ଭୁବନେଶ୍ବର: ଶ୍ରେଣୀଗୃହ ପରିବର୍ତ୍ତେ ରାଜରାସ୍ତାରେ ଶିକ୍ଷକ । ବର୍ଷାରେ ଭିଜି ଭିଜି ଜରି ଓ ଛତା ଧରି କରିଲେ ଆନ୍ଦୋଳନ । ସପ୍ତମ ବେତନରୁ ବାଦପଡ଼ିଥିବା ଶିକ୍ଷକଙ୍କୁ ବାଦ ନ ଦେବାକୁ ଏମାନେ ଦାବି କରିଛନ୍ତି । ଯଦି ଆଗାମୀ ଦିନରେ ଦାବି ପୂରଣ ନ ହୁଏ ତେବେ ଆନ୍ଦୋଳନ ଭୟଙ୍କର ହେବ ବୋଲି ଏମାନେ ଚେତାବନୀ ଦେଇଛନ୍ତି । ଏହାସହ ଆନ୍ଦୋଳନରତ ଶିକ୍ଷକ ସଂଘର ଅନ୍ୟାନ୍ୟ ଦାବି ମଧ୍ୟ ରହିଛି ।
ଆନ୍ଦୋଳନକାରୀଙ୍କ ସୂଚନା ଅନୁଯାୟୀ ୨୦୧୭ ମସିହାରେ ରାଜ୍ୟ ସରକାର ୨୬୦୮ଟି ବିଦ୍ୟାଳୟକୁ ନୂତନ ଭାବରେ ଅନୁଦାନ ପ୍ରଦାନ କରିଥିଲେ । କିନ୍ତୁ ବିଜ୍ଞପ୍ତି ପ୍ରକାଶ ପାଇଲା ବେଳକୁ ସେଥିରେ ଚାକିରୀ ସର୍ତ୍ତାବଳୀ, ଅବସରକଳୀନ ସୁବିଧା, ପେନସନ, ସପ୍ତମ ବେତନ ହାରରେ ଦରମା ଭଳି କୌଣସି ଯୋଜନା ନଥିଲା । ଏହା ପରେ ୨୦୨୧ ମସିହାରେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକୁ ସପ୍ତମ ବେତନ ହାରରେ ଦରମା ପ୍ରଦାନ ଲାଗି କ୍ୟାବିନେଟରେ ନିଷ୍ପତ୍ତି ନିଆଗଲା । କିନ୍ତୁ ସରକାର ଶିକ୍ଷକମାନଙ୍କ ମଧ୍ୟରେ ବିଭାଜନ କରିବା ଲାଗି ୨୨୬ ଓ ୩୯୯ ବର୍ଗ ସ୍କୁଲଗୁଡିକୁ ଅନୁଦାନରୁ ବଞ୍ଚିତ କଲେ ।
ଏହା ବି ପଢନ୍ତୁ- Teachers Agitation: ଶିକ୍ଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ, ଆନ୍ଦୋଳନ ଜାରି ରହିବ
ତେଣୁ ଯୋଗ୍ୟ ବିବେଚିତ ସମସ୍ତ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା ସହ ସପ୍ତମ ବେତନରୁ ବାଦପଡ଼ିଥିବା ବିଦ୍ୟାଳୟମାନଙ୍କୁ ସପ୍ତମ ବେତନ ପ୍ରଦାନ କରିବା ଲାଗି ଦାବି ହୋଇଛି । ଏହାସହ ଅବସର ନେଇଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ପେନସେନ ଓ ଅବସରକାଳୀନ ସୁବିଧା ପ୍ରଦାନ କରିବା ଆଦି ଦାବି ରହିଛି । ସେହିପରି ଭାବରେ ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀକୁ ଖୁବଶୀଘ୍ର ନିଯୁକ୍ତି ଦେବା, ୬୪୮ ବିଦ୍ୟାଳୟକୁ ସରକାରୀ କରଣ କରିବା ସହ ୧୧୦ ବାଳିକା ବିଦ୍ୟାଳୟ ପ୍ରତି କରାଯାଇଥିବା ଅବିଚାରକୁ ଦୂର କରିବା ଦାବି ମଧ୍ୟ ରହିଛି ।
ଏହା ସହ ୨୮୦୦ ଗ୍ରେଡ ପେରେ ଥିବା ଅସଙ୍ଗତି ଦୂରୀକରଣ, ପୁରୁଣା ପେନସେନ ପୁନଃପ୍ରଚଳନ, ଯୋଗ୍ୟତା ଭିତ୍ତିକ ପଦୋନ୍ନତି ପ୍ରଦାନ ଓ ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ଆଦି ଦାବି ନେଇ ଶିକ୍ଷକ ସଂଘ ଜିଦରେ ଅଟଳ ରହିଛି । ତେବେ ଦାବି ପୂରଣ ନହେଲେ ସମସ୍ତ ଶିକ୍ଷାଧିକାରୀ ଅଫିସ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ସଙ୍ଘ ।
କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସେଥିପାଇଁ ସରକାର ଦାୟୀ ରହିବେ ନାହିଁ । ତଥାପି ଯଦି ସରକାର ଆମ କଥା ନଶୁଣନ୍ତି ତେବେ ସମସ୍ତ ଶିକ୍ଷକ ପରିବାର ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସି ରହିବେ । ତେଣୁ ଯେପର୍ଯ୍ୟନ୍ତ ଆମକୁ ଆମର ହକ ନମିଳିଛି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛି ସଂଘ ।
ଇଟିଭି ଭାରତ, ଭୁବନେଶ୍ବର