ଖୋର୍ଦ୍ଧା: ଘରୋଇ ଗଣମାଧ୍ୟମ ଷ୍ଟୁଡିଓ ଗେଟ ସାମ୍ନାରେ ଠିକା କର୍ମଚାରୀଙ୍କ ଧାରଣା । ଖୋର୍ଦ୍ଧା ଜିଲ୍ଲା ସାରୁଅ ଠାରେ ଥିବା ଘରୋଇ ଗଣମାଧ୍ୟମ ସଂସ୍ଥାର ଠିକା କର୍ମଚାରୀଙ୍କୁ ଆଜି(ରବିବାର) ଷ୍ଟୁଡିଓ ଭିତରକୁ କାମ କରିବାକୁ ଅନୁମତି ଦିଆ ନ ଯିବାରୁ ଏହାକୁ ନେଇ ପ୍ରତିବାଦ ଜୋର ଧରିଛି । ପ୍ରାୟ 32 ଜଣ କର୍ମଚାରୀ ଷ୍ଟୁଡିଓ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଛନ୍ତି ।
ସୂଚନା ଅନୁଯାୟା, ଉକ୍ତ ଘରୋଇ ଗଣମାଧ୍ୟମ ସଂସ୍ଥାର ଇଞ୍ଜିନିୟର ଓ ସୁପରଭାଇଜର ଶନିବାର ଦିନ ଠିକା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ । ଏନେଇ କର୍ମଚାରୀଙ୍କ ଅଭିଯୋଗ ପରେ ଉଭୟଙ୍କୁ ଗିରଫ କରାଯାଇଥିଲା । ତେବେ ଆଜି ଯେତେବେଳେ ଅଭିଯୋଗ କରିଥିବା କର୍ମଚାରୀ ଷ୍ଟୁଡିଓ ଭିତରକୁ କାମ କରିବା ପାଇଁ ଯାଇଥିଲେ, ସେମାନଙ୍କୁ ଭିତରକୁ ଛଡା ଯାଇ ନଥିଲା । ଏହାକୁ ପ୍ରତିବାଦ କରି ପାଖାପାଖି 32 ଜଣ କର୍ମଚାରୀ ଷ୍ଟୁଡିଓ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି । ସେମାନଙ୍କ ମଧ୍ୟରେ କିଛି ମହିଳା କର୍ମଚାରୀ ମଧ୍ୟ ଅଛନ୍ତି ।
ତେବେ ଜମିଜମା ବାବଦରେ ସେମାନଙ୍କୁ ଏକ ବ୍ଲାଙ୍କ ପେପରରେ ଦସ୍ତଖତ କରିବାକୁ ବାଧ୍ୟ କରାଯିବା ସହ ଦସ୍ତଖତ ନ କଲେ କାମରୁ ବାହାର କରାଯିବାକୁ ଧମକ ମଧ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ