ଭୁବନେଶ୍ବର: 10 ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ପୁଣି ଗର୍ଜିଲେ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ । ଆଜି (ସୋମବାର) ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରିବାକୁ ଡାକରା ଦେଇଛି ମହାସଂଘ । ଦୀର୍ଘ ଦିନ ହେଲା ବିଭିନ୍ନ ଦାବି ନେଇ ସରକାରଙ୍କୁ ମହାସଂଘ ପକ୍ଷରୁ ଅବଗତ କରାଯାଉଥିଲା । ହେଲେ ଦାବି ପୂରଣ କରିବାରେ ସରାକର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ମହାସଂଘ ଅଭିଯୋଗ କରିଛି । ଏହାକୁ ପ୍ରତିବାଦ କରି ଦୁଇ ଦିନ ହେଲା ମହାସଂଘର ୩୦ ହଜାରରୁ ଅଧିକ କର୍ମଚାରୀ ଧାରଣା ଦେଇଛନ୍ତି । ମହାସଂଘର ଆବାହକ ପ୍ରଭାତ ମହାନ୍ତିଙ୍କ ନେତୃତ୍ବରେ ହଜାର ହଜାର କର୍ମୀ ମାଷ୍ଟରକ୍ୟାଣ୍ଟିନର ଗାନ୍ଧୀ ମାର୍ଗ ଠାରେ ମୋବାଇଲ ଲାଇଟ୍ ଲଗାଇ ପ୍ରତିବାଦ କରିଛନ୍ତି । ଏହାରି ମଧ୍ୟରେ ୧୦ ଜଣ କର୍ମଚାରୀ ଅସୁସ୍ଥ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସଂଘ ପକ୍ଷକୁ କୁହାଯାଇଛି ।
ସେମାନଙ୍କ ମଧ୍ୟରୁ ୭ ଜଣ ସୁସ୍ଥ ହୋଇଥିବା ବେଳେ ଆଉ ୩ ଜଣ ବର୍ତ୍ତମାନ ପର୍ଯ୍ୟନ୍ତ ଚିକିତ୍ସାଧୀନ ଅଛନ୍ତି । ଆଉଟ୍ ସୋର୍ସିଂ କର୍ମଚାରୀ ସଂଘର ସଭାପତି ସଞ୍ଜୟ ପଟ୍ଟନାୟକ କହିଛନ୍ତି, ଆନ୍ଦୋଳନ କରିବା ପୂର୍ବରୁ ସରକାରଙ୍କୁ ଏ ବାବଦରେ ଜଣାଇ ଦିଆଯାଇଛି । ଏହା ଭିତରେ କୌଣସି ଆଲୋଚନା ହୋଇନାହିଁ । ତେଣୁ ଗତ ଶନିବାପ ଠାରୁ ଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି ଆଉଟ୍ ସୋର୍ସିଂ କର୍ମଚାରୀ ସଂଘ। କୌଣସି କର୍ମଚାରୀ ଆଜି ସରକାରୀ କାର୍ଯ୍ୟ କରିବେ ନାହିଁ । ରାଜରାସ୍ତାରେ ବସି ରହିବେ ସମସ୍ତ କର୍ମଚାରୀ । ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ସଭାପତି କହିଛନ୍ତି ।
ତେବେ ସ୍ଥାୟୀ ନିଯୁକ୍ତି ପର୍ଯ୍ୟନ୍ତ ସର୍ବନିମ୍ନ ଦରମା ଦିଆଯାଉ ଭଳି ୧୦ଟି ଦାବି ରହିଛି । ଦାବି ଗୁଡିକ ହେଲା ସ୍ଥାୟୀ ନିଯୁକ୍ତି ସହିତ ବର୍ଗ ଅନୁସାରେ ୪୦ରୁ ୨୧ ହଜାର ଟଙ୍କା ଦରମା, ପୁନଃନିଯୁକ୍ତି, ବାର୍ଷିକ ଦରମା ବୃଦ୍ଧି, ମହିଳା କର୍ମଚାରୀଙ୍କୁ ପ୍ରସୂତିକାଳୀନ ଛୁଟି ଆଦି ୧୦ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଅନ୍ୟପଟେ ଆବାହକ ପ୍ରମୋଦ ମହାନ୍ତି କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶିକ୍ଷା, ସ୍ବାସ୍ଥ୍ୟ, ସଫେଇ, ଇଞ୍ଜିନିୟରିଂ ଭଳି ବିଭିନ୍ନ ବର୍ଗର ଆଉଟ୍ ସୋର୍ସିଂ କର୍ମଚାରୀ ଏହି ଆନ୍ଦୋଳନରେ ଯୋଗ ଦେଇ ଦୁଇ ଦିନ ହେଲା ଗାନ୍ଧୀମାର୍ଗରେ ପ୍ରତିବାଦ କରିଛନ୍ତି । କେବଳ ସରକାରଙ୍କର ପ୍ରତିଶ୍ରୁତିର ପ୍ରତାରଣା ବିରୋଧରେ ଏହି ଆନ୍ଦୋଳନ କରାଯାଉଛି । ଯେପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ନ ମିଳିଛି ସେ ପର୍ଯ୍ୟନ୍ତ ଏହି ସ୍ଥାନ ଛାଡ଼ିବୁ ନାହିଁ ବୋଲି କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର