ଭୁବନେଶ୍ବର: ମୋକିମଙ୍କ ପ୍ରତି ଦଳୀୟ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ତେଜିଲା ରାଜନୀତି। ମୋକିମଙ୍କ ସମର୍ଥକମାନେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । 2024 ପୂର୍ବରୁ ଦଳର ବିଶୃଙ୍ଖଳା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ । ହେଲେ ମୋକିମ ଓ ଚିରଞ୍ଜିବୀଙ୍କ ସମର୍ଥକମାନେ ଦଳର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଏନେଇ ମାଷ୍ଟର କ୍ୟାଣ୍ଟିନରେ ମୋକିମ ଓ ନାଉଗାଁରେ ଚିରଞ୍ଜୀବିଙ୍କ ସମର୍ଥକମାନେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବିରୋଧ କରିବା ସହ ତାଙ୍କର କୁଶ ପୁତ୍ତଳିକା ଦାହ କରାଯାଇଛି। ଏହି ଦୁଇ ନେତାଙ୍କ ସମର୍ଥକମାନେ "ଶରତ ମୁର୍ଦ୍ଦାବାଦ" ନାରା ଦେଇ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି ।
ତେବେ ନିଲମ୍ବନର ପୁନର୍ବିଚାର ପାଇଁ ଦାବି କରାଯାଇଛି ।"ସୂଚନା ଭବନରେ ହୋଇଥିବା 'ଜାନକୀ ବସନ୍ତ ଯୋଡ଼ି ଓଡ଼ିଶା ରାଜନୈତିକ ଇତିହାସରେ ସୁବର୍ଣ୍ଣ ଯୁଗ' କାର୍ଯ୍ୟକ୍ରମରେ କେବଳ ମୋକିମ ଓ ଚିରଞ୍ଜୀବି ଉପସ୍ଥିତ ନଥିଲେ, ତାଙ୍କ ସହିତ ଥିଲେ ନିରଞ୍ଜନ ପଟ୍ଟନାୟକ ଓ ଅନନ୍ତ ସେଠୀ । ତେବେ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି ?" ପ୍ରଶ୍ନ କରିଛନ୍ତି ମୋକିମଙ୍କ ସମର୍ଥକ । ଏହା ସହିତ ସେମାନେ କହିଛନ୍ତି, "ପିସିସି ସଭାପତି ବିଜେଡି - ବିଜେପି ଦ୍ଵାରା ପରିଚାଳିତ ହୋଇ ଏଭଳି କାର୍ଯ୍ୟନୁଷ୍ଠାନ ନେବା ସହିତ ଦଳର କ୍ଷତି କରୁଛନ୍ତି ।"
ଏହା ମଧ୍ୟ ପଢନ୍ତୁ...ଟିକେଟ ଦେଲେ କଂଗ୍ରେସରୁ ଲଢ଼ିବି, ନହେଲେ ସ୍ୱାଧୀନ: ମୋକିମ
ସେପଟେ କଂଗ୍ରେସ ଭବନ ସମୁଖରେ କଟକ ବିଧାୟକ ମହମ୍ମଦ ମୋକିମ ସମର୍ଥକଙ୍କ ନାରାବାଜି ଦେଖିବାକୁ ମିଳିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବିରୋଧରେ ନାରାବାଜି କରିବା ସହ କୁଶପୁତଳିକା ଦାହ କରିଛନ୍ତି ମୋକିମଙ୍କ ସମର୍ଥକ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାବେଳେ କଂଗ୍ରେସର ଦୁଇ ଜଣ ଟାଣୁଆ ନେତାଙ୍କ ବିରୋଧରେ ଏଭଳି କାର୍ଯ୍ୟ ବେଆଇନ ବୋଲି ସମର୍ଥକମାନେ କହିଛନ୍ତି । "AICCଙ୍କୁ ସେ ତାଙ୍କର ଉତ୍ତର ପଠାଇ ସାରିଥିଲେ । ତେବେ ଏତେ ଦିନ ପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲା ? ଯଦି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତେବେ ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କାହିଁକି ନିଆଗଲା ନାହିଁ ? କାରଣ ସିଏ ବି ତ ସେହି ସଭାରେ ଉପସ୍ଥିତ ଥିଲେ । ତେଣୁ କଂଗ୍ରେସ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକଙ୍କ ସହ କଂଗ୍ରେସର ଆଉ କିଛି ନେତା ଏହି ଚକ୍ରାନ୍ତରେ ସାମିଲ ଅଛନ୍ତି" ବୋଲି ଅଭିଯୋଗ ଆଣିଛନ୍ତି ମୋକିମଙ୍କ ସମର୍ଥକ ।
ଶନିବାର AICC ପକ୍ଷରୁ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବି ବିଶ୍ୱାଳଙ୍କୁ ନିଲମ୍ବନ କରାଯାଇଥିଲା । ସୋ' କଜ୍ ନୋଟିସର ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ଦଳ ଏଭଳି ନିଷ୍ପତ୍ତି ନେଇଛି । ପିସିସି ସଭାପତି ଶରତ ପଟନାୟକଙ୍କ ଅଭିଯୋଗ କ୍ରମେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର