ନିଆଳି: ମାଟିରେ ପ୍ରସ୍ତୁତ ହେଉଛି ଭଳିକି ଭଳି ମାଟି ତିଆରି ସାମଗ୍ରୀ । ପିଢି ପରେ ପିଢ଼ି ନିଜର କୌଳିକ ବୃତ୍ତିକୁ ପେଶା ଭାବରେ ଗ୍ରହଣ କରିଛନ୍ତି କୁମ୍ଭାକାର ପରିବାର । କୁମ୍ଭାରଙ୍କ ହାତ ସ୍ପର୍ଶରେ ମାଟିରେ ହାଣ୍ତି, ସୁରେଇ, ପଲମ, କଳସ, ସରା ପ୍ରସ୍ତୁତ ହୁଏ । ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଳକାଟି ନିକଟରେ ଥିବା ୨୫ରୁ ଊର୍ଦ୍ଧ୍ବ କୁମ୍ଭାର ପରିବାର ଆଜି ବି ବୃତ୍ତିକୁ ନିଜ ଜୀବନର ନିଶା ଆଉ ପେଶା ଭାବେ ବାଛି ନେଇଛନ୍ତି ।
ଦିନକୁ ଦିନ ଲୋକଙ୍କର ଆଉ ମାଟିପାତ୍ର ସାମଗ୍ରୀ ବ୍ୟବହାର କରୁନଥିବା କାରଣରୁ କୁମ୍ଭାକାରଙ୍କ କୌଳିକ ବୃତ୍ତି ସଙ୍କଟ ଦେଇ ଗତି କରୁଛି । ମାଟିପାତ୍ର ବିକ୍ରି ପାଇଁ ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଉନଥିବା କାରଣରୁ ଏହାର ବ୍ୟବହାର ବଢିବା ପରିବର୍ତ୍ତେ କମିବାରେ ଲାଗିଛି । କେବଳ ବିବାହ ଓ ପର୍ବପର୍ବାଣୀ ସମୟରେ ଯେତିକି ବ୍ଯବସାୟ ହୁଏ, ତା’ପରେ ହାତ ବାନ୍ଧି ବସିବାକୁ ପଡ଼ିଥାଏ ।
ଦିନ ଥିଲା ମାଟିପାତ୍ରର ଆଦର କାହିଁ କେତେ ଥିଲା । ଏବେ ମଣିଷ ସମାଜ ନିଜର ଆଧୁନିକତା ଓ ଚାକଚକିଆ ସଭ୍ୟତା ଭିତରେ ନିଜକୁ ହଜାଇ ଦେଇସାରିଲାଣି । ଆଗଭଳି ଆଉ ମାଟିପାତ୍ରକୁ ବ୍ୟବହାର କରୁନାହାଁନ୍ତି । ସମସ୍ତେ ଧାଇଁଛନ୍ତି ଆଧୁନିକତା ସଭ୍ୟତା ଆଡ଼କୁ । ମାଟି ପାତ୍ରର ଆଦର ଓ ବାସ୍ନା ଆଉ ଦେଖିବାକୁ ମିଳୁନାହିଁ । କୁମ୍ଭାକାର ପରିବାରଙ୍କ ହାତ ତିଆରି ଜିନିଷର ଆଦର ଏବେ କମିଛି । ଫଳରେ ମାଟିପାତ୍ର ସାମଗ୍ରୀ ତିଆରି କରି ପରିବାର ପ୍ରତିପୋଷଣ କରୁଥିବା ପରିବାରଙ୍କ ଅବସ୍ଥା ଏବେ ଅତି ଦୟନୀୟ । ମାଟିପାତ୍ର ପାଇଁ ଆବଶ୍ୟକ ମାଟି ଓ ଜାଳେଣି କାଠ ଅଭାବ ସାଙ୍ଗକୁ କୌଳିକ ବୃତ୍ତି ବୁଡିବା ଅବସ୍ଥାରେ ପହଞ୍ଚିଲାଣି ।
କୁମ୍ଭାକାର ପରିବାର ମାନଙ୍କ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ଯୋଜନା କିମ୍ବା ବଜାର ବ୍ୟବସ୍ଥା କରାଯାଇନଥିବା କାରଣରୁ ହଜାର ହଜାର ବର୍ଷ ଧରି ମାଟିପାତ୍ର ଉପରେ ନିର୍ଭର କରି ଚଳୁଥିବା ପରିବାର ଏବେ ଆଶା ଓ ଆଶଙ୍କା ଦେଇ ଗତି କରୁଛନ୍ତି ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ