ଭୁବନେଶ୍ବର: ଦୁଇ ଦିନିଆ ଓଡିଶାରେ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିମାନବନ୍ଦରରେ ପହଞ୍ଚିବା ପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ସାମିଲ ହୋଇଛନ୍ତି ମହାମହିମ । ଭୁବନେଶ୍ୱର ଉତ୍କଳ ମଣ୍ଡପଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠାତା ପରମହଂସ ପ୍ରଜ୍ଞାନାନନ୍ଦ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ ପ୍ରଦାନ କରିବେ ।
ରାଷ୍ଟ୍ରପତିଙ୍କ ବ୍ୟତିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଏମସି ମେୟର ସୁଲୋଚନା ଦାସ ଓ ଜ୍ଞାନପ୍ରଭା ମିଶନର ସଭାପତି ଜ୍ୟୋତିର୍ମୟୀ ମିଶ୍ର ସାମିଲ ହୋଇଛନ୍ତି । ଜ୍ଞାନପ୍ରଭା ମିଶନର ଏହି କାର୍ଯ୍ୟକ୍ରମରେ ଗୁରୁଜୀ ପରମହଂସ ପ୍ରଜ୍ଞାନନ୍ଦ ଜି ଅଭିଭାଷଣ ରଖିବେ ।
ଆଜି ଦିଲ୍ଲୀରୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେରେ ଆସି ଦିନ 11ଟା 45 ସମୟରେ ରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଡିଜିପି ସୁନୀଲ ବଂଶଲ, ମୁଖ୍ୟ ଶାସନ ସଚିବ ପ୍ରମୁଖ ମହାମହିମଙ୍କୁ ସ୍ବାଗତ କରିଥିଲେ । ଏହାପରେ ବିମାନ ବନ୍ଦରରୁ ରାଷ୍ଟ୍ରପତି ସିଧାସଳଖ ଉତ୍କଳ ମଣ୍ଡପ ଅଭିମୁଖେ ବାହାରି ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗ ଦେଇଛନ୍ତି ।
ଭୋଜନ ପରେ ଅପରାହ୍ନ ୪ଟା ୧୫ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି। ତେବେ ଆସନ୍ତାକାଲି ସକାଳେ ରାଷ୍ଟ୍ରପତି ମୁର୍ମୁ ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ କଟକରେ ଥିବା ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଭାରତୀୟ ଧାନ କଂଗ୍ରେସ ସମ୍ମିଳନୀକୁ ଉଦଘାଟନ କରିବେ । ସେଠାରୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ପୁଣି ଦିଲ୍ଲୀ ଫେରିଯିବେ । ରାଷ୍ରପତି ହେବା ପରେ ଏହା ହେଉଛି ଦ୍ରୌପଦୀ ମୁର୍ମୁଙ୍କ ଦ୍ବିତୀୟ ଓଡିଶା ଗସ୍ତ।
ତେବେ ରାଷ୍ଟ୍ରପତିଙ୍କୁ ଦୁଇ ଦିନିଆ ଗସ୍ତକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୁବନେଶ୍ବରରେ 40 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଦୁଇ ଶହ ପୋଲିସ ଅଫିସର ନିୟୋଜିତ ହୋଇଛନ୍ତି । 14 ଏଡିସିପି ରାଙ୍କ୍ ଅଫିସର, 35 ଏସିପି ରାଙ୍କ୍ ଅଫିସର, 47 ଇନସ୍ପେକ୍ଟର 188 ସବ ଇନସ୍ପେକ୍ଟର ଓ 58 ହୋମଗାର୍ଡ ନିୟୋଜିତ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ପାଇଁ 30 ଟି କାର କାର୍କେଡ଼ରେ ସାମିଲ ହୋଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର