ଭୁବନେଶ୍ବର: ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ନେଇ ସନ୍ଦେହ ପ୍ରକାଶ କରିଛି କଂଗ୍ରେସ । ମୃତ୍ୟୁ ସଂଖ୍ୟାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ସ୍ପଷ୍ଟୀକରଣ ଦେଲେ ବି ଗ୍ରହଣ କରୁନାହାନ୍ତି ବିରୋଧୀ । ଦୁର୍ଘଟଣାରେ ପଶ୍ଚିମବଙ୍ଗ ଓ ବିହାର ନାଗରିକ ନିଖୋଜ ନେଇ ଅଭିଯୋଗ ଉଠାଇବା ପରେ ଓଡିଶା ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଦୁର୍ଘଟଣା ଦିନରୁ ରାଜ୍ୟ ସରକାରଙ୍କ ହଁ ରେ ହଁ ମିଳାଉଥିବା ବିଜେପି ମଧ୍ୟ ସଂଖ୍ୟାକୁ ନେଇ ସନ୍ଦେହ ପ୍ରକାଶ କରିଛି ।
'ବଗିରୁ ଦୁର୍ଗନ୍ଧ ବାହାରୁଛି, ମୃତଦେହ ଥାଇପାରେ': କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି, "ଅନେକ ତଥ୍ୟ ଲୁଚା ଯାଉଛି । ମୃତ୍ୟୁସଂଖ୍ୟା ଲୁଚା ଯାଉଛି । ସର୍ବସାଧାରଣ ଯାହା ଜାଣିବା କଥା ତାହା ସେମାନଙ୍କଠାରୁ ଲୁଚାଇ ରଖାଯାଉଛି । ଏହାକୁ ଆମେ କଡା ଭାଷାରେ ନିନ୍ଦା କରୁଛୁ । ଏଥିରେ ରାଜନୀତିକରଣ କଥା କିଛି ନାହିଁ । ସ୍ଥାନୀୟ ଲୋକଙ୍କ କହିବା କଥା ଆଜି ବି କିଛି ବଗିରୁ ଦୁର୍ଗନ୍ଧ ବାହାରୁଛି । ବଗି ଭିତରେ ମୃତଦେହ ଥିବା ସନ୍ଦେହ ହେଉଛି । ବଗି ଭିତରୁ ମୃତଦେହ ଉଦ୍ଧାର କରିବାର ଆବଶ୍ୟକତା ରହିଛି । ସତ୍ୟତା ଲୋକ ଲୋଚନକୁ ଆସିବା ଦରକାର । ମୃତ୍ୟୁର ଉଚିତ ସଂଖ୍ୟା ଦେବାର ଆବଶ୍ୟକତା ରହିଛି ।
'ମୃତ୍ୟୁ ସଂଖ୍ୟା ଆଉ ଅଳ୍ପ ବଢିପାରେ': ସେପଟେ ବିଜେପି ବିଧାୟକ ଭୂଦାନ ମୁର୍ମୁ କହିଛନ୍ତି, "ପ୍ରମାଣ ଆଧାରିତ କୌଣସି ଅଭିଯୋଗ ନାହିଁ । ବିରୋଧୀ ତାଙ୍କ କଥା କହିବେ । ତାଙ୍କ ପାଟିରେ ବାଡ଼ବତା ଦେଇପାରିବା ନାହିଁ । ହଁ, କିଛି ନମ୍ବର ଏପଟ ସେପଟ ହୋଇପାରେ । କିନ୍ତୁ ଅଧିକାଂଶ ତଥ୍ୟ ଲୋକଲୋଚନକୁ ଆସିଛି । ନ୍ୟାୟ ସଂଗତ କଥା, ସେବା ଓ କାର୍ଯ୍ୟରେ ଅବହେଳାର ନମୂନା ନାହିଁ । ମୃତ୍ୟୁସଂଖ୍ୟା ବଢିବା ଅସମ୍ଭବ କଥା ନୁହେଁ । ଡବା ଭିତରେ କିଛି ଥିବା ସନ୍ଦେହ କରାଯାଉଛି । ଦୁର୍ଗନ୍ଧ ହେଉଥିବାରୁ ମୃତ୍ୟୁ ସଂଖ୍ୟା ଆଉ ଅଳ୍ପ ବଢିପାରେ । କିଛି ଲୋକ ଚିକିତ୍ସିତ ହେଉଛନ୍ତି, ସେ ଦୃଷ୍ଟିରୁ ମଧ୍ୟ ଆଉ କିଛି ସଂଖ୍ୟା ବଢ଼ିପାରେ । ଅନେକ ରିପୋର୍ଟ ଆସୁଛି । ୨୭୫, ୨୮୮ ଓ ୩୦୦ ଉପରେ ରିପୋର୍ଟ ଆସିଛି । ସଠିକ ତଥ୍ୟ ଗଣମାଧ୍ୟମ ଜରିଆରେ ବାହାରି ପାରିବ । ଯେତିକି ଲାଗୁଛି ଆପ୍ରୋକ୍ସ ନମ୍ବର ଆସୁଛି । କିଛି ବଗି ବର୍ତ୍ତମାନ ସୁଦ୍ଧା ଉଠିପାରି ନାହିଁ । ତେଣୁ ତାହା ଭିତରେ କିଛି ମୃତଦେହ ଥିବ ବୋଲି ଆଶଙ୍କା ପ୍ରକାଶ ପାଉଛି । ଧୀରେଧୀରେ ସବୁ ଲୋକ ଲୋଚନକୁ ଆସିଯିବ ।"
'ରାଜ୍ୟ ସରକାର ଠିକ ଢଙ୍ଗରେ କାମ କରୁଛନ୍ତି': ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ସେ କହିଛନ୍ତି, "ଅଭିଯୋଗ ଭିନ୍ନ କଥା । ରାଜ୍ୟ ସରକାରଙ୍କ ଉଦ୍ଧାର କାର୍ଯ୍ୟକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପ୍ରସଂଶା କରିଛନ୍ତି । ଯେଉଁମାନେ ଉଦ୍ଧାର କାର୍ଯ୍ୟ କରିଛନ୍ତି, ପ୍ରଶାସନିକ ତତ୍ପରତା, ଡାକ୍ତରଙ୍କ ସେବା । ଏହି ବିପର୍ଯ୍ୟୟରେ ଓଡ଼ିଶା ସୁନାମ ଆଣିଛି । ଯେଉଁମାନଙ୍କ ପତ୍ତା ବର୍ତ୍ତମାନ ଯାଏଁ ମିଳିନି, ସେମାନଙ୍କୁ ସରକାର ଖୋଜି ବାହାର କରିବେ । ସେ ଲୋକ ଆସିଛନ୍ତି ନା ନାହିଁ, ସେମାନେ ବୁଝିବା କଥା । ତାର ଦାୟିତ୍ବ ସେମାନେ ନେବା ଉଚିତ । ରାଜ୍ୟ ସରକାର ସବୁ ଠିକ ଢଙ୍ଗରେ କାମ କରୁଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର