ତୁଳସୀ ଯାତ୍ରା ପାଇଁ କଂଗ୍ରେସର ପ୍ରସ୍ତୁତି, ଆସନ୍ତା ୧ରେ ଭୁବନେଶ୍ୱରରୁ ଶରଧା ବାଲି ଯିବ ଦଳ - preparatory meeting by congress
ଆସନ୍ତା ଡିସେମ୍ବର ୧ ତାରିଖ ପ୍ରଦେଶ କଂଗ୍ରେସର ତୁଳସୀ ଯାତ୍ରା ପାଇଁ ପୁରୀ ଜିଲ୍ଲା ନେତୃବର୍ଗଙ୍କ ପ୍ରସ୍ତୁତି ବୈଠକଆସନ୍ତା ଡିସେମ୍ବର ୧ ତାରିଖ ପ୍ରଦେଶ କଂଗ୍ରେସର ତୁଳସୀ ଯାତ୍ରା ପାଇଁ ପୁରୀ ଜିଲ୍ଲା ନେତୃବର୍ଗଙ୍କ ପ୍ରସ୍ତୁତି ବୈଠକ।
Published : Nov 23, 2023, 9:52 PM IST
ଭୁବନେଶ୍ବର: ଡିସେମ୍ବର ପହିଲାରେ ତୁଳସୀ ଯାତ୍ରା କରିବ କଂଗ୍ରେସ । ଏନେଇ କଂଗ୍ରେସ ଭବନରେ ପ୍ରସ୍ତୁତି ବୈଠକ ସରିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକରେ ପୁରୀ ଜିଲ୍ଲାର ତମାମ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ଶ୍ରୀମନ୍ଦିରକୁ ନେଇ ତେଜୁଛି ରାଜନୀତି । ଚାରି ଦ୍ୱାର ଖୋଲିବା, ରତ୍ନଭଣ୍ଡାର ମରାମତି, ଗଣତିକୁ ନେଇ କଂଗ୍ରେସ ଆସନ୍ତା ଡିସେମ୍ବର 1 ତାରିଖରେ ତୁଳସୀ ଯାତ୍ରା କରିବ । ଭୁବନେଶ୍ୱରରୁ ଶରଧା ବାଲି ପର୍ଯ୍ୟନ୍ତ ଯିବ କଂଗ୍ରେସ ।
ତେବେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆସନ୍ତା ଡିସେମ୍ବର ମାସ ୧ ତାରିଖ ଦିନ ଶ୍ରୀକ୍ଷେତ୍ର ପୁରୀକୁ କରାଯିବ ତୁଳସୀ ଯାତ୍ରା । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ପୁରୀ ଜିଲ୍ଲାର ସମସ୍ତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକରେ ଯୋଗଦେଇଥିଲେ । ରାଜ୍ୟ ସରକାର ଆଜି ୩ ବର୍ଷରୁ ଅଧିକ ସମୟ ଧରି ଶ୍ରୀମନ୍ଦିରର ଚାରି ଦ୍ୱାରକୁ କିଛି ବନ୍ଦ କରି ରଖିଛନ୍ତି । ଏପରିକି ପବିତ୍ର କାର୍ତ୍ତିକ ମାସରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ସତ୍ତ୍ବେ ୪ ଦ୍ୱାର ଖୋଲୁନଥିବାରୁ ତେଜିଛି ଅସନ୍ତୋଷ । ପ୍ରତିଦିନ ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ କଂଗ୍ରେସ ୬ଟି ଦାବି ସମ୍ବଳିତ ଦାବି ପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ପ୍ରଦାନ କରିଛି ।
ସାରା ରାଜ୍ୟରୁ ପ୍ରତ୍ୟେକ ଗାଁ ଓ ପଞ୍ଚାୟତରୁ ଜଗନ୍ନାଥ ପ୍ରେମୀ, ଭକ୍ତ, କଂଗ୍ରେସ ନେତା, କଂଗ୍ରେସ କର୍ମୀ ବହୁ ସଂଖ୍ୟାରେ ତୁଳସୀ ଧରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ୧ ତାରିଖ ଦିନ ସକାଳ ୯ ଟା ସୁଦ୍ଧା ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସକାଳ ୧୦ଟା ୧୫ ସୁଦ୍ଧା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ପୁରୀ ଅଭିମୁଖେ ତୁଳସୀ ଯାତ୍ରା ଆରମ୍ଭ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଏହା ବି ପଢନ୍ତୁ...ଗର୍ଜିଲେ କଂଗ୍ରେସ ନେତା ଗଣେଶ୍ବର: କହିଲେ ରାଜ୍ୟ ସରକାର ଆଦିବାସୀ ସ୍ବାର୍ଥ ବିରୋଧୀ
ଏହି ବୈଠକରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ, ପ୍ରଦେଶ କଂଗ୍ରେସର ଉପସଭାପତି ତଥା ପୁରୀ ପର୍ଯ୍ୟବେକ୍ଷକ ଶିବାନନ୍ଦ ରାୟ, ଜିଲ୍ଲା ସଭାପତି ଜୟୀନାରାୟଣ ପଟ୍ଟନାୟକ, ରାଜ୍ୟ କିଷାନ ସେଲ୍ ସଭାପତି ଅମୀୟ ପଟ୍ଟନାୟକ, ବିନାୟକ ଦାସ ମହାପାତ୍ର, ବିଶ୍ୱଭୂଷଣ ଦାସ, ନିରଞ୍ଜନ ରଥ, ସୁଜିତ ମହାପାତ୍ର, ଅମର ପାଇକରାୟ ଓ ଜୟଶ୍ରୀ ପାତ୍ରଙ୍କ ସମେତ ବହୁ କଂଗ୍ରେସ ନେତୃବର୍ଗ ଯୋଗଦେଇଥିଲେ।
ଇଟିଭି ଭାରତ, ଭୁବନେଶ୍ବର