ଖୋର୍ଦ୍ଧା: ଧୁମଧାମରେ ପାଳନ ହେଲା ପଞ୍ଚୁଦୋଳ ମେଳଣ । ଦୋଳ ଯାତ୍ରାର ବଡ଼ ପର୍ବ ପଞ୍ଚୁଦୋଳ ମେଳଣ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ବୋଲଗଡ଼ ବ୍ଲକ ବାଙ୍କୋଇ ଗ୍ରାମ ମେଳଣ ପଡ଼ିଆରେ ଆଡ଼ମ୍ବର ଭାବେ ପଞ୍ଚୁଦୋଳ ମେଳଣ ପାଳିତ ହୋଇଛି।
ଏହି ମେଳଣରେ ୨୭ ମୌଜାର ଆରାଧ୍ୟ ଦେବତା ବାବା ତାରେଶ୍ବର ଦେବ ଆଟପ ପଟୁଆରରେ ଆସି ମେଳଣ ପଡ଼ିଆରେ ପହଞ୍ଚିଥିଲେ। ପରେ ଆଖପାଖ ଗ୍ରାମରୁ ଦେବାଦେବୀଙ୍କୁ ଆମନ୍ତ୍ରିତ କରିଚଉଦୋଳ ବିମାନରେ ବସାଇ ମେଳଣ ପଡ଼ିଆକୁ ପୋଛେଟି ଅଣାଯାଇଥିଲା । ପାରମ୍ପରିକ ରୀତିନୀତି ପୂଜାର୍ଚ୍ଚନା ହୋଇଥଲା । ଦେବାଦେବୀଙ୍କ ମଧ୍ୟାହ୍ନ ଓ ସନ୍ଧ୍ୟା ଧୂପ ଲାଗି କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ତଥା ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ଦୋଳ ବିମାନରେ ବିଜେ ପ୍ରତିମାଙ୍କୁ ଦର୍ଶନ କରିଥିଲେ ।
କୋରୋନା କଟକଣା କୋହଳ ହେବା ପରେ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ସେହିପରି ବେଗୁନିଆର ସିମୋର ଏବଂ ଲେଖନପୁର ଗ୍ରାମରେ ମଧ୍ୟ ବେଶ ଧୁମଧାମରେ ଦୋଳ ମେଲଣ ଆୟୋଜିତ ହୋଇଛି । ରୀତିନୀତି ଅନୁସାରେ ଦେବାଦେବୀଙ୍କ ପୂଜାର୍ଚ୍ଚନା ସରିବା ପରେ ଅବିର ଖେଳି ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଓ ନିଜ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ