ଭୁବନେଶ୍ବର: ମଦ ବ୍ୟବସାୟୀଙ୍କ ଠାରୁ ଶହ ଶହ କୋଟି ଟଙ୍କା ଜବତ ଘଟଣାରେ ବିଜେଡ଼ି ଲିଙ୍କକୁ ନେଇ ବିଜେପିର ଜୋରଦାର ବିକ୍ଷୋଭ । ଆଜି ଭୁବନେଶ୍ଵର ଜିଲ୍ଲା ସଭାପତି ବାବୁ ସିଂ ନେତୃତ୍ବରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଚାର୍ଯ୍ୟ ବିହାର ଛକ ଠାରେ ପ୍ରତିବାଦ କରିଛି ଦଳ ।
ବିଜେପି ଅଭିଯୋଗ କରିଛି କଂଗ୍ରେସ ଓ ବିଜେଡିର ମଧୁଚନ୍ଦ୍ରିକାରେ ମଦ କାରବାର ଚାଲୁଛି । ରାଜ୍ୟରେ ଜଣେ ମଦ ବ୍ୟବସାୟୀଙ୍କ ପାଖରେ ଏତେ ମାତ୍ରାରେ ଟଙ୍କା ବାହାରିବା ଦେଶବାସୀଙ୍କୁ ଚକିତ କରିଛି । ବିଜେଡି ସରକାର ପାଖରେ ଖବର ନାହିଁ ଯେ ଜଣେ ଏତେ ଟଙ୍କା ରଖିଛି । ମୁଖ୍ୟମନ୍ତ୍ରୀ କହିଥିଲେ ତାଙ୍କ ନେତା ମାନଙ୍କୁ ତୁମେ ମାନେ ଗାଁ ଦେଖ ମୁଁ ଭୁବନେଶ୍ଵରରେ ଅଛି । ତାମାନେ ଚୋର ହାତରେ ଚାବି କାଠି ଦେଇଛନ୍ତି ନବୀନ ସରକାର । ଓଡିଶା ହେଉଛି ଏକ ଅପରାଧୀଙ୍କ ସୁରକ୍ଷିତ ସ୍ଥାନ । ଏଠି ଅବକାରୀ ନୀତି ଏମିତି ଯେ ବାହାର ରାଜ୍ୟରୁ ମଦ ବ୍ୟବସାୟୀ ମାନେ ଆସି ଓଡ଼ିଶାର ଖୁଲମ ଖୁଲା ବ୍ୟବସାୟ କରିପାରିବେ।
ଅଧିକ ପଢନ୍ତୁ- ଆଲମିରାରେ ଥାକ ଥାକ ଟଙ୍କା, ଗଣି ଗଣି ମେସିନ ଖରାପ
ବାବୁ ସିଂ ଆହୁରି କହିଛନ୍ତି ଦେଶବାସୀଙ୍କୁ ବିକାଶର ଗ୍ୟାରେଣ୍ଟି ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତିଗ୍ରସ୍ତ ଲୋକଙ୍କ ଠାରୁ ଗୋଟି ଗୋଟି ଟଙ୍କା ଅସୁଲ କରିବାର ଗ୍ୟାରେଣ୍ଟି ଦେଉଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ନିଜେ ସ୍ବଚ୍ଛ ବୋଲି ଡିଣ୍ଡିମ ପିଟୁଛନ୍ତି ତାହାଲେ ନିଜର ଓ ଦଳର ସ୍ବଚ୍ଛତା ଏବଂ ଓଡ଼ିଶାର ସ୍ବାର୍ଥ ପାଇଁ ଏଭଳି କଳାକାରନାମାର ସିବିଆଇ ଦ୍ବାରା ତଦନ୍ତ କରନ୍ତୁ ।
ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ପାହାଡ ଭଳି ନଗଦ ଟଙ୍କା ଜବତ ପରେ, ବିରୋଧୀଙ୍କୁ ଘେରି ଆସୁଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ବିଜେପି ନେତାମାନେ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ମୋଦି ସରକାର କାହାକୁ ବି ଛାଡିବେନି । ଯେତେ ବି ପ୍ରଭାବଶାଳୀ ହୁଅନ୍ତୁ, ଗରିବ ଓଡିଶାବାସୀଙ୍କ ଟଙ୍କାକୁ ଯିଏ ଲୁଟିଛି ତାକୁ ଜେଲ ପଠାଯିବା । ଯେଉଁ କଂଗ୍ରେସ ସାଂସଦଙ୍କ ନାଁ ଆସୁଛି, ତାଙ୍କ ପରିବାର ଲଗାତାର ଭାବେ ଓଡିଶାରେ ବ୍ୟବସାୟ କରି ଆସୁଥିଲା । ଯେଉଁମାନେ ଉତ୍ତରଦାୟୀ ସେମାନେ ଚୁପ ନରହି ଉତ୍ତର ଦିଅନ୍ତୁ ।
ଇଟିଭି ଭାରତ, ଭୁବନେଶ୍ବର