ଭୁବନେଶ୍ବର: ପେଟପାଟଣା ଲାଗି ବିଦେଶରେ ଥିବା ଆଉ ଜଣେ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ତେଲପଲ୍ଲୀ ଗାଁର ପୁରୁଷୋତ୍ତମ ସାହୁ । ବାହାରିନରେ ସେ ଏନଏସଏଚ କମ୍ପାନିରେ କାମ କରୁଥିବାବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ମୃତଦେହ ଜନ୍ମମାଟିକୁ ଫେରାଇ ଆଣିବା ଲାଗି ବହୁ କସରତ କରିବାକୁ ପଡିଛି । ଓଡ଼ିଶାକୁ ସିଧାସଳଖ ବିମାନ ସଂଯୋଗ ନଥିବାରୁ ମୃତଦେହ ପଠାଇବାରେ ସମସ୍ୟା ହେଉଥିବା ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡ଼. ଅରୁଣ କୁମାର ପ୍ରହରାଜ କହିଛନ୍ତି ।
ରାଜ୍ୟରେ ଅଧିକ ରୋଜଗାରଯୁକ୍ତ କାମ ମିଳିଲା ନାହିଁ । ତେଣୁ ପରିବାର ଭରଣପୋଷଣ ପାଇଁ ପୁରୁଷୋତ୍ତମ ସାହୁ ବାହାରିନ ଯାଇଥିଲେ । ସେଠାରେ ସେ ଏନଏଚଏସ କମ୍ପାନିରେ କାମ କରୁଥିଲେ । ଗତ ଶନିବାର ସେ କମ୍ପାନିରେ କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ସାଥୀମାନେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ସେଠାକାର ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତର ରିପୋର୍ଟ ଅନୁସାରେ ହୃଦଘାତରେ ପୁରୁଷୋତ୍ତମଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା । ପୁରୁଷୋତ୍ତମଙ୍କ ପାଖରେ ପତ୍ନୀ, ଶିଶୁ କନ୍ୟା, ବାପା ଓ ମାଆ ଅଛନ୍ତି ।
ପୁରୁଷୋତ୍ତମଙ୍କ ମୃତଦେହ ଜନ୍ମ ମାଟିକୁ ଫେରାଇ ଆଣିବା ଲାଗି ସମସ୍ୟା ସୃଷ୍ଟି ହୋଇଥିଲା । ମୃତଦେହ ଗାଁକୁ କେମିତି ଫେରିବ, ସେହି ଚିନ୍ତାରେ ପଡ଼ିଗଲେ ପୁରୁଷୋତ୍ତମଙ୍କ ସହଯୋଗୀ ଓ ପରିବାର । ଏ ନେଇ ସେମାନେ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡାକ୍ତର ଅରୁଣ କୁମାର ପ୍ରହରାଜଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ଅରୁଣ ଭାରତ ସରକାରଙ୍କ ରାଷ୍ଟ୍ରଦୂତ ଓ କମ୍ପାନୀ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ପ୍ରାୟ ତିନି ଦିନ ପରେ ପୋଷ୍ଟମର୍ଟମ ରିପୋର୍ଟ ଓ ପୋଲିସ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ କ୍ଲିୟରାନ୍ସ ମିଳିବା ପରେ ପୁରୁଷୋତ୍ତମଙ୍କ ମୃତଦେହ ଓଡ଼ିଶା ଅଭିମୁଖେ ଆସୁଛି । ପୁରୁଷୋତ୍ତମଙ୍କ ମୃତଦେହ ବାହାରିନରୁ ଏୟାର ଇଣ୍ଡିଆ ବିମାନରେ ନୂଆଦିଲ୍ଲୀ ଓ ପରେ ବିଶାଖାପାଟନମକୁ ଆସିଛି । ସେଠାରୁ ମୃତଦେହ ଭୁବନେଶ୍ୱର ଆସି ଗାଁରେ ପହଞ୍ଚିବ ବୋଲି ଜଣାପଡ଼ିଛି ।
ବିଜୁ ପଟ୍ଟନାୟକ ବିମାନ ବନ୍ଦର ସହ ଅନ୍ତର୍ଜାତୀୟ ସଂଯୋଗ ନଥିବାରୁ ପ୍ରବାସୀଙ୍କ ମରଶରୀରକୁ ସିଧାସଳଖ ଭୁବନେଶ୍ୱର ଅଣାଯାଇ ପାରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅରୁଣ ପ୍ରହରାଜ । ଏୟାର ଇଣ୍ଡିଆ ବିମାନ ସେବା ବିଦେଶରୁ ଭୁବନେଶ୍ୱରକୁ ନଥିବାରୁ ମରଶରୀରକୁ ଭୁବନେଶ୍ୱର ବଦଳରେ ବିଶାଖାପାଟଣାକୁ ଅଣାଯାଉଛି । ସେଠାରୁ ଭୁବନେଶ୍ୱର ଅଣାଯାଇ ଜନ୍ମମାଟିକୁ ପଠା ଯାଉଛି । ବିମାନସେବା ସିଧାସଳଖ ଭୁବନେଶ୍ୱରକୁ କରିବା ଲାଗି ବ୍ୟବସ୍ଥା କରାଯାଉ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଅରୁଣ । ଭୁବନେଶ୍ୱରକୁ ସିଧାସଳଖ ଉଡାଣ ହେଲେ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ସୁବିଧା ହେବ । ଡ଼. ଅରୁଣ ପ୍ରହରାଜ ବାହାରିନ୍, ସାଉଦି ଆରବିଆ, ଓମାନ୍, ସଂଯୁକ୍ତ ରାଷ୍ଟ୍ର ପ୍ରଭୃତି ଦେଶରେ କୌଣସି ଓଡ଼ିଆମାନଙ୍କର ଅସୁବିଧା ସମୟରେ ତାଙ୍କ ପାଖରେ ପହଞ୍ଚି ସାହାଯ୍ୟର ହାତ ବଢାଇଥାଆନ୍ତି ।
ଇଟିଭି ଭାରତ, ଭୁବନେଶ୍ବର