ଭୁବନେଶ୍ବର: ଓଡିଶାରେ ଜାତିଭିତ୍ତିକ ଜନଗଣନା ନେଇ ଜୋର ଧରିଲା ଦାବି । ସୋମବାର ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ବିହାର ଓ ରାଜସ୍ଥାନ ଭଳି ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା କରାଯିବା ପାଇଁ ଦାବି କରିଛନ୍ତି । ଯେତେବେଳେ କି ବିହାର ସରକାର ଜାତିଭିତ୍ତିକ ଜନଗଣନା କରିସାରିଛନ୍ତି ଏବଂ ଶନିବାର ଦିନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ତାଙ୍କ ରାଜ୍ୟରେ ଜାତିଭିତ୍ତିକ ଜନଗଣନା ଶେଷ ହେଉଛି ବୋଲି ପ୍ରକାଶ କରିଛନ୍ତି, ତେବେ ଓଡ଼ିଶାର ଶାସକ ବିଜୁ ଜନତା ଦଳ କେବେ ଜନଗଣନା ପ୍ରକ୍ରିୟା କରିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ଆମ ଜନସଂଖ୍ୟାରେ ସଂପୂର୍ଣ୍ଣ ସାମାଜିକ ଓ ଅର୍ଥନୈତିକ ଚିତ୍ର ସ୍ପଷ୍ଟତା ପାଇଁ ପାଇବାକୁ ଆମ କଂଗ୍ରେସ ଦଳ ଦୀର୍ଘ ଦିନରୁ ଦାବି କରିଆସୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଏହି ପ୍ରସଙ୍ଗରେ କେବଳ କଥାବାର୍ତ୍ତା କରି ଚୁପ୍ ରହୁଛନ୍ତି କାହିଁକି ? ଯଦି ବିଜେଡ଼ି ସରକାର ଜାତିଭିତ୍ତିକ ଜନଗଣନା କରିବାରେ କୌଣସି ଆଗ୍ରହ ଦେଖାଏ ନାହିଁ ତେବେ ୨୦୨୪ ମସିହାରେ କଂଗ୍ରେସ ଶାସନ କ୍ଷମତାକୁ ଆସିବା ପରେ ରାଜ୍ୟରେ ତୁରନ୍ତ ଜାତିଭିତ୍ତିକ ଜନଗଣନା କରାଯିବ ବୋଲି ଶରତ ପଟ୍ଟନାୟକ ଅତି ଦୃଢ଼ତାର ସହ କହିଛନ୍ତି ।
ଜାତିଭିତ୍ତିକ ସର୍ଭେ ପାଇଁ ଏକ ସଂକଳ୍ପ ପାରିତ କରିବାକୁ ଓଡ଼ିଶା ବିଧାନସଭାରେ ଏକ ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଡକାଇବାକୁ ଓପିସିସି ସଭାପତି ଦାବି କରିଛନ୍ତି । ସେ କହିଛନ୍ତି ନବୀନ ସରକାର ତୁରନ୍ତ ଓଡ଼ିଶା ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡକାଇ ବିହାର ଏବଂ ରାଜସ୍ଥାନ ଶୈଳୀରେ ଜାତିଭିତ୍ତିକ ସର୍ଭେ କରିବାକୁ ସର୍ବସମ୍ମତି କ୍ରମେ ବିଧେୟକ ପାରିତ କରାନ୍ତୁ । ବିହାର ସରକାର ଜାତିଗଣନା ରିର୍ପୋଟ ଗାନ୍ଧୀ ଜୟନ୍ତୀରେ ପ୍ରକାଶ କରିଥିଲେ । ତତ୍ଦ୍ୱାରା ବିହାର ସରକାର ବିଭିନ୍ନ ଜାତି ଓ ବର୍ଗଙ୍କର ଆର୍ଥିକସ୍ଥିତି ଏବଂ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇପାରିଲେ । ଯଦ୍ବାରା କି ନିର୍ଦ୍ଧିଷ୍ଟ ବର୍ଗଙ୍କର ସାମଗ୍ରିକ ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇ ପାରିବ । ଏହା ସରକାରଙ୍କୁ ସମସ୍ତ ଜାତିର ବିକାଶ ପାଇଁ ଯୋଜନା ଓ ନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ବୋଲି ଶରତ କହିଛନ୍ତି ।
ଏହାମଧ୍ୟ ପଢନ୍ତୁ: ରାଜ୍ୟରେ ତେଜିଲାଣି OBC ରାଜନୀତି; ପଛୁଆ ବର୍ଗଙ୍କ ପାଇଁ ସରକାରଙ୍କ ଦରଦ ନାହିଁ କହିଲା କଂଗ୍ରେସ
ବାସ୍ତବରେ ବିହାର ସରକାରଙ୍କ ସଂପର୍କିତ ଜାତି ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ୁଛି ଯେ, ବିହାରର ୬୩ ପ୍ରତିଶତରୁ ଅଧିକ ଅନ୍ୟ ପଛୁଆବର୍ଗ (ଓବିସି) ଏବଂ ଅତ୍ୟଧିକ ପଛୁଆବର୍ଗ (ଇବିସି) ରହିଛନ୍ତି । କିନ୍ତୁ ଆମ ଓଡ଼ିଶାରେ ପଛୁଆବର୍ଗ ଓ ଅତ୍ୟଧିକ ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ପଛୁଆ ବର୍ଗଙ୍କ ତାଲିକା ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପାଖରେ ନାହିଁ । ନିକଟରେ ଓଡ଼ିଶା ସରକାର ଓବିସି କମିଶନଙ୍କ ଦ୍ୱାରା ସର୍ଭେ କରାଯାଇଥିବା ରିପୋର୍ଟରେ କୁହାଯାଇଛି । ରାଜ୍ୟରେ ୪୩ ପ୍ରତିଶତ ଓବିସି ଅଛନ୍ତି ବୋଲି କିନ୍ତୁ କମିଶନଙ୍କ ଦ୍ବାରା କୌଣସି ଘରକୁ ଘର ବୁଲି ସର୍ଭେ କରାଯାଇନଥିବାରୁ ଏହି ରିପୋର୍ଟ ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ।
ଓବିସି ଲୋକଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସେମାନଙ୍କର ଜାତି ରେକର୍ଡ଼ ଦାଖଲ କରିବାକୁ କୁହାଯାଇଥିଲା । ଏଭଳି ଢ଼ଙ୍ଗରେ କୌଣସି ସର୍ଭେ କରାଯାଏ ନାହିଁ ବୋଲି ପଟ୍ଟନାୟକ କହିଛନ୍ତି । ଯଦି ରାଜ୍ୟ ସରକାର ଓଡ଼ିଶାର ଓବିସି ବର୍ଗର ଛାତ୍ର / ଛାତ୍ରୀ, ଯୁବକମାନଙ୍କ ସ୍ବାର୍ଥ ପାଇଁ ତିଳେ ମାତ୍ର ଦରଦ ଅଛି ତେବେ ତୁରନ୍ତ କାଳ ବିଳମ୍ବ ନ କରି ରାଜ୍ୟରେ ଜାତିଭିତ୍ତିକ ଜନଗଣନା ପାଇଁ ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି ପିସିସି ସଭାପତି ।
ଇଟିଭି ଭାରତ, ଭୁବନେଶ୍ବର