ଭୁବନେଶ୍ବର: ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ଖୁବଶୀଘ୍ର ଓଡିଶାରେ ଗଡିବ ମେଟ୍ରୋ ଟ୍ରେନ । ଟ୍ବିନ ସିଟିରେ ପ୍ରଥମେ ଗଡିବ ମେଟ୍ରୋ ଟ୍ରେନ । ଭୁବନେଶ୍ବର ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ଆଜି ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ ମିଳିଛି । ରେଲୱେ ଷ୍ଟେସନ, ବାଣୀବିହାର, ପଟିଆ, ନନ୍ଦନକାନନ ଦେଇ ଚାଲିବ ମେଟ୍ରୋ ଟ୍ରେନ । ଏଥିପାଇଁ ଏଲିଭେଟେଡ୍ କରିଡର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି । ରାସ୍ତାରେ ଭିଡ଼ କମାଇବା ପାଇଁ ମେଟ୍ରୋ ଚଳାଇବାକୁ ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି । ଭୁବନେଶ୍ବର,କଟକ, ପୁରୀକୁ ସଂଯୋଗ କରିବ ମେଟ୍ରୋ ଟ୍ରେନ।
ମେଟ୍ରୋ ଟ୍ରେନ ଗଡିବା ନେଇ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଇଥିଲା । କେଉଁ ରୁଟ ଦେଇ ଗଡିବ ସେନେଇ ଆଲୋଚନା ହୋଇଥିଲା । ବିଜୁ ପଟ୍ଟନାୟକ ବିମାନ ବନ୍ଦର, ରେଲୱେ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ, ନନ୍ଦନକାନନ ଏବଂ ତ୍ରିଶୂଳିଆ ଦେଇ ମେଟ୍ରୋ ଚଳାଇବାକୁ ଯୋଜନା ହୋଇଥିବା ବୈଠକରେ ଆଲୋଚନା ହୋଇଛି । ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି ।
ଆଜି ସକାଳ ସମୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛକରୁ ସଚିବ ସ୍ତରୀୟ କମିଟିର ଫିଲ୍ଡ ଭିଜିଟ ଆରମ୍ଭ ହୋଇଥିଲା । ଭୋର ସମୟରେ ବିମାନବନ୍ଦର ଛକରୁ ଶିଶୁଭବନ ଛକ, ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର ଛକ, ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ ଛକ, ପଟିଆ, ନନ୍ଦନକାନନ ଛକ ଦେଇ ତ୍ରିଶୂଳିଆ ଛକରେ ପହଞ୍ଚିଥିଲେ ବରିଷ୍ଠ ଅଧିକାରୀମାନେ ।
ରାସ୍ତାରେ ବିଭିନ୍ନ ସ୍ଥାନରେ ସରଜମିନ ସ୍ଥିତି ଅନୁଧ୍ୟାନ କରିଥିଲେ ଟିମ ସଦସ୍ୟ । ଭୁବନେଶ୍ୱର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଭିର୍ତ୍ତିଭୂମି ରହିଛି ନା ନାହିଁ ତାର ଟିମ ଅନୁଧ୍ୟାନ କରିଥିଲା । ମେଟ୍ରୋ ଟ୍ରେନ ଚଳାଚଳ କଲେ କେଉଁଠି କି ପ୍ରକାର ସମସ୍ୟା ରହିବ ତାହାର କିଭଳି ସ୍ଥାୟୀ ପ୍ରତିକାର କରାଯିବ ତାହାର ସମୀକ୍ଷା କରାଯାଇଥିଲା ।
ତ୍ରିଶୂଳିଆ ଛକରେ କଟକ ଜିଲ୍ଲାପାଳ ଓ ସିଏମସି କମିଶନର ଏହି ଟିମ ସହିତ ସାମିଲ ହୋଇଥିଲେ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ବା 5T ସଚିବ ଭିକେ ପାଣ୍ଡିଆନଙ୍କ ସମେତ ଉନ୍ନୟନ କମିଶନର ଅନୁ ଗର୍ଗ ମଧ୍ୟ ଉପସ୍ଥିତ ଥିଲେ । ଏଥିସହ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ବା ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥିଭାଥନାନ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର