ଭୁବନେଶ୍ବର : ବର୍ଷା ଦିନ ପୂର୍ବରୁ ମ୍ୟାଲେରିଆ ଓ ଡାଇରିଆ ଚିନ୍ତା ଘାରିଲାଣି । କୋରାପୁଟ, ମାଲକାନଗିରି, ନବରଙ୍ଗପୁରରେ ସ୍ଥିତି ସମୀକ୍ଷା କରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆଗରୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ନିର୍ଦେଶ ଦେଇଛନ୍ତି। ବର୍ଷା ପୂର୍ବରୁ ସବୁ ଜଳ ଉତ୍ସ ବିଶୋଧନ କରିବାକୁ ନିର୍ଦେଶ ଦିଆଯାଇଛି। ପଞ୍ଚାୟତିରାଜ ବିଭାଗ ସହ ସମନ୍ୱୟ ରକ୍ଷା କରି ଆଗୁଆ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି ନିରଞ୍ଜନ ମିଶ୍ର ।
ସୂଚନା ଅନୁଯାୟୀ, ବର୍ଷା ଦିନ ଆସିବା ପରେ ଅନେକ ଜିଲ୍ଲା ରେ ଡାଇରିଆ ଭଳି ଜଳବାହିତ ରୋଗ ଲକ୍ଷ୍ୟ କରାଯାଏ । ହଇଜା , ଡାଇରିଆ, ଜଣ୍ଡିସ, ଟାଇଫଏଡ଼ ଭଳି ରୋଗ ବ୍ୟାପିବାରେ ସମ୍ଭାବନା ଥାଏ। ତେଣୁ ବନ୍ୟା ଅଞ୍ଚଳ ଗୁଡ଼ିକରେ ପାଣି ଖସିବା ପରେ ସମସ୍ତ ଜଳ ଉତ୍ସ ବା ଟ୍ୟୁବ ୱେଲ ଓ କୂଅ ଗୁଡିକୁ ବିଶୋଧନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପାଣିରେ ହାଲୋଜେନ ବଟିକା ପକାଇ ପିଇବା, ପାଣି ଫୁଟାଇ ପିଇବା, ସ୍ୱଚ୍ଛ ପାନୀୟ ଜଳ ପିଇବା, ସାବୁନରେ ହାତ ଧୋଇବା ପାଇଁ ସଚେତନ କରିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି। ବର୍ଷା ହେବା ମାତ୍ରେ ଅନେକ ସ୍ଥାନରେ ବନ୍ୟା ହୋଇଥାଏ। ତେବେ ସେହି ପ୍ରଭାବିତ ଜିଲ୍ଲା ଗୁଡିକରେ ଔଷଧ ମହଜୁଦ କରି ରଖିବେ ଏବଂ ଜଳବନ୍ଦୀ ଅଞ୍ଚଳରେ ମେଡ଼ିକାଲ ଟିମ ପ୍ରସ୍ତୁତ ରହିବେ ।
ତେବେ କାଶିପୁର ଅଞ୍ଚଳରେ ହଇଜା ଡାଇରିଆ ପ୍ରସଙ୍ଗରେ ପୂର୍ବରୁ ପ୍ରତ୍ୟେକ ୨୦ ଲିଟର କ୍ଷମତା ବିଶିଷ୍ଟ ଶୁଦ୍ଧ ପାନୀୟ ଜଳ ଭର୍ତ୍ତି ହୋଇଥିବା ପ୍ରାୟ ୫୦୦ ୟୁନିଟ ପ୍ରତି ଗ୍ରାମ ର ପ୍ରଭାବିତ ପରିବାର ଗୁଡିକ ମଧ୍ୟରେ ବଣ୍ଟନ କରାଯାଇଥିଲା । ଏଥି ସହିତ ଉତ୍କଳ ଆଲୁମିନା ୭ ଟି ପାଣି ଟ୍ୟାଙ୍କର ଜରିଆରେ ୭ ଟି ଗ୍ରାମ ତଥା କାକୁଡ଼ିପଦର, ଗୁଗୁପୋଟ, ପାଞ୍ଚାଳୀ, ରାମୁଗୁଡା, ମାଇଲିଗୁଡା, ଟିକିରି ହରିଜନ ସାହି, ଡଙ୍ଗାଗୁଡ଼ାରେ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା । ସର୍ବାଧିକ ପ୍ରଭାବିତ ଟିକିରି ଝୋଡ଼ିଆ ସାହି ଏବଂ ଡୁଡୁକାବାହାଲ ଗ୍ରାମକୁ ପରିଷ୍କାର କରାଯିବ ସହିତ ବ୍ଲିଚିଂ ପାଉଡ଼ର ପକାଯାଇ ବିଶୋଧନ କରାଯାଇଥିଲା ।
ନବରଙ୍ଗପୁର, ସମ୍ବଲପୁର, ନୂଆପଡାରେ କୋରନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏନେଇ ନବରଙ୍ଗପୁର ମାଲକାନଗିରି ଗସ୍ତ କରି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ତେବେ ରାଜ୍ୟରେ ଆଜି ୪୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏନେଇ ସକ୍ରିୟ କରୋନା ଆକ୍ରାନ୍ତ ସଂଖ୍ୟା ୨୪୧୧କୁ ବୃଦ୍ଧି ପାଇଥିବା ବେଳେ ଦିନକରେ ସୁସ୍ଥ ହେଲେଣି ୧୯୭ କରୋନା ଆକ୍ରାନ୍ତ।
ଇଟିଭି ଭାରତ, ଭୁବନେଶ୍ବର