ଭୁବନେଶ୍ବର: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବ୍ୟାଟେରି ଚାଳିତ ଗାଡିର ଚାହିଦା । ଏହାରି ଭିତରେ ବ୍ୟାଟେରି ଚାଳିତ ଯାନର ବ୍ୟବହାରକୁ ଆହୁରି ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ବ୍ୟାଟେରି ଚାଳିତ ଯାନ ବିକ୍ରି ବୃଦ୍ଧି ପାଇଁ ସବସିଡି ବଢ଼ାଇଛନ୍ତି ରାଜ୍ୟ ସରକାର । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବ ଅପେକ୍ଷା ବ୍ୟାଟେରି ଚାଳିତ ଗାଡ଼ି କିଣୁଥିବା ଲୋକେ ଏବେ ଅଧିକ ଟଙ୍କା ସବସିଡି ଆକାରରେ ପାଇବେ ବୋଲି ଘୋଷଣା କରାଯାଇଛି ।
ବିଜ୍ଞପ୍ତି ଅନୁସାରେ, ଦୁଇ ଚକିଆ ଗାଡ଼ି କିଣିଲେ ପ୍ରତି ୧ କିଲୋୱାଟ ବ୍ୟାଟେରି ପିଛା ୫ ହଜାର ଟଙ୍କା ହିସାବରେ ସର୍ବାଧିକ ୨୦ ହଜାର ଟଙ୍କା ସବସିଡି ମିଳିବ । ସେହିଭଳି ଅଟୋ ରିକ୍ସା କ୍ଷେତ୍ରରେ ସର୍ବାଧିକ ୩୦ ହଜାର ଟଙ୍କା ସବସିଡି ମିଳିବ । ସେହିପରି ୪ ଚକିଆ କ୍ଷେତ୍ରରେ ୧ କିଲୋୱାଟ ବ୍ୟାଟେରି ପିଛା ୧୦ ହଜାର ଟଙ୍କା ହିସାବରେ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ସବସିଡି ଦେବେ ରାଜ୍ୟ ସରକାର । ପୂର୍ବରୁ ସରକାର ଇଲେକ୍ଟ୍ରିକ ଭେଇକିଲ ମୂଲ୍ୟରେ ୧୫ ପ୍ରତିଶତ ସବସିଡି ଦେଉଥିଲେ । ୨ ଚକିଆ କ୍ଷେତ୍ରରେ ସର୍ବାଧିକ ୫ ହଜାର ଟଙ୍କା, ୩ ଚକିଆ କ୍ଷେତ୍ରରେ ୧୦ ହଜାର ଟଙ୍କା ଏବଂ ୪ ଚକିଆ କ୍ଷେତ୍ରରେ ସର୍ବାଧିକ ୫୦ ହଜାର ଟଙ୍କା ସବସିଡି ମିଳୁଥିଲା ।
ଏହା ମଧ୍ୟ ପଢନ୍ତୁ: ଦୁଗ୍ଧଜାତ ଦ୍ରବ୍ୟ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ନିଆଳି, ଏଠି ରୋଜଗାରର ବାଟ ବତାଉଛି ଛେନା ଓ ପନିର
ସବସିଡ ପାଇଁ ବିଦ୍ୟୁତ ଯାନ ସବସିଡ଼ି ପୋର୍ଟାଲ ରହିଛି । ରାଜ୍ୟରେ ପରିବେଶ ଅନୁକୂଳ ବିଦ୍ୟୁତ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ନିମନ୍ତେ ପୋର୍ଟାଲ ଉଦ୍ଧିଷ୍ଟ । ପୋର୍ଟାଲକୁ ବ୍ୟାଙ୍କମାନଙ୍କର ଅନଲାଇନ ପେମେଣ୍ଟ ବ୍ୟବସ୍ଥା ସହ ସଂଯୋଗ କରି ପୂର୍ଣ୍ଣମାତ୍ରାରେ ସ୍ୱୟଂକ୍ରୀୟ କରାଯାଇଛି । ସରଳ ଓ ସୁବିଧାଜନକ କାର୍ଯ୍ୟାନ୍ୱୟନ ନିମନ୍ତେ ଏନଆଇସିଙ୍କ ବୈଷୟିକ ସହାୟତାରେ ପ୍ରସ୍ତୁତ ୱେବ ପୋର୍ଟାଲ ଦେଶରେ ସର୍ବ ପ୍ରଥମ । ବିଦ୍ୟୁତ ଯାନ ମାଲିକମାନଙ୍କୁ ରାଜ୍ୟ ସରକାରଙ୍କ ସବସିଡ଼ି ସିଧାସଳଖ ଏହି ପୋର୍ଟାଲ ମାଧ୍ୟମରେ ପ୍ରଦାନ କରାଯାଉଛି । ଗ୍ରାହକଙ୍କୁ ଆରଟିଓ ଅଫିସକୁ ଦୌଡିବାକୁ ପଡୁନାହିଁ । ସେପ୍ଟେମ୍ୱର ୨୦୨୧ରୁ କିଣା ଯାଇଥିବା ସମସ୍ତ ବିଦ୍ୟୁତ ଯାନ ଏହି ସବସିଡ଼ି ପାଇବେ । ନିୟାମକ ଅନୁସାରେ ଏହି ବ୍ୟବସ୍ଥା ଆସନ୍ତା ୪ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଇଟିଭି ଭାରତ, ଭୁବନେଶ୍ବର