ଖୋର୍ଦ୍ଧା: ଖୋର୍ଦ୍ଧା ଅଂଶୁମାନ୍ ଇସ୍ଲାମିଆ ଓ ନାଗରିକ ମଞ୍ଚ ପକ୍ଷରୁ ସ୍ଥାନୀୟ ଜୟୀ ରାଜଗୁରୁ ଭବନ ପରିସରରେ ରାଜ୍ୟସ୍ତରୀୟ ଇଦ୍ ମିଳନ ପର୍ବ ଅନୁଷ୍ଠିତ ହୋଇଛି । ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଲୋକମାନଙ୍କ ମଧ୍ୟରେ ଭାଇଚାରା ଅତୁଟ ରଖିବାକୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଖୋର୍ଦ୍ଧା ଅଂଜୁମନ୍ ଇସ୍ଲାମିଆର ସଭାପତି ରମଜାନ୍ ଖାନ୍ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପର୍ବରେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ହିନ୍ଦୁ ମୁସ୍ଲିମ୍ ସଂସ୍କୃତିର ଗବେଷକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ସ୍ଵାଗତ ଭାଷଣ ଦେଇଥିଲେ । ଏହି ଅବସରରେ ସେ କହିଥିଲେ, "ଖୋର୍ଦ୍ଧା ହେଉଛି ହିନ୍ଦୁ ଓ ମୁସଲମାନ ସଂସ୍କୃତିର କେନ୍ଦ୍ରବିନ୍ଦୁ । ଏହାର ପ୍ରକୃଷ୍ଣ ନିଦର୍ଶନ କାଇପଦର ବୋଖାରୀ ବାବାଙ୍କ ପୀଠରେ ଦେଖିବାକୁ ମିଳେ । ବୋଖାରୀ ବାବାଙ୍କୁ ଉଭୟ ହିନ୍ଦୁ ଓ ମୁସଲମାନ ପୂଜା କରନ୍ତି ।"
ମାଣିକଗଡାରେ ମୁସଲମାନ ଦଳବେହେରା କୁଶବଟୁ ପିନ୍ଧି ଦଶହରାରେ ଯଜ୍ଞ ବେଦୀରେ ବସନ୍ତି ଓ ଦୋଳ ମେଳଣରେ ମୁସଲମାନ ଭାଇମାନେ ଚାନ୍ଦା ଦେଇଥାନ୍ତି । ଖୋର୍ଦ୍ଧା ନାଗରିକ ମଞ୍ଚର ସଭାପତି ଆଇନିଜୀବୀ ନରେନ୍ଦ୍ର ପୃଷ୍ଟି ମଞ୍ଚର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଞ୍ଜୁମାନ ଇସଲାମର ସମ୍ପାଦକ ହାଜି ନସିମୁଦ୍ଦିନ ଖାନ୍ ତାଙ୍କର ବିବରଣୀ ପାଠ କରିଥିଲେ ।
ଏହି ଉତ୍ସବରେ ଅତିଥି ଭାବେ ଖଣ୍ଡପଡାର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଭୁବନେଶ୍ଵର ସାଂସଦ ଅପରାଜିତା ଷଢ଼ଙ୍ଗୀ ମଧ୍ୟ ଯୋଗ ଦେଇଥିଲେ । ଅପରାଜିତା କହିଥିଲେ, "ଆମେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଭାରତମାତାର ସନ୍ତାନ । ସମସ୍ତେ ଦେଶକୁ ଆଗେଇ ନେବା ପାଇଁ ପ୍ରୟାସ କରିବା ନିତାନ୍ତ ଆବଶ୍ୟକ ।" ସେହିପରି ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ରାଜ୍ୟ ଓ ଦେଶର ସଂସ୍କୃତି ଭିତରେ ହିନ୍ଦୁ ମୁସଲମାନ ଭାଇଚାରା ଭାବ ପୂରି ରହିଥିବା କହିଥିଲେ ।
କାର୍ଯ୍ୟକ୍ରମରେ ଭୁବନେଶ୍ଵର ମହାନଗର ନିଗମର ମେୟର ସୁଲୋଚନା ଦାସ, କଟକ ମେୟର ସୁବାଷ ସିଂହ, ଖୋର୍ଦ୍ଧାର ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, କେନ୍ଦ୍ରାପଡାର ବିଧାୟକ ଶଶିଭୂଷଣ ବେହେରା, ଖୋର୍ଦ୍ଧା ଜିଲ୍ଲା ପରିଷଦର ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂହ, କବି ହୁସେନ ରବି ଗାନ୍ଧୀ, ପିପିଲି ବିଧାୟକ ରୁଦ୍ର ନାରାୟଣ ମହାରଥି, ଖୋର୍ଦ୍ଧା ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ, ରାଜ୍ୟ ଛାତ୍ର କଂଗ୍ରେସ ସଭାପତିଙ୍କ ସହ ଖୋର୍ଦ୍ଧାର ବହୁ ବୁଦ୍ଧିଜିବୀ, ଆଇନଜୀବୀ ଉପସ୍ଥିତ ଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ