ଖୋର୍ଦ୍ଧା: ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ଆତ୍ମନିର୍ଭରଶୀଳର ଉଦାହରଣ ସାଜିଛନ୍ତି । ନିଜର ଅକ୍ଷମତାକୁ ଉଦ୍ୟମ ପ୍ରଚେଷ୍ଠାରେ ପରିଣତ କରି ନିଜ ଗୋଡରେ ସ୍ବାବଲମ୍ବୀ ହୋଇପାରିଛନ୍ତି । ଯାହା ଆଜି ତାଙ୍କୁ ନୂଆ ପରିଚୟ ଦେଇଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ବାଘମାରି ଅଟ୍ରି ଗାଁର ଅନୀଲ ଛୋଟରାୟ । ପିଲାଟି ବେଳୁ ବାକଶକ୍ତି ଓ ଶ୍ରବଣ ଶକ୍ତି ହରାଇଥିଲେ ମଧ୍ୟ ସେ କେଉଁ ଥିରେ ଆଉ କାହା ଠାରୁ କମ ନୁହଁନ୍ତି ବୋଲି ପ୍ରମାଣ ଦେଇଛନ୍ତି ।
ସମୟର ପ୍ରତିକୂଳ ସ୍ରୋତ ଛଡାଇ ନେଇଥିଲା ବହି ବସ୍ତାନି । ଫଳରେ ମାତ୍ର ସପ୍ତମ ଯାଏଁ ପାଢପଢି ଥିଲେ ଅନୀଲ । କିନ୍ତୁ ସେ ହାର ମାନିନଥିଲେ । ଅତି ସୂକ୍ଷ୍ମକାରିଗରତା ସହ ଚୌକି, ଡ୍ରେସିଂ ଡେବୁଲ, ଆଉ ଏହି ଖଟ ପଲଙ୍କ ସହ ଅନେକ ଆସବାବ ପତ୍ର । ନିହଁଣ, ହାତୁଡିରେ ଖୋଦେଇ କରି କାଠଗଣ୍ଡିକୁ ନୂଆ ରୂପ ଦେବାରେ ସେ ନିଜର ପାରିଦର୍ଶିତା ଦେଖାଇଛନ୍ତି । ଦିବ୍ୟାଙ୍ଗଙ୍କ ଏପରି କାରୁକାର୍ଯ୍ୟ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ଏକ ଉଚ୍ଚ କୋଟୀର କାଠ ମିସ୍ତ୍ରୀର ପରିଚୟ ଦେଇଛି ।
ଗାଁର ଦିଲ୍ଲୀପ ହରିଚନ୍ଦନଙ୍କ ସହ ଦୀର୍ଘ 12 ବର୍ଷ ଧରି କାଠ କାମ କରିଆସୁଛନ୍ତି ଅନୀଲ । ତା ସହ ଘରର ଆର୍ଥିକ ବୋଝକୁ ସେ ନିଜ ମୁଣ୍ଡରେ ବୁହାଇ ପାରିଛନ୍ତି । ହରିଚନ୍ଦନ କୁହନ୍ତି, ଅନୀଲ ତୁରନ୍ତ କାମ ଧରିବା ସହ ସବୁ କିଛି ବୁଝିଯାଆନ୍ତି । ଅନ୍ୟ ସକ୍ଷମ ପିଲା ଠାରୁ ସେ ଏହି କାଠ କାରୁକାର୍ଯ୍ୟରେ ବେଶ ଦକ୍ଷତା ଦେଖାଇପାରିଛନ୍ତି । ସେପଟେ, 29 ବର୍ଷୀୟ ଦିବ୍ୟାଙ୍ଗ ଅନୀଲକୁ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳିନଥିବା ଅଭିଯୋଗ କରିଛନ୍ତି ମାଆ । ତେଣୁ ତାଙ୍କ ମାଆ ଅନୀଲ ଭଲ ଭବିଷ୍ୟ ପାଇଁ ସରକାରଙ୍କ ନିକଟରେ ସହାୟତା ମାଗିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ