାର୍ଶ୍ୱରୁ ପୁରୀ ଓ ରାଉରକେଲା ମଧ୍ୟରେ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢ଼େଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ସିଟି, ଝାରସୁଗୁଡା ଏବଂ ରାଜଗଙ୍ଗପୁର ଷ୍ଟେସନ ମାନଙ୍କ ଠାରେ ରହଣି କରିବ ।
ଏହା ବ୍ୟତୀତ 02832/02831 ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ୍ ମଧ୍ୟ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ସୋମବାର, ବୁଧବାର ଏବଂ ଶନିବାର ଦିନ ରାଉରକେଲା ମାର୍ଗ ଦେଇ ଚଳାଚଳ କରୁଅଛି । ସେହିଭଳି ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ, ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ, ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସ, ଭୁବନେଶ୍ୱର-ରାଉରକେଲା -ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ, ପୁରୀ-ରାଉରକେଲା-ପୁରୀ ଏକ୍ସପ୍ରେସ ଟ୍ରେନ ଗୁଡିକ ଦୈନିକ ଚଳାଚଳ କରୁଛି ଯାହାକି ଭୁବନେଶ୍ୱର ଓ ରାଉରକେଲାକୁ ଟ୍ରେନ ମାଧ୍ୟମରେ ସଂଯୋଗ କରୁଛି ।
ଉପରୋକ୍ତ ବ୍ୟତୀତ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ଝାରସୁଗୁଡା ଏବଂ ଭୁବନେଶ୍ୱର- ଆନନ୍ଦ ବିହାର ଏକ୍ସପ୍ରେସ ଟ୍ରେନ ଭାୟା ଅନୁଗୁଳ ଓ ଝାରସୁଗୁଡା ମଧ୍ୟ ଭୁବନେଶ୍ୱର ଏବଂ ରାଉରକେଲା ମଧ୍ୟରେ ସାପ୍ତାହିକ ଭାବେ ଉପଲବ୍ଧ ଅଛି । ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ହକିପ୍ରେମୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ଓ ସୁବିଧା । ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏବଂ ରେଳ ଯାତ୍ରୀମାନଙ୍କୁ ଉତ୍ତମ ଯାତ୍ରା ସୁବିଧା ବିଶେଷ ଭାବେ ହକି ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ସେବା ଯୋଗାଇ ଦେବାପାଇଁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି ।
ଇଟିଭି ଭାରତ, ଭୁବନେଶ୍ବର