ଭୁବନେଶ୍ବର: କଲେଜ ଷ୍ଟୁଡେଣ୍ଟରୁ ଗଳିର କ୍ରିମିନାଲ । ପତିଆରା ଦେଖାଇବାକୁ ଗୁଣ୍ଡାଗର୍ଦ୍ଦି । ପାଠ ଛାଡ଼ି କୁଜି ନେତାଙ୍କ ସାଜିଥିଲା ହାତବାରିଶି । କଥା କଥାକେ ଗଣ୍ଡଗୋଳ ଆଉ ବୋମାମାଡ଼ ସହ ଆକ୍ରମଣ । ଏପରି ଭୟର ଆତଙ୍କ ଖେଳାଇ ଭୁବନେଶ୍ବରରେ ମୁଣ୍ଡ ଟେକୁଥିଲା ନେଉଳ ଗ୍ୟାଙ୍ଗ୍ । ଆଉ ଏହି ଗ୍ୟାଙ୍ଗର ମୁଖ୍ୟ ନେଉଳ ଓରଫ ରାହୁଲ ସାହୁକୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ । ଗତ ଅକ୍ଟୋବର ୧୭ ତାରିଖରେ କେଶୁରା ନିକଟରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ଥିଲା ନେଉଳ । ଶନିବାର ତାକୁ ଗିରଫ ସହ ଏକ ଖଣ୍ଡା ଜବତ କରିଛି ପୋଲିସ ।
ତେବେ ମିଳିଥିବା ସୂଚନା ଅନୁସାରେ ନେଉଳ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ଥିଲା । ସେ ଲକ୍ଷ୍ମିସାଗର ଜଗନ୍ନାଥ ବିହାରରେ ରୁହେ । ପାଠ ପଢ଼ୁଆ ଛାତ୍ର ହୋଇ କିଛି ଛାତ୍ର ନେତା ଓ କୁଜି ନେତାଙ୍କ ସହ ଥିଲା ମିଳାମିଶା । ଧିରେ ଧିରେ କଲେଜ ସମୟରୁ ପାଠ ପଢ଼ା ସହ ଗୁଣ୍ଡାଗର୍ଦ୍ଦିରେ ସାମିଲ ହୋଇଥିଲା । ଧିରେ ଧିରେ କେତେବେଳେ କେଉଁ ଗୋଷ୍ଠୀର ଛାତ୍ରଙ୍କୁ ଧମକାଇବା ଓ ବାଡେଇବା ତ କେତେବେଳେ ବୋମାମାଡ କରି ନିଜର ଗୋଷ୍ଠୀ ତିଆରି କରିଥିଲା । ପରେ ନିଜ ଗୋଷ୍ଠୀରେ ଆଉ କିଛି ଯୁବକଙ୍କୁ ମଧ୍ୟ ସାମିଲ କରି ନିଜର ପତିଆରା ତିଆରି କରୁଥିଲା । ପୂର୍ବରୁ ମଞ୍ଚେଶ୍ବର ଥାନା ଅଞ୍ଚଳରେ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ମଧ୍ୟ ଗିରଫ ହୋଇ ଜେଲ ଯାଇଥିଲା । ହେଲେ ତଥାପି ସରିନଥିଲା ତାର ଗୁଣ୍ଡାଗର୍ଦ୍ଦି । ପରେ ସହିଦନଗର ଥାନା ଅଞ୍ଚଳରେ ଏକ ଦୋକାନ ସାମ୍ନାରେ ବୋମାମାଡ଼ କରିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ସେହିପରି କେଶୁରା ମଙ୍ଗରାଜ ପଏଣ୍ଟରେ ମଧ୍ୟ ଆତଙ୍କ ଖେଳାଇ ସେଠାରେ ମଧ୍ୟ ଏକ ବୋମାମାଡ଼ କରିଥିଲା । ଏଭଳି ଛୋଟମୋଟ ଘଟଣାରେ ସାମିଲ ହୋଇ ଲୋକଙ୍କ ମଧ୍ୟରେ ଭୟର ମାହୋଲ ତିଆରି କରୁଥିଲା । ଅନ୍ୟପଟେ ରାଜଧାନୀରେ ବଢୁଥିବା ଏଭଳି କ୍ରିମିନାଲଙ୍କ ଉତ୍ପାତକୁ ନେଇ ଚିନ୍ତାରେ ଥିଲା ପୋଲିସ୍ । ଆଉ ଗତ ୧୭ ଅକ୍ଟୋବରରେ ସିକ୍ୟୁରିଟି ଗାର୍ଡକୁ ଆକ୍ରମଣ ଘଟଣା ପରେ ପୋଲିସ ସ୍କାନରକୁ ଆସିଥିଲା ନେଉଳ ।
ଏହା ମଧ୍ୟ ପଢ଼ନ୍ତୁ...ଗିରଫ ହେଲା ସମ୍ବଲପୁର ଜେଲରୁ ଚମ୍ପଟ କଏଦୀ, ରାଜ୍ୟ ବାହାରକୁ ଯିବାକୁ ଥିଲା ଯୋଜନା
ଆଗକୁ ନିର୍ବାଚନ ଆସୁଥିବାବାବେଳେ ବୋମାମାଡ଼ ଭଳି ସାଙ୍ଘାତିକ ଅପରାଧରେ ସାମିଲ ଅଛି ନେଉଳ । ଆଗକୁ ପରିସ୍ଥିତି ଉତ୍ତେଜନାମୂଳକ ହେବା ଆଶଙ୍କାରେ ତାକୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ । ଏହାପରେ ନେଉଳ ନାଁରେ ୪ଟି ଅଭିଯୋଗ ଥିବା ପୋଲିସ ଜାଣିବାକୁ ପାଇଛି । ତେବେ ନେଉଳ ଗ୍ୟାଙ୍ଗର ଆଉ କିଛି ସଦସ୍ୟ ରହିଛନ୍ତି । ଯାହାକୁ ନେଇ ପୋଲିସ ସେମାନଙ୍କ ଉପରେ ନଜର ରଖିଥିବା କହିଛନ୍ତି ଜୋନାଲ ୩ ଏସିପି ଏସ୍ ଶେଖର । ତେବେ ମନ୍ଦିରମାଳିନି ସହର ଭୁବନେଶ୍ବରରେ ଭିଭିଆଇପିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଆତଯାତ ହେଉଛି । ଧିରେ ଧିରେ ଛୋଟ ଗଣ୍ଡଗୋଳରୁ ଗଢି ଉଠୁଛି ବଡ଼ବଡ଼ କ୍ରିମିନାଲ ୱାର । ହେଲେ ନା ଏ ଦିଗରେ ପୋଲିସର ଶକ୍ତ ଅଭିଯାନ ରହିଛି ନା ଏଭଳି କ୍ରିମିନାଲଙ୍କ ପାଇଁ କଡା ଆଭିମୁଖ୍ୟ ରହିଛି । ଯାହାକୁ ନେଇ ସହରରେ ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ନେଇ ଉଠିଲାଣି ପ୍ରଶ୍ନ ।
ଇଟିଭି ଭାରତ, ଭୁବନେଶ୍ବର