ଭୁବନେଶ୍ବର: ଗ୍ରାମାଞ୍ଚଳରେ ରହିଛି ବିଭିନ୍ନ କୃଷକ ଉତ୍ପାଦକ ସଂଗଠନ । ମହିଳା ନେତୃତ୍ୱାଧୀନ କୃଷକ ଉତ୍ପାଦକ ସଂଗଠନର ସାମାଜିକ ଏବଂ ଆର୍ଥିକ ବିକାଶ, ଉତ୍ପାଦକ ସଦସ୍ୟାଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ, ଉତ୍ପାଦ ପ୍ରସ୍ତୁତି ଏବଂ ଏ ସମ୍ପର୍କିତ ଆନୁଷଙ୍ଗିକ ସୁବିଧା ସୁଯୋଗ ପ୍ରଦାନ ପାଇଁ ନିଆଯାଉଛି ପଦକ୍ଷେପ । ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ନିରବିଛିନ୍ନ ଭାବେ ପ୍ରୟାସ ଚଳାଇଛି । ଏହି କ୍ରମରେ ଓରମାସ ତରଫରୁ ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀଙ୍କ ଉପସ୍ଥିତରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । ଓରମାସ ତରଫରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟ ବରିଷ୍ଠ ଅଧିକାରୀ, ଓରମାସର ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ମହିଳା ନେତୃତ୍ୱାଧୀନ କୃଷକ ଉତ୍ପାଦକ ସଂଗଠନର ବୋର୍ଡ ଅଫ ଡାଇରେକ୍ଟର୍ସ ସଦସ୍ୟା ଉପସ୍ଥିତ ଥିଲେ ।
ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁମ୍ୱାଇର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ପ୍ୟାକେଜିଂ, ଗୁଜରାଟ ଗାନ୍ଧିନଗରର ନ୍ୟାସନାଲ ଇନୋଭେସନ ଫାଉଣ୍ଡେସନ, ଲକ୍ଷ୍ନୌର ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ମେଡିସିନାଲ ଆଣ୍ଡ ଆରୋମାଟିକ ପ୍ଲାଣ୍ଟ (ସିମାପ) ଏବଂ ଭୁବନେଶ୍ୱରର ଫାଇଟୋବାୟକ୍ସ ସଂସ୍ଥା ସହିତ ଏହି ବୁଝାମଣାପତ୍ର ଗୁଡ଼ିକ ସ୍ୱାକ୍ଷରିତ ହୋଇଛି । ଗ୍ରାମୀଣ ଉତ୍ପାଦକମାନଙ୍କର ଦକ୍ଷତା ବିକାଶ, ସାମାଜିକ ଏବଂ ଆର୍ଥିକ ବିକାଶ ସହ ତୃଣମୂଳସ୍ତରରେ ନୂତନ ଉତ୍ପାଦର ଉଦଭାବନ, ସେଗୁଡ଼ିକର ଅଭିବୃଦ୍ଧି ଏବଂ ସୁଯୋଗ ସୃଷ୍ଟି କରିବା ଏହି ବୁଝାମଣା ପତ୍ରର ମୁଖ୍ୟ ଉଦ୍ଦେଶ୍ୟ ।
ଏହା ବି ପଢନ୍ତୁ...ବନ୍ୟପ୍ରାଣୀ ସୁରକ୍ଷା ସହ ଜୀବିକା ନିର୍ବାହ କାର୍ଯ୍ୟକ୍ରମ ଆବଶ୍ୟକ
ବୁଝାମଣାପତ୍ର:-
ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ପ୍ୟାକେଜିଂ, ମୁମ୍ୱାଇ ସହିତ ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁସାରେ ଗ୍ରାମୀଣ ସାମଗ୍ରୀ ଗୁଡ଼ିକର ମୂଲ୍ୟ ବୃଦ୍ଧି ଓ ରପ୍ତାନି କାରବାର ବଢ଼ାଇବା । ଏଥିପାଇଁ ଗ୍ରାମୀଣ କୃଷକ ଉତ୍ପାଦକ ସଂଗଠନ ଉଦ୍ୟୋଗ ସମୂହକୁ ସାମଗ୍ରୀର ଉତ୍ତମ ପ୍ୟାକେଜିଂ ପ୍ରକ୍ରିୟା ସମ୍ପର୍କିତ ଦକ୍ଷତା ବିକାଶ ତାଲିମ ପ୍ରଦାନ କରିବା ।
ସେହିପରି ଗୁଜରାଟ ଗାନ୍ଧିନଗର ନ୍ୟାସନାଲ ଇନୋଭେସନ ଫାଉଣ୍ଡେସନ ସହିତ ହୋଇଥିବା ବୁଝାମଣାପତ୍ର ଅନୁସାରେ ଓରମାସ ଇନକ୍ୟୁବେସନ ସେଣ୍ଟର ମାଧ୍ୟମରେ ଗୋଷ୍ଠୀସ୍ତରୀୟ ଅନୁଷ୍ଠାନ ପାଇଁ ଉନ୍ନତମାନର ବୈଷୟିକ ହସ୍ତକ୍ଷେପ ଏବଂ ଯନ୍ତ୍ରପାତି ଯୋଗାଇ ଦେବ । ଏହି କ୍ରମରେ ଏଥିରେ ମୁଖ୍ୟ ହସ୍ତକ୍ଷେପ ଭାବେ ସିଆଳି ଏବଂ କଦଳୀ ପଟୁଆରୁ ପ୍ରସ୍ତୁତ ସାମଗ୍ରୀ ଅନ୍ତର୍ଭୁକ୍ତ ।
ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ମେଡିସିନାଲ ଆଣ୍ଡ ଆରୋମାଟିକ ପ୍ଲାଣ୍ଟ୍(ସିମାପ), ଲକ୍ଷ୍ନୌ ସହିତ ଲେମନ ଗ୍ରାସ ଭଳି ଅନ୍ୟ ସୁଗନ୍ଧିତ ଏବଂ ଔଷଧୀୟ ଚାରା ଉତ୍ପାଦନ ବୃଦ୍ଧି କରିବା । ସେଥିରେ ମୂଲ୍ୟ ଯୋଗ ପାଇଁ ଆବଶ୍ୟକ ବୈଷୟିକ ସହାୟତା ପ୍ରଦାନ କରିବା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ଭୁବନେଶ୍ୱରର ଫାଇଟୋବାୟକ୍ସ ମାନ୍ୟୁଫାକ୍ଚରର ସଂସ୍ଥା ସହିତ ଜ୍ଞାନକୌଶଳର ସହଭାଗିତା ଏବଂ ଗ୍ରାମୀଣ ଓ ଆଦିବାସୀ ଉତ୍ପାଦକଙ୍କ ଆର୍ଥିକ ବିକାଶ ପାଇଁ ସେମାନଙ୍କ ଦ୍ୱାରା ଉତ୍ପାଦିତ ଔଷଧୀୟ ଓ ସୁଗନ୍ଧିତ ଉତ୍ପାଦ ଗୁଡ଼ିକୁ ବିକ୍ରି କରିବା ସୁଯୋଗ ନେଇ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର