ଖୋର୍ଦ୍ଧା: ଓଡ଼ିଆ ସଂସ୍କୃତି ଓ ପରମ୍ପରାର ବର୍ତ୍ତାବହ ପଟ୍ଟଚିତ୍ର । ଏହି ସୁନ୍ଦର ପଟ୍ଟଚିତ୍ର ଖାଲି ଆମ ରାଜ୍ୟରେ ନୁହେଁ ଦେଶ ବିଦେଶରେ ମଧ୍ୟ ସାଉଁଟିଛି ପ୍ରଶଂସା । ସିଲକ କପଡା ଉପରେ ଓଡ଼ିଶାର କଳା ସାହିତ୍ୟ ,ସଂସ୍କୃତି ଓ ବିଭିନ୍ନ ଦେବଦେବୀଙ୍କ ସୁନ୍ଦର ସୁନ୍ଦର ଚିତ୍ର ସତରେ ମନକୁ ବେଶ ବିମୋହିତ କରିଥାଏ । ମହିଳାମାନେ ପିନ୍ଧୁଥିବା ସୂତା ଶାଢୀରେ ବି ଝଲସି ଉଠେ ନିଖୁଣ ପଟ୍ଟଚିତ୍ରର କାରିଗରୀ । ଶିଳ୍ପୀର ହାତ ସ୍ପର୍ଶରେ ନିର୍ଜୀବ କପଡାର ପଟ୍ଟଚିତ୍ର ହୋଇଉଠେ ଜୀବନ୍ତ । ଏହି ପଟ୍ଟଚିତ୍ରକୁ ଓଡିଶାରେ ଅନେକ ନାଁ କରିଛନ୍ତି । ସେଇ କଳାର ଯାଦୁଗର ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଧଳାପଥର ଗ୍ରାମର ରମେଶ ସାହୁ ହେଲେ ଅନ୍ୟତମ । ସେ ତୁଳୀର ସ୍ପର୍ଶରେ କପଡାରେ ଚିତ୍ର ଆଙ୍କିବା ସହିତ ଅନେକଙ୍କୁ ମାଗଣାରେ ତାଲିମ ଦେଇଛନ୍ତି ଯାହା ତାଙ୍କୁ ପ୍ରଶଂସନୀୟ କରିଛି ।
କୋରୋନା ବି ତାଙ୍କ ହାତକୁ ଅଟକାଇ ପାରିନାହିଁ । ଦିନରାତି ତାଙ୍କ ହାତ ସ୍ପର୍ଶରେ ଜନ୍ମ ହୋଇଛି ଭଳି କି ଭଳି ପଟ୍ଟଚିତ୍ର । ଖାଲି ସେତିକି ନୁଁହ ବିଭିନ୍ନ ଶାଢୀରେ କଳା ସଂସ୍କୃତିର ବାର୍ତ୍ତା ଦେଇ ବେଶ ଆକର୍ଷଣୀୟ କରିପାରନ୍ତି ପଟ୍ଟଚିତ୍ର ଶିଳ୍ପୀ ରମେଶ ଏବଂ ତାଙ୍କ ପତ୍ନୀ ସ୍ନିଗ୍ଧା । କେବଳ କପଡା କି ଶାଢ଼ୀ ନୁହେଁ ବରଂ ନଡ଼ିଆ ପୋଲାଙ୍ଗକୁ ସେ ଦେଇଥାନ୍ତି ଜୀବନ୍ତ ରୂପ । ପଟ୍ଟଚିତ୍ର ମାଧ୍ୟମରେ ଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର ଭିନ୍ନ ଭିନ୍ନ ଚିତ୍ରକଳା କରୁଛନ୍ତି ତ ଆଉ କେତେବେଳେ କୃଷ୍ଣ ଲୀଳା, ନାଟ ଗଣେଶ, ଜଗନ୍ନାଥଙ୍କ ନାଗାର୍ଜୁନ ବେଶ, ତ ପୁଣି ଦଶାବତାର ସହ ଉତ୍କଳ ସଂସ୍କୃତି କଥା । ତାଙ୍କ ପଟ୍ଟଚିତ୍ରରେ ବାରି ହୋଇପଡେ ଗାଁର ବାସ୍ନା । ତାଙ୍କର ଏହି ସ୍ବତନ୍ତ୍ର କାରିଗରୀ ତାଙ୍କୁ ରୋଜଗାର ଦେବା ସହିତ ପ୍ରଶଂସା ବି ଦେଇଛି ।
ରାକେଶ ତାଙ୍କ ଏହି କଳାକୁ ନିଜ ଭିତରେ ସୀମିତ ରଖି ନାହାନ୍ତି । ମାଗଣାରେ ପ୍ରାୟ 40ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଓ ମହିଳାଙ୍କୁ ଦେଇଛନ୍ତି ତାଲି । ଫଳରେ ଅନେକ ବେଶ ଦୁଇପଇସା ରୋଜଗାର କରି ସ୍ବାବଲମ୍ବୀ ହୋଇପାରିଛନ୍ତି । ରେମଶଙ୍କର ଏହି କଳାକୃତ୍ତି ପାଇଁ ସେ ଖାଲି ଆମ ରାଜ୍ୟ ନୁହେଁ ବରଂ ଦିଲ୍ଲୀ, ବମ୍ବେ, ହାଇଦ୍ରାବାଦ ଆଦି ବିଭିନ୍ନ ପଦର୍ଶନୀରେ ଭାଗ ନେଇ ହୋଇଛନ୍ତି ପୁରସ୍କୃତ ହୋଇଛନ୍ତି । ସେଠାରେ ତାଙ୍କ କଳା ଦେଖି ଦେଶ ବିଦେଶରୁ କାମ ପାଇଁ ଅର୍ଡର ମଧ୍ୟ ଆସୁଛି । ରମେଶଙ୍କର ପ୍ରତ୍ୟେକଟି କାର୍ଯ୍ୟ ଦେଖିଲେ ସତେ ଯେମିତି ଆଖି ଝଲସି ଉଠେ । କେବଳ ସୁନ୍ଦର ଚିତ୍ର ନୁହେଁ ଗାଁ ମାଟିର କାହାଣୀ ମଧ୍ୟ ସ୍ଥାନ ପାଉଛି ତାଙ୍କ କଳାରେ । ଆଗକୁ ଯେପରି ଏହି କଳାକୃତ୍ତିର ପ୍ରଚାର ପ୍ରସାର ହେଉ ସେ ଦିଗରେ ପ୍ରୟାସ ଜାରି ରଖିଛନ୍ତି ଶିଳ୍ପୀ ରମେଶ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ