ଖୋର୍ଦ୍ଧା: ରବିବାର ପାଇକ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇ ପାହାଡ଼ ପାଦଦେଶର ପ୍ରସ୍ତାବିତ ସଭାସ୍ଥଳରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ରାଷ୍ଟ୍ରପତି ଗୋଶାଳା ପଡ଼ିଆରେ ପ୍ରସ୍ତୁତ ହୋଇଥିବା ହେଲିପ୍ୟାଡ଼ରେ ଅବତରଣ କରିବାପରେ ସେଠାରୁ ସ୍ବତନ୍ତ୍ର କାରକେଡରେ ଆସି ପ୍ରସ୍ତାବିତ ସଭାସ୍ଥଳରେ ପହଞ୍ଚିବେ। ତାଙ୍କର ଗସ୍ତପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏନେଇ ଶନିବାର ପ୍ରସ୍ତାବିତ ସଭାସ୍ଥଳରେ ଆଇଜି ଦାୟିତ୍ଵରେ ଥିବା ପୋଲିସ ଅଫିସର ଏବଂ କର୍ମଚାରୀଙ୍କୁ ରାଷ୍ଟ୍ରପତିଙ୍କ ସୁରକ୍ଷା ବାବଦରେ ଜଣାଇଛନ୍ତି।
ରାଷ୍ଟ୍ରପତିଙ୍କ ଗସ୍ତ ଉପରେ ପ୍ରତିକ୍ରିୟା ରଖି ଆଇଜି କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଖୋର୍ଦ୍ଧା ଏସ୍ପିଙ୍କ ନେତୃତ୍ବରେ ଚାରିଜଣ ଏସ୍ପି, 9 ଜଣ ଅତିରିକ୍ତ ଏସ୍ପି, 15 ଜଣ ଡ଼ିଏସପି, 26 ଜଣ ଇନ୍ସପେକ୍ଟର, 125 ପୋଲିସ ଅଫିସରଙ୍କ ସହ 38 ପ୍ଲାଟୁର୍ନ ଫୋର୍ସ ମୁତୟନ କରାଯାଇଛି।
ଏନେଇ ଜାତୀୟ ରାଜପଥରେ କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ଦେଖାଦେବ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଜିଲାପାଳ କହିଛନ୍ତି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ