ଭୁବନେଶ୍ବର: ରାଜଧାନୀର ରାଜରାସ୍ତାରେ ଗର୍ଜିଲେ ଶିକ୍ଷକ । ୨ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଓଡ଼ିଶା ମାଧ୍ୟମିକ ସ୍ୱତନ୍ତ୍ର ଶିକ୍ଷା ଶିକ୍ଷକ ସଂଘ(Odisha Secondary Special Education Teacher Associaton) । ଭୁବନେଶ୍ୱର ଲୋୟର ପିଏମଜିରେ ଶତାଧିକ ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ଧାରଣାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରତି ସାଧାରଣ ସରକାରୀ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରତି ୧୫ ଜଣ ବିଶେଷ ଆବଶ୍ୟକତା ରଖୁଥିବା ପିଲାମାନଙ୍କ ପାଇଁ ଗୋଟିଏ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବି କରିଛି ସଂଘ ।
ଏନେଇ ବାରମ୍ବାର ଗଣଶିକ୍ଷା ବିଭାଗ ଏବଂ ବିଭାଗୀୟ ମନ୍ତ୍ରୀମାନଙ୍କୁ ଦାବିପତ୍ର ଦେଇ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ଆଜି ସ୍ୱତନ୍ତ୍ର ଶିକ୍ଷା ଶିକ୍ଷକ ସଂଘ ପକ୍ଷରୁ ରାଜରାସ୍ତାରେ ବିକ୍ଷୋଭ କରାଯାଇଛି । ଦାବି ନେଇ ଆଗାମୀ ଦିନରେ ଯଦି ସରକାର କୌଣସି ସମାଧାନ ନ କରନ୍ତି, ତେବେ ଆତ୍ମହତ୍ୟା କରିବା ନେଇ ଚେତାବନୀ ଦେଇଛନ୍ତି ଦିବ୍ୟାଙ୍ଗ ପ୍ରତିବାଦକାରୀ ।
ସୂଚନା ଅନୁଯାୟୀ, ରାଜ୍ୟରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବା ନେଇ ଏକ ବର୍ଷ ହେଲା ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ମଧ୍ୟ କୌଣସି ନିଯୁକ୍ତି ହୋଇପାରିଲା ନାହିଁ । ବାରମ୍ବାର ଆଶାୟୀ ସ୍ଵତନ୍ତ୍ର ଶିକ୍ଷକମାନେ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ହୋଇପାରିନାହିଁ । ଏନେଇ ଜଣେ ଆଶାୟୀ କହିଛନ୍ତି, "ମୁଁ ସ୍ବତନ୍ତ୍ର ବିଏଡ୍ କରିଛି । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ୧୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରାଯିବ । ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ପ୍ରତି ୧୫ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରାଯିବ ।"
ଏହା ମଧ୍ୟ ପଢନ୍ତୁ: ORHDC Scam: ବିନୋଦ କୁମାରଙ୍କୁ ହାଇକୋର୍ଟରୁ ଜାମିନ
"ସୁପ୍ରିମକୋର୍ଟର ଏହି ନିୟମକୁ ଆସନ୍ତାକାଲି ଏକ ବର୍ଷ ପୂରଣ ହେବ । ଅନେକ ରାଜ୍ୟରେ ଏହି ନିୟମ ଅନୁସାରେ ଶିକ୍ଷକ ନିଯୁକ୍ତି କରାଯାଇଛି । ଏନେଇ ବାରମ୍ବାର ଗଣଶିକ୍ଷା ବିଭାଗ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି । କିନ୍ତୁ କୌଣସି ସୁଫଳ ମିଳିପାରିନାହିଁ । ଆଗାମୀ ଦିନରେ ସରକାର କୌଣସି ନିଷ୍କର୍ସ ନକାଢ଼ନ୍ତି ତେବେ ଆତ୍ମହତ୍ୟା ଭଳି ଚରମ ପନ୍ଥା ଆପଣେଇବୁ ।"
ଇଟିଭି ଭାରତ, ଭୁବନେଶ୍ବର