ଖୋର୍ଦ୍ଧା: ଓଡିଶା ଗସ୍ତରେ ଭାରତର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ସମସ୍ତେ ପ୍ରସ୍ତୁତ ରହିଛନ୍ତି । 8 ତାରିଖ ସକାଳ 9ଟା30 ସମୟରେ ରାଷ୍ଟ୍ରପତି କୋବିନ୍ଦ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ।
ଏହାପରେ ଖୋର୍ଦ୍ଧା ଅଭିମୁଖେ ବାହାରି ଖୋର୍ଦ୍ଧା ଉପକଣ୍ଠ ଗୋଶାଳା ପଡ଼ିଆରେ ନିର୍ମାଣ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ଼ରେ ଅବତରଣ କରି ସଡକପଥ ଦେଇ ବରୁଣେଇ ସଭାସ୍ଥଳକୁ ଯିବେ। ସେଠାରେ ପାଇକ ସ୍ମୃତି ସ୍ତମ୍ଭର ଭୂମି ପୂଜନ କରିବେ। ଏହାସହ ସେଠାରେ ଅନୁଷ୍ଠିତ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।
ସମସ୍ତ କାର୍ଯ୍ୟକ୍ରମ ଶେଷ ହେବା ପରେ 11ଟା45ମିନିଟ ସମୟରେ ଏକ ସ୍ବତନ୍ତ୍ର ହେଲିକାପ୍ଟର ଯୋଗେ ରାଷ୍ଟ୍ରପତି ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ବେଶ ଚଳଚଞ୍ଚଳ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ଓଡିଶା ପୋଲିସ ମହାନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ଖୋର୍ଦ୍ଧା ଏସପି କହିଛନ୍ତି । ସେହିପରି ଜିଲ୍ଲାପାଳ ମଧ୍ୟ ରାଷ୍ଟ୍ରପତିଙ୍କ ଗସ୍ତକୁ ସୁଚାରରୁପେ ତୁଲାଇବା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିଥିବା କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ