ଭୁବନେଶ୍ବର: ଦୁବାଇରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ । ମୃତ୍ୟୁର 19 ଦିନ ପରେ ଜନ୍ମ ମାଟିକୁ ଫେରିଲା ମୃତକଙ୍କ ମରଶରୀର । ହୃଦଘାତର ଶିକାର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର କୃଷ୍ଣ ପ୍ରସାଦ ରଞ୍ଜିତଙ୍କ ମୃତ୍ୟୁ ହୋଇଥିଲା । ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜଙ୍କ ସହଯୋଗରେ ଓଡ଼ିଶା ଫେରିଛି କୃଷ୍ଣ ପ୍ରସାଦଙ୍କ ମୃତଦେହ ।
ଭୁବନେଶ୍ୱର ବାସିନ୍ଦା କୃଷ୍ଣ ପ୍ରସାଦ ରଞ୍ଜିତ ପରିବାର ସହ ଦୁବାଇରେ ବସବାସ କରୁଥିଲେ । ଅସୁସ୍ଥତା କାରଣରୁ ଗତବର୍ଷ ଜୁଲାଇ ମାସରେ କୃଷ୍ଣ ପ୍ରସାଦ ରଞ୍ଜିତଙ୍କୁ ଦୁବାଇସ୍ଥିତ ରାସିଦ ହସ୍ପିଟାଲରେ ତାଙ୍କ ପତ୍ନୀ ଅସୀମା ଭର୍ତି କରାଇଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ସୁଧାର ପରେ ସେ ଘରକୁ ଫେରିଥିଲେ । କିନ୍ତୁ ଚଳିତ ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ କୃଷ୍ଣ ପ୍ରସାଦ ରଞ୍ଜିତଙ୍କର ହୃଦଘାତ ହୋଇଥିଲା । ପତ୍ନୀ ଅସୀମା ସ୍ୱାମୀ କୃଷ୍ଣ ପ୍ରସାଦ ରଞ୍ଜିତଙ୍କୁ ପୁନର୍ବାର ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚଳିତ ମାସ ଦୁଇ ତାରିଖରେ କୃଷ୍ଣ ପ୍ରସାଦଙ୍କର ଦେହାନ୍ତ ହୋଇଥିଲା । ଏହାପରେ ଭାରତୀୟ ଦୂତବାସର ସାହାଯ୍ୟ ଲୋଡିଥିଲେ ପତ୍ନୀ ।
ମୃତ କୃଷ୍ଣ ପ୍ରସାଦ ରଞ୍ଜିତଙ୍କର ମର ଶରୀର ଜନ୍ମମାଟି ଓଡ଼ିଶା ଫେରାଇ ଆଣିବା ଲାଗି ପରିବାର ଲୋକ ଚେଷ୍ଟା କରିଥିଲେ । କିନ୍ତୁ ସେ କାର୍ଯ୍ୟ କରୁଥିବା କମ୍ପାନୀରେ କିଛି ଆଇନଗତ ଜଟିଳତା ଥିବାରୁ ତାଙ୍କ ମର ଶରୀରକୁ ଭାରତ ଆସିବାକୁ ଅସୁବିଧା ହୋଇଥିଲା । ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ସାମାଜିକ ସଂଗଠନ ଓଡ଼ିଶା ମୋ ପରିବାର ସହିତ ଯୋଗାଯୋଗ କରାଯାଇଥିଲା । ଓଡ଼ିଶା ମୋ ପରିବାର ବାହାରିନରେ ରହୁଥିବା ପ୍ରବାସୀ ଓଡ଼ିଆ ଡ. ଅରୁଣ କୁମାର ପ୍ରହରାଜଙ୍କୁ ସଂପର୍କ କରିଥିଲେ । ଏହାପରେ ଦେବଦୂତ ସାଜି ଅରୁଣ ପ୍ରହରାଜ ସଙ୍ଗେ ସଙ୍ଗେ ସାହାଯ୍ୟ କାର୍ଯ୍ୟରେ ଲାଗିଯାଇଥିଲେ । ଭାରତ ବୈଦେଶିକ ରାଜ୍ୟ ମନ୍ତ୍ରୀ ମୁରଲୀଧରଣଙ୍କ ସହାୟତା ଲୋଡ଼ିଥିଲେ ଅରୁଣ ।
ଦୀର୍ଘ 19 ଦିନ କଠିନ ପରିଶ୍ରମ ପରେ ଶେଷରେ କୃଷ୍ଣ ପ୍ରସାଦ ରଞ୍ଜିତ ମରଶରୀରକୁ ଭାରତ ଆଣିବାକୁ ୟୁଏଇ ସରକାରଙ୍କ ଠାରୁ ଅନୁମତି ମିଳିଥିଲା । ଗତକାଲି(ସୋମବାର) ବିମାନ ଯୋଗେ କୃଷ୍ଣ ପ୍ରସାଦ ରଞ୍ଜିତଙ୍କ ମର ଶରୀର ବିଶାଖାପାଟଣା ବିମାନ ବନ୍ଦରରେ ପହଁଞ୍ଚିଛି । ସେଠାରୁ କୃଷ୍ଣ ପ୍ରସାଦ ରଞ୍ଜିତଙ୍କ ମର ଶରୀରକୁ ଭୁବନେଶ୍ୱର ଅଣାଯାଇ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇଛି । ସେଠାରେ ତାଙ୍କର ମୃତଦେହକୁ ସତ୍କାର କରାଯାଇଛି । ମୃତ ରଞ୍ଜିତଙ୍କର ମରଶରୀରକୁ ସିଧାସଳଖ ଭୁବନେଶ୍ୱର ବିମାନ ବନ୍ଦରକୁ ଅଣାଯାଇ ପାରିନଥିବାରୁ ଅରୁଣ ପ୍ରହରାଜ ଅସନ୍ତୋଷ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସମୟରେ ଏୟାର ଇଣ୍ଡିଆ ବିମାନ ସେବା ବିଦେଶରୁ ଭୁବନେଶ୍ୱରକୁ ନଥିବାରୁ ମୃତ ରଞ୍ଜିତଙ୍କ ମରଶରୀରକୁ ଭୁବନେଶ୍ୱର ବଦଳରେ ବିଶାଖାପାଟଣା ବିମାନବନ୍ଦରକୁ ଅଣାଯାଇଥିଲା । ସେଠାରୁ ଭୁବନେଶ୍ୱର ଅଣାଯାଇଥିଲା ।
ଅରୁଣ ପ୍ରହରାଜ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ଏୟାର ଇଣ୍ଡିଆର ବିମାନସେବା ଭୁବନେଶ୍ୱରକୁ କରିବା ଲାଗି ବ୍ୟବସ୍ଥା କରାଯାଉ । ଭୁବନେଶ୍ୱରକୁ ସିଧାସଳଖ ଉଡାଣ ଚାଲୁ ହେଲେ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ସୁବିଧା ହେବ । ଡ଼. ଅରୁଣ ପ୍ରହରାଜ ବାହାରିନ୍, ସାଉଦି ଆରବିଆ, ଓମାନ୍, ସଂଯୁକ୍ତ ରାଷ୍ଟ୍ର ପ୍ରଭୃତି ଦେଶରେ କୌଣସି ଓଡ଼ିଆମାନଙ୍କର ଅସୁବିଧା ହେଲେ ତାଙ୍କୁ ସାହାଯ୍ୟରେ ହାତ ବଢାଇଥାନ୍ତି ।
ଇଟିଭି ଭାରତ, ଭୁବନେଶ୍ବର