ଭୁବନେଶ୍ବର: ଆସନ୍ତା ସୋମବାର ହେବ ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନ ! ସୋମବାର ପୂର୍ବାହ୍ନ ୯.୩୦ ରେ ଶପଥ ନେଇପାରନ୍ତି ୩ ରୁ ୪ ନୂଆ ମନ୍ତ୍ରୀ । ଲୋକସେବା ଭବନର କନଭେନସନ ହଲରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବା ନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇନଥିବା ବେଳେ ରାଜନୈତିକ ମହଲରେ ଆଲୋଚନା ହେଉଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନୂଆ ମନ୍ତ୍ରୀମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ । ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆସନ୍ତା ସୋମବାର ହେବ ରାଜ୍ୟ ମନ୍ତ୍ରୀମଣ୍ଡଳର ପୁନର୍ଗଠନ ବା ସମ୍ପ୍ରସାରଣ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହୋଇପାରେ ଶେଷ ପୁନର୍ଗଠନ । ବିଭିନ୍ନ ଦିଗକୁ ବିଚାର କରି ମନ୍ତ୍ରୀମଣ୍ଡଳ ଅଦଳବଦଳ କରାଯିବ । ୩ରୁ ୪ ମନ୍ତ୍ରୀ ନବୀନଙ୍କ ଟିମରେ ସାମିଲ ହେବେ । କିଛି ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ କରାଯିବ । ଲୋକସେବା ଭବନର କନଭେନସନ ହଲରେ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନୂଆ ମନ୍ତ୍ରୀମାନଙ୍କୁ ଗୋପନୀୟତାର ଶପଥ ପାଠ କରାଇବେ । ରାଜ୍ୟପାଳ ଆସନ୍ତାକାଲି ସନ୍ଧ୍ୟାରେ ଓଡିଶା ଫେରିବେ । ପୂର୍ବରୁ ସେ ୨୨ ତାରିଖରେ ଓଡିଶା ଫେରିବା ନେଇ ସମୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ନେଇ ସୂଚନା ଦିଆଯିବା ପରେ ରାଜ୍ୟପାଳ କାର୍ଯ୍ୟକ୍ରମ କାଣ୍ଟଛାଣ୍ଟ କରି ଓଡିଶା ଫେରୁଛନ୍ତି ।
ଏହାବି ପଢନ୍ତୁ - Modi Cabinet Reshuffle: ଛୋଟିଆ ପରିବର୍ତ୍ତନ ଜରିଆରେ କଣ ସଙ୍କେତ?
ଗତ ୧୨ ତାରିଖରେ ୨ ମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ । ରାଜ୍ୟ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଏହା ଛଡା ନବ କିଶୋର ଦାସଙ୍କ ପରଲୋକ ପରେ ସେ ମନ୍ତ୍ରୀ ପଦ ମଧ୍ୟ ଖାଲି ଅଛି । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ବରେ ଅଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସେହିପରି ଗଣଶିକ୍ଷା ଓ ଶ୍ରମ ବିଭାଗର ଅତିରିକ୍ତ ଦାୟିତ୍ବ ସମ୍ଭାଳୁଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ୩ଟି ମନ୍ତ୍ରୀ ପଦ ଖାଲି ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ କେତେ ଜଣଙ୍କୁ ନିଜ ଟିମରେ ନେଉଛନ୍ତି ତାହା ଅସ୍ପଷ୍ଟ ଅଛି । କାହାକୁ କେଉଁ ବିଭାଗର ଦାୟିତ୍ବ ମିଳିବ ଓ କାହାର ବିଭାଗ ଅଦଳବଦଳ ହେବ ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ଖବର ଲେଖାଯିବା ବେଳକୁ ନୂଆ ମନ୍ତ୍ରୀ ହେବା ପାଇଁ ନବୀନ ନିବାସରୁ କାହା ପାଖକୁ ଫୋନ କଲ ଯାଇନଥିବା ସୂଚନା ମିଳିଛି ।
ମନ୍ତ୍ରୀ ହେବା ରେସରେ ଥିବା ନିର୍ଦ୍ଦିଷ୍ଟ କିଛି ବିଧାୟକଙ୍କୁ ଭୁବନେଶ୍ବରରେ ରହିବାକୁ ପୂର୍ବରୁ ଦଳ ପକ୍ଷରୁ କୁହାଯାଇଛି । ହେଲେ ନବୀନ ନିବାସରୁ କଲ ଆସିନଥିବାରୁ ବିଜେଡି ବିଧାୟକଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଛି । ଆସନ୍ତାକାଲି ସନ୍ଧ୍ୟାରେ ହିଁ ମନ୍ତ୍ରୀ ହେବା ପାଇଁ ଫୋନ ଯିବ ବୋଲି ଜଣାପଡିଛି । ମନ୍ତ୍ରୀ ହେବା ରେସରେ ରହିଛନ୍ତି ପୂର୍ବତନ ବାଚସ୍ପତି ତଥା ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ରାଉଲକେଲା ବିଧାୟକ ସାରଦା ନାୟକ, ଝାରସୁଗୁଡାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ, ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଓ ବର୍ତ୍ତମାନ ଶାସକ ଦଳର ମୁଖ୍ୟ ସଚେତକ ଥିବା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରମୁଖ । ସେହିପରି ଆଗାମୀ ବାଚସ୍ପତି କିଏ ହେବ ସୋମବାର ଦିନ ସ୍ପଷ୍ଟ ହେବ ।
ଇଟିଭି ଭାରତ, ଭୁବନେଶ୍ବର