ଭୁବନେଶ୍ବର: ଆସନ୍ତାକାଲି (ସୋମବାର)ଠୁ କଂଗ୍ରେସର 'ଘରେ ଘରେ ହାତ' କାର୍ଯ୍ୟକ୍ରମ । ରାଜ୍ୟବ୍ୟାପୀ ପଦଯାତ୍ରା କରିବ ରାଜ୍ୟ କଂଗ୍ରେସ । ୬୦୯୨ ପଞ୍ଚାୟତ ଏବଂ ୧୧୨ ଏନଏସି ଓ ମ୍ୟୁନିସିପାଲିଟିରେ ପଦଯାତ୍ରା କରିବ କଂଗ୍ରେସ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳତାକୁ ଲୋକଙ୍କ ନଜରକୁ ଅଣାଯିବ । ପଦଯାତ୍ରା ଓ ସାଧାରଣ ସଭା କରି ଲିଫଲେଟ ବାଣ୍ଟିବ । ଉଭୟ ସରକାର ଯେଉଁ ପ୍ରତିଶୃତି ଦେଇଥିଲେ ତାହା କେତେ ପାଳନ କରିଛନ୍ତି ତାର ବାସ୍ତବ ଛବି ରଖିବ କଂଗ୍ରେସ । ଆଜି ଏନେଇ ଭୁବନେଶ୍ବର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ଆସନ୍ତାକାଲିଠାରୁ ଅକ୍ଟୋବର ମାସ ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରେ କଂଗ୍ରେସ ପଦଯାତ୍ରା କରିବ । ଏହା ସହ ଘରକୁ ଘରୁ ପହଞ୍ଚି ୨୪ ବର୍ଷର ନବୀନ ସରକାର ଏବଂ କେନ୍ଦ୍ରରେ ୯ ବର୍ଷରୁ ଅଧିକ ସମୟ ଧରି ରହିଥିବା ବିଜେପି ସରକାର ଜନସାଧାରଣଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି ବୋଲି ଏହାର ଏକ ପ୍ରଚାର ପତ୍ର ଗଣମାଧ୍ୟମ ସମ୍ମୁଖରେ ଉନ୍ମୋଚନ କଲେ । ଆଜି ପର୍ଯ୍ୟନ୍ତ ୨ ଦଶନ୍ଧିରୁ ଅଧିକ ଧରି ଓଡ଼ିଶାରେ ବିଜେଡ଼ି ସରକାର ଶାସନରେ ଥିଲେ ମଧ୍ୟ ଓଡ଼ିଶାର ସାମଗ୍ରିକ ସ୍ଥିତି ଅତ୍ୟନ୍ତ ଖରାପ ପରିସ୍ଥିତି ଦେଇ ଗତି କରୁଛି ।
୨ ଲକ୍ଷ ନିଯୁକ୍ତି, ରାଜ୍ୟର ପ୍ରତିବ୍ଲକରେ ୪୫ ପ୍ରତିଶତ ଜଳସେଚନ, ସମସ୍ତଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା, ଗୁଣାତ୍ମକ ଶିକ୍ଷା, ସମାଜର ବିଭିନ୍ନ ବର୍ଗର ବରିଷ୍ଠ ନାଗରିକ, ସାମାଜିକ ସୁରକ୍ଷା, କୃଷକର ଆୟ ଦ୍ବିଗୁଣିତ ହେବା କଥା, ମହିଳାମାନଙ୍କର ସୁରକ୍ଷା, ଦାଦନ ଶ୍ରମିକ ବନ୍ଦ ପ୍ରଥା ଓ ରାଜ୍ୟରେ କୃଷିଭିତିକ ଶିଳ୍ପ କରିବା କଥା ସବୁ ଆଦି ବିଫଳ ହୋଇଛି । ଠିକ ସେହିଭଳି ଭାବରେ ୨୦୧୪ ମସିହା ପୂର୍ବରୁ ଏବଂ ପରେ କେନ୍ଦ୍ର ବିଜେପି ସରକାର ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଶର କୃଷକ, ଶ୍ରମିକ, ଯୁବକ, ମହିଳା, ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ସବୁ ଆଜି ମିଛ ପ୍ରତିଶ୍ରୁତି ବୋଲି ପ୍ରମାଣିତ ହୋଇସାରିଲାଣି ବୋଲି କଂଗ୍ରେସ କହିଛି ।
ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି,"ମହିଳାମାନଙ୍କର ବିକାଶ, ଶିକ୍ଷା, ସ୍ବାସ୍ଥ୍ୟ ଓ ନିଯୁକ୍ତି ଏବଂ ସର୍ବୋପରି ଭାରତ ବର୍ଷର ସର୍ବଶ୍ରେଷ୍ଠ ପଦପଦବୀ ତଥା ରାଜ୍ୟର ସର୍ବଶ୍ରେଷ୍ଠ ପଦରେ କଂଗ୍ରେସ ସରକାର ସମୟରେ ବହୁ ମହିଳା ରହିଛନ୍ତି । ରାଜ୍ୟରେ କଂଗ୍ରେସ ପ୍ରତିଷ୍ଠା ହେଲେ ରାଜ୍ୟର ଯୁବକ, କୃଷକ, ଶ୍ରମିକ, ମହିଳା ଓ ବିଶେଷ କରି ଆଦିବାସୀ, ଅନୁସୂଚିତ ଜାତି, ପଛୁଆବର୍ଗ ଓ ସଂଖ୍ୟାଲଘ ବର୍ଗଙ୍କର ବିକାଶ ପ୍ରତି ଯଥେଷ୍ଟ ଗୁରୁତ୍ବ ପ୍ରଦାନ କରିବ । ରାଜ୍ୟକୁ ଏକ ବିକାଶଶୀଳ ରାଜ୍ୟରେ ପରିଣତ କରିବୁ । ଓଡ଼ିଶାବାସୀ ବିଚାର କରନ୍ତୁ ୨ ଦଶନ୍ଧି ଏକ ଛୋଟ ସମୟ ନୁହେଁ ।"
ଏପଟେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି,"ଆମେ ଯେଉଁ ପ୍ରଚାର ପତ୍ର ଲେଖିଛୁ ଏବଂ ଜନସାଧାରଣଙ୍କ ପାଖରେ ପହଞ୍ଚାଇବୁ । ଯଦି ଏଥିରେ ଗୋଟିଏ ବି ମିଛ ଅଛି ଉଭୟ ଦଳ ଏହାକୁ ଖଣ୍ଡନ କରିବାର ସତ୍ସାହସ କରନ୍ତୁ ।"
ଇଟିଭି ଭାରତ, ଭୁବନେଶ୍ବର