ଭୁବନେଶ୍ବର: ପଛୁଆ ବର୍ଗଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ସଂରକ୍ଷଣ ଦେଉ ନାହାନ୍ତି ରାଜ୍ୟ ସରକାର । ଓବିସିଙ୍କ ପ୍ରତି ଅବହେଳା କରିଛନ୍ତି । ଯାହାକୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ଯ ସଭାପତି ମନମୋହନ ସାମଲ। ବିଜେପି ଓବିସି ମୋର୍ଚା ପକ୍ଷରୁ ଚାଲିଥିବା ସାମାଜିକ ଅଭିଯାନ ଘର ଘର ଚାଲ ଗାଁ ଗାଁ ଚାଲ କାର୍ଯ୍ୟକ୍ରମ ଅଧିନ ଆଜି ଭୁବନେଶ୍ବର ପଥରବନ୍ଧ ବସ୍ତିରେ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ବିଜେପି ସଭାପତି । ଏହି କାର୍ଯ୍ୟକ୍ରମରେ ଓବିସିଙ୍କ ଶିକ୍ଷା ଓ ନିଯୁକ୍ତି ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି ବିଜେପି ରାଜ୍ଯ ସଭାପତି ।
ବିଜେପି ରାଜ୍ଯ ସଭାପତି କହିଛନ୍ତି ରାଜ୍ୟରେ ଓବିସି ବର୍ଗଙ୍କ ପ୍ରତି ବିଜେଡି ସରକାରଙ୍କ ଉଦାସୀନତା ରହିଛି। ଏହା ବିରୋଧରେ ବିଜେପି ପକ୍ଷରୁ “ଗାଁ ଗାଁ ଚାଲ, ଘର ଘର ଚାଲ” କାର୍ଯ୍ୟକ୍ରମ ରାଜ୍ୟବ୍ୟାପି ଆରମ୍ଭ କରିଛି। ରାଜ୍ୟ ବିଜେପି ନେତୃତ୍ୱ ସାମାଜିକ ନ୍ୟାୟ ସପ୍ତାହ ପାଳନ ଆରମ୍ଭ କରିଛି। ପଛୁଆ ବର୍ଗଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ସଂରକ୍ଷଣ ଦେଉ ନାହାନ୍ତି ରାଜ୍ୟ ସରକାର। ଏହି ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବ ବିଜେପି। ସେପଟେ କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ବିକାଶ ପାଇଁ ନେଇ ଥିବା ପଦକ୍ଷେପକୁ ଲୋକଙ୍କ ଜଣାଇବ ଦଳ । ଆଜି ଏହାକୁ ନେଇ ଭୁବନେଶ୍ୱର ପଥରବନ୍ଧ ବସ୍ତିରେ “ଗାଁ ଗାଁ ଚାଲ; ଘର ଘର ଚାଲ” ଅଭିଯାନ ଆରମ୍ଭ କରିଛି ଦଳ। ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପଦଯାତ୍ରାରେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।
ଦଳର ପ୍ରତିଷ୍ଠା ଦିବସ 6 ଏପ୍ରିଲରୁ 14 ଏପ୍ରିଲ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ 9 ଦିନିଆ ଅଭିଯାନ କରୁଛି ବିଜେପି ଓବିସି ମୋର୍ଚ୍ଚା। 9 ଦିନିଆ ଏହି ଅଭିଯାନରେ 1 ଲକ୍ଷ ଗାଁ 10 ଲକ୍ଷ ଘରେ ପହଞ୍ଚିବ ଦଳ। ଓବିସି ମୋର୍ଚ୍ଚା ପକ୍ଷରୁ ମୋଦି ସରକାରଙ୍କ 9 ବର୍ଷର ଜନ କଲ୍ୟାଣକାରୀ ଯୋଜନା କୁ ନେଇ ଲୋକଙ୍କ ପାଖକୁ ଯାଉଛି । ଓବିସି ମାନଙ୍କୁ 27 ପ୍ରତିଶତ ସଂରକ୍ଷଣ କେନ୍ଦ୍ର ଦେଉଥିବା ବେଳେ ରାଜ୍ୟ ସରକାର ସେଥିରୁ ବଞ୍ଚିତ କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି । ଏହାକୁ ନେଇ ବିଜେପି ଓବିସି ମୋର୍ଚ୍ଚା ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାଁନ୍ତି । ଯଦି ରାଜ୍ୟ ସରକାର ସଂରକ୍ଷଣ ନ ଦିଅନ୍ତି ତାହେଲେ ଏହି ସଂଘର୍ଷ ଆଗକୁ ଯିବ ବୋଲି ଦଳ ଚେତାବନୀ ଦେଇଛି ।
ଓଡିଶା ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ କହିଛନ୍ତି ଯେଉଁ ରାଜ୍ୟରେ ବିଜେପି ସରକାର ନାହିଁ ସେଠି ଓବିସି ବର୍ଗ କେମିତି ଅବହେଳିତ ହେଉଛନ୍ତି ସେ ନେଇ ମଧ୍ୟ ସଚେତନ କରାଯିବ। ଅନ୍ୟ ରାଜ୍ୟ ସରକାର ମାନେ ଓବିସିଙ୍କ ପ୍ରତି ଭେଦଭାବ କରୁଛନ୍ତି। ବିକାଶ ମୁଖ୍ୟସ୍ରୋତରୁ ଦୂରରେ ରଖୁଛନ୍ତି। ତେଣୁ ତାଙ୍କୁ ନ୍ୟାୟ ଅଧିକାର ଦେବାକୁ ବିଜେପି ଓବିସି ମୋର୍ଚ୍ଚା ଏହି କାର୍ଯ୍ୟକ୍ରମକୁ ଆଗକୁ ନେବ। ମୋଦି ସରକାରଙ୍କ ସମୟରେ ଏସସିବିସି ଆୟୋଗ ଗଠନ ହୋଇଛି। ଏହା ସହ ସର୍ବାଧିକ ଓବିସି ବର୍ଗର ପ୍ରତିନିଧିଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇଛନ୍ତି ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର