ଖୋର୍ଦ୍ଧା: 2019 ସରି ଆସୁ ଥିବାବେଳେ ନୂତନ ବର୍ଷକୁ ସ୍ବାଗତ କରିବାକୁ ସଭିଏଁ ସଜବାଜ ହେଉଛନ୍ତି । ଏହି ଅବସରରେ ଚାରିଆଡେ ସଭିଏଁ ପିକନିକରେ ମସଗୁଲ । ଆଉ ଖୋର୍ଦ୍ଧା ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀରେ ଜମୁଛି ଲୋକଙ୍କ ଭିଡ । ବଣଭୋଜି ସହ ନାଚ ଗୀତ କରି ସଭିଏଁ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଉଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଭୂଷଣ୍ଡପୁର ମୂଳିଝରଗଡ଼ରେ ଥିବା ମା' ଉଗ୍ରତାରାଙ୍କ ଶକ୍ତି ପୀଠ ଚଳଚଞ୍ଚଳ ହୋଇଛି । ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ମା'ଙ୍କ ନିକଟକୁ ଆସି ମା'ଙ୍କ ଆର୍ଶୀବାଦ ଲାଭ କରିବା ସହ ବିଭିନ୍ନ ପୂଜାର୍ଚ୍ଚନା କରୁଛନ୍ତି । ମନ୍ଦିର ପରିସରରେ ପର୍ଯ୍ୟଟକଙ୍କ ଆଗମନକୁ ଦେଖି ବ୍ୟବସାୟୀମାନେ ବିଭିନ୍ନ ଷ୍ଟଲରେ ଭଳିକି ଭଳି ଖେଳନା ସାମଗ୍ରୀ ଓ ଖାଦ୍ୟ ସାମଗ୍ରୀ ରଖିଛନ୍ତି ଯାହା ଫଳରେ ସେମାନଙ୍କର ବ୍ୟବସାୟ ଜମୁଛି । ଏଥିସହ ସ୍କୁଲ, କଲେଜର ଛାତ୍ରଛାତ୍ରୀ ଓ ପର୍ଯ୍ୟଟକମାନେ ସେଠାରେ ଥିବା ପିଣ୍ଡିରେ ବଣଭୋଜି କରି ମଜା ଉଠାଉଛନ୍ତି ।
ମନ୍ଦିର ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୂଷଣ୍ଡପୁର ଫାଣ୍ଡି ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ