ଭୁବନେଶ୍ବର: ରଥଯାତ୍ରା ପାଇଁ ପୁରୀକୁ ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଆସନ୍ତା 20 ତାରିଖଠାରୁ ଆରମ୍ଭ କରି 30 ତାରିଖ ପର୍ଯ୍ୟନ୍ତ ଦେଶର ବିଭିନ୍ନ ପ୍ରାନ୍ତରରୁ ପୁରୀକୁ ଗଡିବ ୧୫ ଯୋଡା ସ୍ପେଶାଲ ଟ୍ରେନ। ଅନ୍ୟପଟେ ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ କୌଣସି ସ୍ପେଶାଲ ଟ୍ରେନ ଗଡିବ ନାହିଁ ବୋଲି ସୂଚନା ଦିଆଯାଇଛି। ଆସନ୍ତା ୨୦ ତାରିଖରେ ଆରମ୍ଭ ହେବ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଏନେଇ ମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରସୋର ପ୍ରସ୍ତୁତି ଚାଲିଛି । ଏହାରି ମଧ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ବିଭିନ୍ନ ସ୍ଥାନରୁ ୧୫ ଯୋଡା ସ୍ପେଶାଲ ଟ୍ରେନ୍ର ଆୟୋଜନ କରାଯାଇଛି। ତେବେ 20 ତାରିଖ ଗୁଣ୍ଡିଚା ଯାତ୍ରାଠାରୁ ଆରମ୍ଭ କରି ବାହୁଡ଼ା ଯାତ୍ରା ସହ ସୁନାବେଶ ପର୍ଯ୍ୟନ୍ତ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି।


ତେବେ ଏହି ସମସ୍ତ ଟ୍ରେନ ଅନୁଗୁଳ ଏବଂ ହରିପୁରଗ୍ରାମ ଦେଇ ଚଳାଚଳ କରିବାକୁ ଥିବାବେଳେ ଟ୍ରେନ ଗୁଡ଼ିକ ପାଇଁ ସମସ୍ତ ଷ୍ଟେସନରେ ରହିବାର ବ୍ୟବସ୍ଥା କରାଯାଇଛି। ସେହିପରି ପୂର୍ବତଟ ରେଳପଥ ଦ୍ୱାରା ରଥଯାତ୍ରା ଲାଗି ଦୁର ଦୁରାନ୍ତରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ରେଲୱେ ଗେଷ୍ଟ ହାଉସର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ଅନ୍ୟପଟେ ରଥଯାତ୍ରାରେ ଅଧିକାଂଶ ଲୋକ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ବିହାରରୁ ଆସିଥାନ୍ତି । କିନ୍ତୁ ଗତ ୨ ତାରିଖରେ ବାହାନଗା ରେଳ ଦୁର୍ଘଟଣା ଯୋଗୁଁ ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ କୌଣସି ଟ୍ରେନର ବ୍ୟବସ୍ଥା କରାଯାଇନାହିଁ ।

ଦକ୍ଷିଣ ପୂର୍ବ ରେଳପଥରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପେଶାଲ ଟ୍ରେନ୍ର ଆୟୋଜନ କରାଯାଇନଥିବା କହିଛନ୍ତି ଦକ୍ଷିଣ ପୂର୍ବ ରେଳପଥର CPRO ଆଦିତ୍ୟ ଚୌଧୁରୀ । ବାହାନଗା ଦୁର୍ଘଟଣା ଯୋଗୁଁ ବିଭିନ୍ନ ସ୍ଥାନରେ ସିଗ୍ନାଲ ବ୍ୟବସ୍ଥା ଗୁଡିକର କାର୍ଯ୍ୟ ଚାଲିଛି। ଘଟଣାସ୍ଥଳରେ ଟ୍ରାକ୍ ଗୁଡିକର ମଧ୍ୟ କାର୍ଯ୍ୟ ଚାଲିଥିବାରୁ ଅନେକ ଟ୍ରେନ ଗୁଡିକ ବାତିଲ କରାଯାଇଥିବାବେଳେ କେତେକ ଗୁଡିକର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଥିବା ସୂଚନା ଦେଇଛନ୍ତି CPRO।
ଇଟିଭି ଭାରତ, ଭୁବନେଶ୍ବର