ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ମୁହଁ ଖୋଲିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପିସିସି ସଭାପତି । ‘‘ଏବେ ଅଭିଯୁକ୍ତକୁ ପାଗଳ କହି ତଦନ୍ତ କରୁଛନ୍ତି ଓ ଧିରେ ଧିରେ ମାମଲା ଚାପି ଦେବେ’’ ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି । ଏହା ସହିତ ସେ ଏଭଳି ସମ୍ବେଦନଶୀଳ ଘଟଣାର ଏସ୍ଆଇଟି ତଦନ୍ତ ଦାବି କରିଛନ୍ତି ।
କଂଗ୍ରେସ ଭବନରେ ପିସିସି ସଭାପତି ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, "ଆଗରୁ ଅନେକ ହତ୍ୟା ହୋଇଛି । କିନ୍ତୁ ରାଜ୍ୟ ଇତିହାସରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ପୋଲିସ ଗୁଳି କରି ମାରିବା ପ୍ରଥମ । ମୁଖ୍ୟମନ୍ତ୍ରୀ ନିଜ କ୍ୟାବିନେଟ ମନ୍ତ୍ରୀଙ୍କୁ ବଞ୍ଚାଇବାରେ ଅସଫଳ । ପାଇଖାନା ଟାଙ୍କିରୁ ଚିଠି ବାହାରିବା ଓ ତାକୁ ଖରାରେ ଶୁଖାଇବା ଗପ ଭଳି ଲାଗୁଛି । ଝାରସୁଗୁଡାରେ କୋଇଲା ମାଫିଆ ସକ୍ରିୟ ଅଛନ୍ତି । ଆଗରୁ ମଧ୍ୟ ଅନେକ ହତ୍ୟାକାଣ୍ଡ ସେଠାରେ ଘଟିଛି । କିନ୍ତୁ ଏଗୁଡିକ ପଛର ପ୍ରକୃତ କାରଣ ସାମ୍ନାକୁ ଆସିବା ଦରକାର । କ୍ରାଇମବ୍ରାଞ୍ଚ କେତୋଟି କେସ ହାତକୁ ନେଇଛି, କେତୋଟି ସଫଳ ହୋଇଛି ତାହାର ଉତ୍ତର ଦିଅନ୍ତୁ ସରକାର । ମୁଖ୍ୟମନ୍ତ୍ରୀ ନିରବ କାହିଁକି ? ଏବେ ଅଭିଯୁକ୍ତକୁ ପାଗଳ କହି ତଦନ୍ତ କରୁଛନ୍ତି । ଧିରେଧିରେ ମାମଲା ଚାପି ଦେବେ । ହତ୍ୟାକାଣ୍ଡ ପଛର କାରଣ ଉପରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲି କୁହନ୍ତୁ । ନହେଲେ ଏସ୍ଆଇଟି କିମ୍ବା ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ ।" କଂଗ୍ରେସ ଏ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଭଳି ଜଣେ ହାଇ ପ୍ରୋଫାଇଲ ନେତାଙ୍କୁ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଯେଉଁଭଳି ଗୁଳି କରି ଜଣେ ପୋଲିସ ଅଧିକାରୀ ମାରିଲେ, ତାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ମନ୍ତ୍ରୀଙ୍କୁ ବ୍ରଜରାଜନଗରରୁ ଏୟାରଲିଫ୍ଟ କରି ଭୁବନେଶ୍ବର ଆପୋଲୋ ହସ୍ପିଟାଲ ନିଆଯାଇଥିଲା । ଆପୋଲୋ ହସ୍ପିଟାଲରେ ଡାକ୍ତରଙ୍କ ଚେଷ୍ଟା ସତ୍ତ୍ବେ ମନ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା । ନବ ୨୦୦୯ରୁ ୨୦୧୪ ଝାରସୁଗୁଡ଼ାରେ କଂଗ୍ରେସରୁ ବିଧାୟକ ଥିଲେ । ୨୦୧୯ରେ ବିଜେଡିରୁ ପ୍ରାର୍ଥୀ ହୋଇ ଜିତିଥିଲେ । ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଥିଲେ ଦିବଙ୍ଗତ ନବ ଦାସ ।
ଇଟିଭି ଭାରତ, ଭୁବନେଶ୍ବର