ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ମନସ୍କର ଟ୍ରେଲର ରିଲିଜ ହୋଇଛି । ସ୍ଥାନୀୟ ଟ୍ରାଇବଲ୍ ମ୍ୟୁଜିୟମ୍ ଠାରେ ଏହି ମନସ୍କ ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବରେ ଓଡିଆ ଚଳଚ୍ଚିତ୍ର ଜଗତର ପରିଚିତ କଳାକାର କୁନା ତ୍ରିପାଠୀ, ଫିଲ୍ମର ଲେଖକ ଡ଼ ଲିଙ୍ଗରାଜ ନାଥ, ଚଳଚ୍ଚିତ୍ରର ନାୟକରେ ଅଶ୍ୱିନୀ ରାୟ ମହାପାତ୍ର, ଅଭିନେତ୍ରୀ ମଧୁମିତା ବାରିକଙ୍କ ଉପସ୍ଥିତିରେ ଟ୍ରେଲର ରିଲିଜ୍ ହୋଇଥିଲା ।
ଏହାକୁ ନେଇ କୁନା ତ୍ରିପାଠୀ କହିଥିଲେ ''ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ବର୍ତ୍ତମାନ ସମୟରେ ନିଚ୍ଛକ କାହାଣୀର ଆବଶ୍ୟକତା ରହିଛି । ଯେପରିକି ମନ୍ଦିରର ମୁଖଶାଳାକୁ ଦେଖି ମନ୍ଦିରର ସୁନ୍ଦରତା ଜଣାପଡେ ସେହିପରି ଏହି ଚଳଚ୍ଚିତ୍ରର ଟ୍ରେଲର ଦେଖି ଏହାର କାହାଣୀଟି ଭିନ୍ନଧରଣର ହୋଇଥିବ ବୋଲି ଜଣାପଡୁଛି । ମନସ୍କ ଚଳଚ୍ଚିତ୍ରଟି ବହୁତ ସୁନ୍ଦର ହୋଇଥିବ ବୋଲି ମୋର ଆଶା । ଏଥିପାଇଁ ମୁଁ ସହଯୋଗର ହାତ ବଢାଇଛି ଏବଂ ଆପଣମାନେ ମଧ୍ୟ ବଢାନ୍ତୁ । ଏଥିସହିତ ଆମ ସମୟର ବହୁଚର୍ଚ୍ଚିତ କିମ୍ବଦନ୍ତୀ ତଥା ବର୍ଷୀୟାନ ଆନ୍ତର୍ଜାତିକ ସ୍ତରର ଅଭିନେତା ବରିଷ୍ଠ ବିକାଶ ଚୌଧୁରୀ ଏହି ଚଳଚ୍ଚିତ୍ରରେ ଜଣେ ଅତିବୌଧିକ ବୌଦ୍ଧ ସନ୍ନ୍ୟାସର ଚରିତ୍ରକୁ ଏକ ବିଶିଷ୍ଠ ଢଙ୍ଗରେ ଉପସ୍ଥାପନା କରିଛନ୍ତି । ଯାହା ଦର୍ଶନଙ୍କୁ ବେଶ ଆକୃଷ୍ଟ କରିବ” ।
ତେବେ “ମନସ୍କ”ର ପ୍ରକୃତ ଅର୍ଥ ହେଲା ଏକ କେନ୍ଦ୍ରୀଭୂତ ମନ । ମନ ଯଦି ପଜିଟିଭ୍ ଥାଏ ତେବେ ମନସ୍କ ମଣିଷ ଉନ୍ନତିର ଚରମ ଶିଖରକୁ ଛୁଏଁ । କିନ୍ତୁ ଯଦି ମନ ନେଗେଟିଭ୍ ହେଇଯାଏ ତେବେ ମନସ୍କତା ଜୀବନ ଉପରେ ଖୁବ୍ ଭାରି ପଡିଥାଏ । ଏମିତି ଏକ ମନସ୍ତତ୍ୱରେ ଜୀବନର ଭାରକୁ କାନ୍ଧରେ ବୋହୁଥିବା ଚରିତ୍ର “ତନିସ” ।
ସମଗ୍ର କାହାଣୀରେ ସେ ଜୀବନର ଏକ ବିଶାଳ ଅନୁଚିନ୍ତାକୁ ବୋହି ଚାଲିଛି । ଯାହା ଏକ ଅଜଣା ସଂଘର୍ଷର କାହାଣୀ ଉପରେ ପର୍ଯ୍ୟବେଷିତ । ସତରେ କ’ଣ ଏଇ ‘ମନସ୍କ’ ମଣିଷ ଜୀବନର ସେଇ ମନସ୍କ ତାର ନିଜ ସଚେତନତାରେ ବାହାରି ପାରୁଛି ତନିସ ? ସତରେ କଣ ତାହାର ଭଙ୍ଗାରୁଜା ଜୀବନ କାହାଣୀ ପୁଣି ଧ୍ୱଂସ ମନସ୍କତାର ନିବୃତ କୋଣରୁ ବାହାରି, ଏକ ନୂଆ ମନସ୍କତାର ଆଖି ଖୋଲୁଛି ? ଏହି ସବୁ ପ୍ରଶ୍ନ ଆଉ ଉତ୍ତରର ପ୍ରହେଳିକା ମଝିରେ ଛଟପଟ ହେଉଥିବା ଏକ କାହାଣୀ ହେଉଛି ‘ମନସ୍କ’ ।
ଏହି କାହାଣୀ ଏକ ମନସ୍ତାତ୍ୱିକ ଆଉ ଦାର୍ଶନିକ କାହାଣୀ । ଯାହା ଭୟ ସଙ୍କୁଳତାର ରୂପନେଇ ବଢିଚାଲିଛି । ଜାତୀୟସ୍ତରର ନିର୍ଦ୍ଦେଶକ ‘ମାନସ ସାହୁ’ ଏହି କାହାଣୀର ନିର୍ଦ୍ଦେଶକ ନିର୍ଦ୍ଦେଶନା ଦେଇଛନ୍ତି । ଏହାର କାହାଣୀ ରଚନା କରିଛନ୍ତି ଡା. ଲିଙ୍ଗରାଜ ନାଥ, ପ୍ରଯୋଜନା କରିଛନ୍ତି ଭବାନୀ ପ୍ରସାଦ ମାଝୀ, ଚଳଚ୍ଚିତ୍ରର ନାୟକରେ ଅଶ୍ୱନୀ ରାୟ ମହାପାତ୍ର ଭୂମିକା ଗ୍ରହଣ କରିଥିବା ବେଳେ ଅଭିନେତ୍ରୀ ମଧୁମିତା ବାରିକ ଚଳଚ୍ଚିତ୍ରର ମୁଖ୍ୟ ନାୟିକାରେ ଅଭିନୟ କରିବେ ।
ଇଟିଭି ଭାରତ, ଭୁବନେଶ୍ବର