ଭୁବନେଶ୍ବର: ପ୍ରଦେଶ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଭିନ୍ନକ୍ଷମ ଓ ଦଳିତମାନଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ଅଭିଯୋଗ । ଭିନ୍ନକ୍ଷମ କମିଶନର ପଦବୀ ପୂରଣ ଦାବି । ଦିବ୍ୟାଙ୍ଗ ତଥା ଭିନ୍ନକ୍ଷମଙ୍କ ସୁବିଧା ପାଇଁ ଭିନ୍ନକ୍ଷମ ସେଲ ଖୋଲିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ପ୍ରଦେଶ କଂଗ୍ରେସ ଭିନ୍ନକ୍ଷମ ସେଲ ଅଧ୍ୟକ୍ଷ ଜିତେନ୍ଦ୍ର ବିଶ୍ବାଳ ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଭିନ୍ନକ୍ଷମ ସେଲ ଅଧ୍ୟକ୍ଷ ଜିତେନ୍ଦ୍ର ବିଶ୍ବାଳ କହିଛନ୍ତି, "ରାଜ୍ୟ ସରକାର ଭିନ୍ନକ୍ଷମ ଓ ଦଳିତଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ସର୍ବଦା କହୁଛନ୍ତି । କିନ୍ତୁ ବାସ୍ତବରେ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଭିନ୍ନକ୍ଷମ କମିଶନର ପଦବୀ ୯ ମାସ ହେବ ଖାଲି ପଡ଼ିଛି । ଭିନ୍ନକ୍ଷମ ଲୋକମାନେ ନିଜର ସମ୍ମାନ, ସାମାଜିକ ନ୍ୟାୟ ବଞ୍ଚାଇବାକୁ ଏଠାକୁ ଆସିଥାନ୍ତି । କିନ୍ତୁ ଏହି ପଦବୀ ଖାଲି ପଡ଼ିଥିବାରୁ ସେମାନଙ୍କର ଗୁହାରି ଶୁଣିବାକୁ କେହି ନାହିଁ । ଯୋଗ୍ୟ ଭିନ୍ନକ୍ଷମ ଲୋକଙ୍କୁ ଭିନ୍ନକ୍ଷମ କମିଶନର କରାଯାଉ ବୋଲି ଦାବି ହୋଇଆସୁଛି । କିନ୍ତୁ ରାଜ୍ୟ ସରକାର ଦୀର୍ଘ ୧୨ ବର୍ଷ ହେଲା ଏହାକୁ ଅଣଦେଖା କରୁଛନ୍ତି । କିନ୍ତୁ ଶାସକ ଦଳ ବିଜେଡି ଦଳର ନେତାଙ୍କୁ ହିଁ ଏହି ପଦବୀ ଦିଆଯାଉଛି । ଶ୍ରୀମନ୍ଦିର ଭିତରକୁ ହ୍ବିଲ ଚେୟାର ମାଧ୍ୟମରେ ଭିନ୍ନକ୍ଷମମାନଙ୍କୁ ନେବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି ହୋଇ ଆସୁଛି । ହାଇକୋର୍ଟ ମଧ୍ୟ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ୯ ମାସ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ତାହାକୁ ମଧ୍ୟ ମାନୁ ନାହାଁନ୍ତି ।"
ସେ ଆହୁରି କହିଛନ୍ତି, "ସବୁ ଯୋଗ୍ୟତା ଥାଇ ମଧ୍ୟ ବିଦ୍ୟାଳୟ ମାନଙ୍କରେ ପିଇଟି ଶିକ୍ଷକ ଭାବରେ ନିଯୁକ୍ତି ପାଇ ପାରୁନାହାନ୍ତି ଭିନ୍ନକ୍ଷମ ବ୍ୟକ୍ତି । ଦୈବ ଦୁର୍ବିପାକରେ ରାଜ୍ୟ ସରକାର ସର୍ବଦା ବାଃ ବାଃ ନିଅନ୍ତି । ବାତ୍ୟା ସମୟରେ ଭିନ୍ନକ୍ଷମ ବ୍ୟକ୍ତିମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି । କେବଳ ଖାଇବାକୁ ଦେଇଦେଲେ ହେବ ନାହିଁ, ତାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯେପରି ହ୍ବିଲ ଚେୟାର ମଧ୍ୟ ଯୋଗାଇ ଦିଆଯାଉ । ଭିନ୍ନକ୍ଷମ ସେଲ ଖୋଲାଯାଉ ବୋଲି ଦାବି ହୋଇ ଆସୁଛି । ଯାହାକି ଭିନ୍ନକ୍ଷମଙ୍କ ଅସୁବିଧାର ସମାଧାନ କରିବ । କିନ୍ତୁ ତାହା ମଧ୍ୟ ରାଜ୍ୟ ସରକାର କରୁନାହାନ୍ତି । ଭିନ୍ନକ୍ଷମ ବାବଦକୁ ମିଳୁଥିବା ଭିନ୍ନକ୍ଷମ ଭତା ମାତ୍ର ୫୦୦ଟଙ୍କା । ଯାହାକି ଅନ୍ୟ ରାଜ୍ୟ ଅପେକ୍ଷା ବହୁତ କମ ।" ତେବେ ରାଜ୍ୟବାସୀଙ୍କ ପାଖରେ କେବଳ ଛଳନା କରୁଛନ୍ତି ରାଜ୍ୟ ସରକାର ବୋଲି କହିଛନ୍ତି କଂଗ୍ରେସ ଭିନ୍ନକ୍ଷମ ସେଲର ଅଧ୍ୟକ୍ଷ ଜିତେନ୍ଦ୍ର ବିଶ୍ବାଳ ।
ଇଟିଭି ଭାରତ, ଭୁବନେଶ୍ବର