ଭୁବନେଶ୍ବର: ବିଶ୍ବବିନ୍ଧାଣୀଙ୍କ ପୂଜାରେ ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ । ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୌଳିକ ବୃତ୍ତି ଓ ହସ୍ତଶିଳ୍ପୀଙ୍କ ବିକାଶ ପାଇଁ ଏହି ବିଶ୍ୱକର୍ମା ଯୋଜନା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆଜି ଏହାକୁ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଆଜିଠାରୁ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା । ନୂଆଦିଲ୍ଲୀ ସ୍ଥିତ ଦ୍ୱାରକାରେ ଥିବା ଯଶୋଭୂମିରୁ ନିଜ ଜନ୍ମଦିନ ତଥା ବିଶ୍ଵକର୍ମା ପୂଜା ଅବସରରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଏହି ଉପଲକ୍ଷେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଓଡିଶାର 3ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଭୁବନେଶ୍ୱରରେ ରେଳ ଅଡିଟୋରିୟମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସମ୍ବଲପୁରରେ କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜନ୍ ବର୍ଲା ଓ ପୁରୀରେ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡ.ମୁଞ୍ଜାପରା ମହେନ୍ଦ୍ର ଭାଇ କାଲୁଭାଇ ଉପସ୍ଥିତ ଥିଲେ ।
କେନ୍ଦ୍ରମନ୍ତ୍ରୀ ଅଶ୍ବୀନି ବୈଷ୍ଣବ କହିଛନ୍ତି, "ଓଡ଼ିଶାରେ ୧ ଲକ୍ଷରୁ ଅଧିକ ଲୋକ ଏହି ଯୋଜନାରେ ଉପକୃତ ହେବେ ବୋଲି ଆକଳନ କରାଯାଇଛି । କାରୀଗରଙ୍କୁ ଜିଲ୍ଲା ସ୍ତରରେ ଚିହ୍ନଟ କରିବା ପାଇଁ କମିଟି ରହିବ । ପିଏମ୍ ବିଶ୍ଵକର୍ମା ଯୋଜନା ଅଧୀନରେ କୌଳିକ ବୃତ୍ତି ଆଧାର କରି ଜୀବନଯାପନ କରୁଥିବା ଲୋକଙ୍କୁ ସାମିଲ କରାଯିବ । ବଢ଼େଇ, ଡଙ୍ଗା ନିର୍ମାତା, ପଥର କାରିଗର, ଜୋତା କାରିଗର, ଝୁଡ଼ି, ମସିଣା ଏବଂ କତା କାରିଗର, ଧୋବା, ମାଛ ଜାଲ ନିର୍ମାତା ଭଳି ୧୮ଟି ବର୍ଗଙ୍କୁ ସାମିଲ କରାଯିବ । କାରିଗରଙ୍କୁ ପରିଚୟ ପତ୍ର ଏବଂ ସାର୍ଟିଫିକେଟ୍ ଦିଆଯାଇଛି । ସେମାନଙ୍କ ପାଇଁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକ ବିହୀନ ଋଣ, ସାଜ ସରଞ୍ଜାମ ପାଇଁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା, ଦକ୍ଷତା ପ୍ରଶିକ୍ଷଣ ଦିଆଯିବ । ଏହି ସମୟରେ ଦୈନିକ ୫୦୦ ଟଙ୍କାର ଷ୍ଟାଇପେଣ୍ଡ, ବିପନ୍ନ ସହାୟତା ଯୋଗାଇ ଦିଆଯିବ । ଏଥିଲାଗି ଦେଶରେ ୨୦୨୩-୨୪ରୁ ୨୦୨୭-୨୮ ମଧ୍ୟରେ ୧୩ ହଜାର କୋଟି ବ୍ୟୟ ଅଟକଳ କରାଯାଇଛି । ଏହାଦ୍ୱାରା ୫ ବର୍ଷରେ ୩୦ ଲକ୍ଷ ପାରମ୍ପରିକ କାରିଗର ଏବଂ ଶିଳ୍ପୀକାର ମାନେ ଉପକୃତ ହେବେ ।"
ଏହା ମଧ୍ୟ ପଢନ୍ତୁ.."ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା" ଯୋଜନା, ହିତାଧିକାରୀଙ୍କୁ ପଞ୍ଜିକୃତ କରାଇଲେ କେନ୍ଦ୍ରାପଡ଼ା ବିଜେପି କର୍ମୀ
ଭୁବନେଶ୍ଵର ରେଳ ଅଡିଟୋରିୟମରେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସମେତ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେଡି ସାଂସଦ ମୁନା ଖାନ, ରାଜ୍ୟ MSME ସଚିବ ଶାଶ୍ବତ ମିଶ୍ର, ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର