ଭୁବନେଶ୍ବର: ଭାରତ ଯୋଡ଼କୁ ପୂରିଲା ବର୍ଷେ । ଭାରତ ଯୋଡ଼ ଯାତ୍ରାର 1 ବର୍ଷ ପୂର୍ତ୍ତି ଅବସରରେ ପ୍ରଦେଶ କଂଗ୍ରେସ ତରଫରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ତେବେ 7 ସେପ୍ଟେମ୍ବର 2022 ଅର୍ଥାତ ଆଜିର ଦିନରେ କନ୍ୟାକୁମାରୀଠାରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରାର ଶୁଭାରମ୍ଭ ହୋଇଥିଲା । ପ୍ରାୟ 4 ହଜାର 80 କିଲୋମିଟର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ ରାହୁଲ ଗାନ୍ଧୀ । ଦେଶରେ ଭାଇଚାରାକୁ ବଜାୟ ରଖିବା ନାରା ଦେଇ ରାହୁଲ ଗାନ୍ଧୀ ଏହି ପ୍ରୟାସ କରିଥିବା କଂଗ୍ରେସ ନେତା କହିଥିଲେ । କଂଗ୍ରେସ ଭବନ ପରିସରରେ ଭାରତ ଯୋଡ଼ ଯାତ୍ରାର ଫଟୋ ପ୍ରଦର୍ଶନୀ କରାଯାଇଥିଲା । ଏହି ଫଟୋ ପଦର୍ଶନୀରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାର ବିଭିନ୍ନ ସମୟର ଏବଂ ଭିନ୍ନ ଭିନ୍ନ ରାଜ୍ୟର ନେତା, ଜନତାଙ୍କ କିଛି ବିଶେଷ ମୁହୂର୍ତ୍ତର ଫଟୋ ପ୍ରଦର୍ଶନ କରାଯାଇଥିଲା ।
ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରସ ଭବନ ପରିସରରୁ ଇନ୍ଦିରା ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥରେ ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସହ ଅନେକ ନେତା ଓ କର୍ମୀ ଯୋଗ ଦେଇଥିଲେ । ଇନ୍ଦିରା ଗାନ୍ଧୀ ପାର୍କ ପରିସରରେ ଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ କାର୍ଯ୍ୟକ୍ରମ ପଦଯାତ୍ରାର ସମାପନ କରାଯାଇଥିଲା ।
ଏହି ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ,"ଭାରତ ଯୋଡ ଯାତ୍ରାର ବର୍ଷରେ ଏମିତି କୌଣସି ନେତା ନାହାନ୍ତି ଯିଏ କି ଏଭଳି ପଦଯାତ୍ରାରେ ସାମିଲ ହୋଇଛନ୍ତି । ରାହୁଲ ଗାନ୍ଧୀଙ୍କ ନାମ ସ୍ବର୍ଣ୍ଣ ଅକ୍ଷରରେ ଲେଖାଯିବ । ଯିଏକି ଏହି ଯାତ୍ରା କଲେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ହେଉଛୁ ଭାରତବାସୀ ସେ ଏହି ଯାତ୍ରାମାଧ୍ୟମରେ ସାବ୍ୟସ୍ତ କରିଛନ୍ତି । ଯେଉଁମାନେ ଭାରତ ବର୍ଷରେ ଘୃଣା ବାଣ୍ଟୁଛନ୍ତି, ରାଜ୍ୟରେ ଦଙ୍ଗା କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କଠାରୁ ଦୁରେଇ ରହିବାକୁ ରାହୁଲ ଗାନ୍ଧୀ ଏହି ଯାତ୍ରା ମାଧ୍ୟମରେ ପରାମର୍ଶ ଦେଇଥିଲେ । ଓଡ଼ିଶାରେ ଏହାର ପ୍ରଭାବ ପଡିଛି । 2024ରେ ଏହାର ପ୍ରଭାବ ଦେଖିବାକୁ ପାଇବେ ।"
ସେହିପରି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, "ଦେଶରେ କିଭଳି ଗଣତନ୍ତ୍ର ବିପଦରେ ରହିଛି ତାର ପ୍ରତିବାଦ ସ୍ବରୂପ ଭାରତ ଯୋଡ଼ ଯାତ୍ରା ଏକ ଅଭୂତପୂର୍ବ ସଫଳତା ହାସଲ କରିଛି । ଭାରତ ଜୋଡ଼ ଯାତ୍ରାର ପ୍ରଭାବ ସାରା ଦେଶରେ ଅନୁଭୂତ ହୋଇଛି । ଅନୁରୂପ ଭାବରେ ମଧ୍ୟ ଓଡ଼ିଶାରେ ଏହାର ପ୍ରଭାବ ପଡିବ।"
ଇଟିଭି ଭାରତ, ଭୁବନେଶ୍ବର