ଭୁବନେଶ୍ବର: ଆସନ୍ତା କିଛି ମାସ ମଧ୍ୟରେ ଦେଶରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ବିଜେଡି ୨୦୨୪ ନିର୍ବାଚନରେ ଡ୍ରାଇଭର ସିଟରେ ରହିବା ଲାଗି ଅନେକ ମାଷ୍ଟର ପ୍ଲାନ କରିଛି । ନିର୍ବାଚନ ପାଖେଇ ଆସୁଥିବାରୁ କେନ୍ଦ୍ର ଅବହେଳା ପ୍ରସଙ୍ଗ ପୁଣି ଉଠାଇବାକୁ ଯୋଜନା କରିଛି ଦଳ । ତେବେ ବିଜେଡି ଯାହା କରୁଛି, ତାହା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କରୁଛି ବୋଲି ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି ।
ଓଡିଶା ପ୍ରତି କେନ୍ଦ୍ର ଅବହେଳା ପ୍ରସଙ୍ଗକୁ ବଳ ଯୋଗାଇବା ଲାଗି ବିଜେଡି ଶାସିତ ରାଜ୍ୟ ସରକାର କରିଛନ୍ତି ସୁଚିନ୍ତିତ ରଣନୀତି । ପ୍ରତ୍ୟେକ ଦିନ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗ ଉଠାଇବେ ବିଜେଡି ଓ ରାଜ୍ୟ ସରକାର । କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିବା ସହ କେନ୍ଦ୍ର ସରକାରଙ୍କ ଦୋଷ ବାହାର କରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବ ଦଳ । ଏହି କ୍ରମରେ ଗତ କିଛିଦିନ ହେବ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ୨୫ ତାରିଖରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତୀୟ ରାଜପଥ ୫୫ କାର୍ଯ୍ୟ ତୁରନ୍ତ ସାରିବାକୁ ଚିଠି ଲେଖିଥିଲେ ନବୀନ । ସେହିପରି ଗତକାଲି ରାଜ୍ୟରୁ ୨୦ ଲକ୍ଷ ମେଟ୍ରିକ ଟନ ବଳକା ଚାଉଳ ଉଠାଇବାକୁ କେନ୍ଦ୍ରମନ୍ତ୍ରୀ ପିୟୁସ ଗୋୟେଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ଦରଦାମ ବୃଦ୍ଧିକୁ ପ୍ରସଙ୍ଗ କରି ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରାଯାଇଛି । ତେବେ ଏହି ପ୍ରକ୍ରିୟା ନିର୍ବାଚନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡିଛି ।
ଏନେଇ ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "ବିଜେଡି ଯାହା କରୁଛି, ତାହା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କରୁଛି । ରାହୁଲ ପ୍ରକରଣକୁ ନେଇ କଂଗ୍ରେସର ରିଭାଇଭଲ ହେବାର ସମ୍ଭାବନା ରହିଛି । ହୁଏତ ଏବେ ଓଡ଼ିଶାରେ କଂଗ୍ରେସର ଅବସ୍ଥା ବହୁତ ଖରାପ । ଯଦି କଂଗ୍ରେସର ରିଭାଇଭଲ ହୁଏ, ତାହାଲେ ଓଡ଼ିଶାରେ ତାହାର କିଛି ପ୍ରଭାବ ମଧ୍ୟ ପଡିପାରେ । କାରଣ ଓଡ଼ିଶାରେ ବିଜେଡି ଓ ବିଜେପିର ଅଗ୍ରଗତି କଂଗ୍ରେସ ଭୋଟ ଯୋଗୁଁ ହୋଇଛି । ତେଣୁ ପ୍ରଭାବ ପଡି କଂଗ୍ରେସ ଆଡ଼କୁ ଭୋଟ ଫେରିପାରେ । ତାହାକୁ ଅଟକାଇବାକୁ ହେଲେ କେନ୍ଦ୍ର ଅବହେଳା କଥା ବଞ୍ଚାଇ ରଖିବାକୁ ପଡିବ । କେନ୍ଦ୍ର ବିରୋଧି ପ୍ରସଙ୍ଗ ଉଠାଇବାକୁ ପଡିବ । ଧାନ ସଂଗ୍ରହ ନେଇ ବିଜେପି କହୁଛି । ବିଜେଡି ମଧ୍ୟ କେନ୍ଦ୍ର ବିରୋଧି ଆଭିମୁଖ୍ୟ ରଖିବ । ବିଜେଡି କେନ୍ଦ୍ର ଉପରେ ଦୋଷ ଲଦି ରାଜ୍ୟ ଉପରେ ଆମର ଫୋକସ ଅଛି ବୋଲି ଦର୍ଶାଇବେ । ଅନ୍ୟ କୌଣସି ଦଳକୁ ବଢିବାକୁ ସୁଯୋଗ ଦେବେ ନାହିଁ । କଂଗ୍ରେସ ଯେମିତି ଓଡ଼ିଶାରେ କୌଣସି ସ୍କୋପ ନପାଉ, ସେଥିପାଇଁ ବିଜେଡି ଓ ବିଜେପି ରଣନୀତି କରୁଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର