ଖୋର୍ଦ୍ଧା: କମ ଉପସ୍ଥାନ ଥିବା ବିଦ୍ୟାଳୟରେ ତାଲା ପକାଇବା ପାଇଁ ଗଣଶିକ୍ଷା ବିଭାଗ ନିଷ୍ପତିକୁ ସହଜରେ ମାନିବାକୁ ଅମଙ୍ଗ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କୁଞ୍ଜୁରୀ ପଞ୍ଚାୟତର ବରପଦା ଗ୍ରାମବାସୀ । ଶୁକ୍ରବାର ଉକ୍ତ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିକ୍ଷୋଭ କରିବା ସହ ବିଦ୍ୟାଳୟକୁ ପୁନର୍ବାର ଖୋଲିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।
ଉକ୍ତ ପ୍ରାଥମିକ ବିଦ୍ୟାଳୟଟି 1955 ମସିହାରେ ସ୍ଥାପନ ହୋଇଥିବା ବେଳେ ଚଳିତ ବର୍ଷ ଏହାକୁ ନିକଟସ୍ଥ କୁଞ୍ଜୁରୀ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରିବା ନିଷ୍ପତି ହୋଇଛି । ଏହାକୁ ବିରୋଧ କରି ଗ୍ରାମବାସୀ ଶୁକ୍ରବାର ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି । ଏହା ସହ ମିଶ୍ରଣ କରିଥିବା ସ୍କୁଲ ବନ୍ଦ ଥିବା ସ୍କୁଲ ଠାରୁ ବହୁ ଦୂର ହୋଇଥିବାରୁ ପିଲାମାନେ ଶିକ୍ଷା ପାଇବା ପାଇଁ କାଦୁଅ ପଙ୍କ ରାସ୍ତାରେ ଯାଇପାରୁ ନଥିବା ଜଣାଇଛନ୍ତି ଅଭିଭାବକ । ଯଦି ସରକାରଙ୍କର ଏହି ନିଷ୍ପତ୍ତି ନବଦଳେ ତେବେ ଛାତ୍ର ଛାତ୍ରୀ ମାନେ ସରକାରୀ ବିଦ୍ୟାଳୟରୁ ମୁହଁ ଫେରାଇବା ଏକ ପ୍ରକାର ନିଶ୍ଚିତ ବୋଲି କହିଛନ୍ତି ବିକ୍ଷୋଭକାରୀ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ