ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ତାରିଖ ଯେତେ ପାଖେଇ ଆସୁଛି, ଗୋଟିଏ ପଟେ ରାଜ୍ୟବାସୀଙ୍କ ମନରେ ଉତ୍ସାହ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଏହାକୁ ନେଇ ବିବାଦ ସେତେ ବଢ଼ିବାରେ ଲାଗିଛି । ପରିକ୍ରମା ରଥକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଜଗନ୍ନାଥଙ୍କ ନାଁରେ ସରକାରୀ ଅର୍ଥରେ ମୁଖ୍ୟମନ୍ତ୍ରୀ ନିଜର ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ । ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ଶାସକ ଦଳ ।
ଏନେଇ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, " ଯେଉଁଠି ଦେଖିବ କାଗଜ ରଥ । ସୋଲ, ରବରରେ ଜଗନ୍ନାଥ ତିଆରି କରି ବୁଲାଯାଉଛି । ଯଦି ରଥ ବୁଲେଇବାକୁ ଚାହୁଁଛ ଲିମ୍ବ କାଠରେ କର । ଏତେ ଟଙ୍କା ରାଜକୋଷରୁ ଖର୍ଚ୍ଚ କରି ସଂକୀର୍ତ୍ତନ କରି ଲୋକଙ୍କୁ ନିଆଯାଉଛି । ହେଲେ ରଥକୁ ଏଭଳି ଅବସ୍ଥାରେ ବୁଲାଇବା ଲଜ୍ୟାର କଥା । ଜଗନ୍ନାଥଙ୍କୁ ସରକାରୀ ଦଳ ବିଜେଡି ଉପହାସ କରୁଛନ୍ତି । ଏହି ଡ୍ରାମାକୁ ସ୍ବୟଂ ନାରାୟଣ ଘୃଣା କଲେଣି । ଧର୍ମକୁ ଦେଖାଇ ଯେଉଁ ଦଳ ଭୋଟ ଭିକ୍ଷା କରିଛି, ସେ ଧ୍ବଂସ ହୋଇଛନ୍ତି । ମୋଦି ଓ ନବୀନ ରାମ ଓ ଜଗନ୍ନାଥଙ୍କ ମନ୍ଦିରକୁ ନେଇ ପ୍ରହସନ ଚଳାଛନ୍ତି । ଭୋଟ ପାଇଁ ଅର୍ଥ ଧ୍ବଂସ କରୁଛନ୍ତି । ଗାଁ ଗହଳରେ ଲୋକଙ୍କୁ ଟଙ୍କା ଲାଞ୍ଚ ଦେଇ ପୁରୀ ଡାକୁଛନ୍ତି । ପୁରୀ ପାଇଁ କଂଗ୍ରେସ ସମୟରେ ମେରାଇନ ଡ୍ରାଇଭ ହୋଇଛି । ବଡ଼ ଦାଣ୍ଡ ଓ ପିଇବା ପାଣି ବ୍ୟବସ୍ଥା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ହୋଇଛି । କାହିଁ ଏତେ ପବ୍ଲିସିଟି ହୋଇନଥିଲା ।"
ଏହା ବି ପଢନ୍ତୁ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦଳୀୟ କାର୍ଯ୍ୟକ୍ରମ: ରାଜ୍ୟ ବିଜେପି ସଭାପତି
ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, " ଅରୁଆ ଚାଉଳ ଓ ଗୁଆ ମାଗିମାଗି ଅଣୁଛନ୍ତି, ଏହାର ସ୍ପଷ୍ଟତା ଅଛି । ମିଛ ଓ ପ୍ରତାରଣାର କଥା କହି ରାଜ୍ୟ ସରକାର ଲୋକଙ୍କ ଧର୍ମୀୟ ଭାବନା ସହିତ ଖେଳୁଛନ୍ତି । ବିଭିନ୍ନ ବିକାଶମୂଳକ ଯୋଜନା ପାଇଁ ପ୍ରତି ପଞ୍ଚାୟତକୁ ବର୍ଷକରେ 18ରୁ 20 ଲକ୍ଷ ଟଙ୍କା ଦିଆଯାଉଛି । କିନ୍ତୁ ନିଜର ଆତ୍ମ ପ୍ରଚାର ପାଇଁ 2 ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ନବୀନ ବାବୁ ଓ ପାଣ୍ଡିଆନଙ୍କ ଆତ୍ମ ବଡିମା ପାଇଁ ଟଙ୍କା ଖର୍ଚ୍ଚ ହେଉଛି । ବିକାଶ ପାଇଁ ଆନ୍ତରିକତା ଓ ସହଭାଗିତା ନାହିଁ । ଭୋଟ ହାତେଇବା ପାଇଁ 23 ବର୍ଷ ହେଲା ଆତ୍ମ ପ୍ରଚାର ଜାଣିଛନ୍ତି ସରକାର । ସରକାରୀ ପଇସାରେ ଯେଉଁ ଆତ୍ମ ପ୍ରଚାର କରୁଛନ୍ତି, ଲୋକେ ଛି ଛି କହୁଛନ୍ତି । ଲୋକ ଏହାକୁ ଗ୍ରହଣ କାରିବାକୁ ପ୍ରସ୍ତୁତ ନାହାନ୍ତି । କିଛି ସ୍ଥାନରେ ଜଗନ୍ନାଥଙ୍କ ମୂର୍ତ୍ତି ଲଗେଇବା ପରି ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ନବୀନ ଓ ପାଣ୍ଡିଆନଙ୍କ ଫଟୋ ଦେଖି ରଥକୁ ପ୍ରତ୍ୟାଖ୍ୟାନ ଓ ଅନାଦର କରୁଛନ୍ତି । ବିଭିନ୍ନ ସ୍ଥାନରେ ଏଥିପାଇଁ ଗଣ୍ଡଗୋଳ ହେଉଛି । 23 ବର୍ଷର ଆତ୍ମ ପ୍ରଚାରର ଦଣ୍ଡ ଆଗାମୀ ଦିନରେ ଲୋକେ ଦେବେ ।"
ଏହା ବି ପଢନ୍ତୁ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ଆରମ୍ଭ ହେଲା ମହାଯଜ୍ଞ, ଉତ୍ସବମୁଖର ଶ୍ରୀକ୍ଷେତ୍ର
ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଶାସକ ଦଳର ବିଧାୟକ ଉମା ସାମନ୍ତରାୟ । ଉମା କହିଛନ୍ତି ଯେ, ଜଗନ୍ନାଥ ସମସ୍ତଙ୍କର । ଜଗନ୍ନାଥ କେବେ ବାଛ ବିଚାର କରିନାହାନ୍ତି । ଜଗନ୍ନାଥ ମନ୍ଦିର ତରଫରୁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି । ରଥ ବୁଲିବା ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହାକୁ ଯଦି କେହି ଖରାପ ଅର୍ଥରେ ନେବ ଏଥିରେ କିଛି କହିପାରିବି ନାହିଁ । ବିରୋଧୀ ନିନ୍ଦନୀୟ ବକ୍ତବ୍ୟ ଦେଉଛନ୍ତି । ଲୋକେ ଜଗନ୍ନାଥଙ୍କ ପ୍ରତି ଶ୍ରଦ୍ଧାର ସହ ଗୋଟେ ଗୁଆ ଓ ମୁଠେ ଚାଉଳ ଲୋକେ ଅର୍ପଣ କରୁଛନ୍ତି । କୌଣସି ଗାଁ'ରେ ବିରୋଧ କରାଯାଉନାହିଁ । ଯେଉଁମାନେ ନିନ୍ଦୁକ ସେ କାହାକୁ ଛାଡ଼ନ୍ତି ନାହିଁ । ପ୍ରଥମରୁ ସେମାନେ ଜଗନ୍ନାଥଙ୍କ କାମକୁ ବିରୋଧ କରି ଆସୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର