ଖୋର୍ଦ୍ଧା: ଦୀର୍ଘ ଦିନ ପରେ ପୂରଣ ହେଲା ଦଶପଲ୍ଲାବାସୀଙ୍କ ସ୍ୱପ୍ନ । ନୂଆଗାଁ ଠାରୁ ଆଉ ୧୫ କିମି ସଂଯୋଗ ହେଲା ଖୋର୍ଦ୍ଧା- ବଲାଙ୍ଗୀର ରେଳପଥ । ଏହି ଅବସରରେ ଶନିବାର ନୟାଗଡ଼ ଜିଲ୍ଲା ଦଶପଲ୍ଲାଠାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦଶପଲ୍ଲାରେ ନୂଆ ରେଳ ଷ୍ଟେସନର ଉଦଘାଟନ କରିଥିଲେ ।ଏହାସହ ୪ଟି ପାସେଞ୍ଜର ଟ୍ରେନକୁ ଦଶପଲ୍ଲା ଯାଏଁ ଯାତାୟାତ ସମ୍ପ୍ରସାରଣ କରିଛନ୍ତି ।
ଏହି ଅବସରରେ ନୂତନ ଯାତ୍ରୀ ପ୍ରେକ୍ଷାଳୟ ଓ ପଞ୍ଜିକରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ଘୋଷଣା କରିଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦିନ 11:30ଟା ସମୟରେ ରେଳମନ୍ତ୍ରୀ ଆନୁଷ୍ଠାନିକ ଭାବରେ ଯୋଗଦେଇ ଦଶପଲ୍ଲା ରେଳ ଷ୍ଟେସନକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଓ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । ଶନିବାଠାରୁ ଦଶପଲ୍ଲାରୁ ଭୁବନେଶ୍ୱର, ପୁରୀ ଓ ଭଦ୍ରକକୁ ଯାତ୍ରା କରିବ ଟ୍ରେନ । ଦଶପଲ୍ଲା ଷ୍ଟେସନରେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରାଯାଇଛି ।
ଏହି ଅବସରରେ ରେଳମନ୍ତ୍ରୀ କହିଛନ୍ତି, "ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ଏକ ଐତିହାସିକ ପ୍ରକଳ୍ପ । ଦୀର୍ଘ ବର୍ଷ ଧରି କାମ ଶେଷ ହୋଇପାରିନଥିଲା । କିନ୍ତୁ କେନ୍ଦ୍ରରେ ମୋଦିଜୀଙ୍କ ସରକାର ଅସିବା ପରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆଗେଇ ଆଜି ମହାବୀରଙ୍କ ଆଶୀର୍ବାଦରୁ ଦଶପଲ୍ଲା ଯାଏଁ ରେଳ ଲାଇନ ସଂଯୋଗ ହୋଇଛି । ଏହା ମୋଦିଙ୍କ ସରକାରଙ୍କ ସବକା ସାଥ-ସବକା ବିକାଶର ଗ୍ୟାରେଣ୍ଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ, ସବକା ବିକାଶ, ସବକା ପ୍ରୟାସ ନୀତି ଯୋଗୁଁ ଆଜି ଏହା ସମ୍ଭବ ହୋଇପାରିଛି ।"
ଏହା ମଧ୍ୟ ପଢନ୍ତୁ...ଭୁବନେଶ୍ବର ଷ୍ଟେସନରେ ରେଳମନ୍ତ୍ରୀ, ନବୀକରଣ କାର୍ଯ୍ୟର କଲେ ସମୀକ୍ଷା
ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସବୁ ଯୋଜନାରେ ଓଡ଼ିଶାକୁ ଏକ ନମ୍ବର କରିବାକୁ ପଡ଼ିବ । ଏଥିପାଇଁ ଦଳୀୟ ଭାବନା ଏବଂ ରାଜନୀତିରୁ ଉପରକୁ ଉଠି କାମ କରିବାକୁ ପଡ଼ିବ । ଦଶପଲ୍ଲାରୁ ଆଗାମୀ ରଥଯାତ୍ରାରେ ସ୍ଵତନ୍ତ୍ର ଟ୍ରେନ ଚଳାଚଳ କରାଯିବ । 2014 ପୂର୍ବରୁ କେନ୍ଦ୍ରରୁ ମାତ୍ର 800 କୋଟି ଟଙ୍କା ଓଡ଼ିଶାକୁ ଆସୁଥିଲା । ଏବେ ପ୍ରଧାନମନ୍ତ୍ରୀ ମୋଦି 10 ହାଜର କୋଟି ଟଙ୍କା ଅନୁଦାନ ଓଡ଼ିଶା ପାଇଁ ପଠାଉଛନ୍ତି । 2014 ପୂର୍ବରୁ ଓଡ଼ିଶାରେ ବର୍ଷକୁ ମାତ୍ର 50 କିମି ରେଳ ଲାଇନ କାମ ହେଉଥିଲା । ଏବେ ଓଡ଼ିଶାରେ ବାର୍ଷିକ 450 କିମି ରେଳ ଲାଇନ ତିଆରି ହେଉଛି ।
ଅନ୍ୟପଟେ ଆମେରିକା, ଜାପାନ ଠାରୁ ମଧ୍ୟ ଉନ୍ନତ ଧରଣର ରେଳ ଷ୍ଟେସନ ଭୁବନେଶ୍ଵରରେ ତିଆରି ହେଉଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଥିଲେ । ତେବେ ଆଜିଠାରୁ ଦଶପଲ୍ଲାକୁ ରେଳ ଚଳାଚଳ କରିଥିବାରୁ ଦଶପଲ୍ଲାବାସୀ କେନ୍ଦ୍ର ରେଳମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା