ଭୁବନେଶ୍ବର: ପରିବା ବଜାରରେ ଲାଗିଛି ନିଆଁ । ହୁ ହୁ ହୋଇ ବଢୁଛି ପରିବା ଦର । ଫଳରେ ଗରିବ ଓ ମଧ୍ୟବିତ୍ତଙ୍କ ହାଣ୍ଡିଶାଳର ବଜେଟ୍ ବିଗିଡ଼ି ଯାଇଛି । ପରିବା କିଣିବାକୁ ଗଲେ ଗ୍ରାହକଙ୍କୁ ଡର ଲାଗୁଛି । କାରଣ ଅଧିକାଂଶ ପରିବା ଦର ଏବେ କିଲୋ ପିଛା ୧୦୦ ଟଙ୍କା ପାର କରିଛି । ଫଳରେ ଅନେକ ପରିବା କିଣିବାକୁ ସହାସ କରୁନାହାନ୍ତି । ତେବେ ଏନେଇ ସାଧାରଣରେ ଅସନ୍ତାଷ ବୃଦ୍ଧି ପାଉଛି । ଏହାର ସିଧାସଳଖ ପ୍ରଭାବ ପଡୁଛି ସାଧାରଣ ଓ ଗରିବ ଶ୍ରେଣୀର ଲୋକମାନଙ୍କ ଉପରେ । ଅଦା, ପିଆଜ, ରସୁଣ, ବିଲାତି ସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଏବେ ପେଟ୍ରୋଲ ଦରକୁ ପାର କରିଛି ।
ତେବେ ପନିପରିବାର ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବେକରେ ପରିବା ମାଳ ପକାଇ ଅଭିନବ ଢଙ୍ଗରେ ପ୍ରତିବାଦ ପଦର୍ଶନ କରିଛି ଛାତ୍ର କଂଗ୍ରେସ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ୟୁନିଟ ୩ ସ୍ଥିତ ସରକାରୀ ବାସଭବନ ଉପରକୁ ଟମାଟୋ ଓ ପରିବା ମାଡ଼ କରି ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ମନ୍ତ୍ରୀଙ୍କ ବାସଭବନ ଭିତରକୁ ପଶିବାକୁ ପ୍ରୟାସ ବେଳେ ପୋଲିସ ସହ ଛାତ୍ର କଂଗ୍ରେସର କର୍ମକର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ଉପୁଜିଥିଲା । ଏହାପରେ କିଛି ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ ।
ବେଲଗାମ ପରିବା ଦର, ଟମାଟୋ କିଲୋ ୧୦୦ ଟଙ୍କା ଉପରେ । ସାଧାରଣ ଖାଉଟି ପାଇଁ ଏପରି ଦରବୃଦ୍ଧି ଦୁଃଖ ଏବଂ କଷ୍ଟଦାୟକ । ଖାଲି ଟମାଟୋ ନୁହେଁ, ବିନ, ପୋଟଳ, ବାଇଗଣ ଆଦି ସବୁ ପନିପରିବା ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । ଏପରିକି ପେଟ୍ରୋଲ ଠାରୁ ପରିବା ମୂଲ୍ୟ ଅଧିକ ହୋଇଯାଇଛି । ଖାଉଟି ଆଜି ମୁଣ୍ଡରେ ହାତ ଦେଇ ବସିଛି । ଖାଉଟି ଅତିଷ୍ଠ । ପରିବା ଦର ଏଭଳି ଦେଖି ଲୋକେ ଆଉ ପରିବା କିଣିବା ପାଇଁ ଅମଙ୍ଗ ହେଉଛନ୍ତି । ଏନେଇ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ କହିଛନ୍ତି, "ସାରା ଦେଶରେ ପନିପରିବା ଯେଉଁଭଳି ବଢିଯାଇଛି ସାଧାରଣ ଖାଉଟି ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ନବୀନ ଓ ମୋଦିକୃତ ପରିବା ଦର । ରାଜ୍ୟରେ କମ କୋଲ୍ଡ୍ ଷ୍ଟୋରେଜ୍ ଅଛି । ଫଳରେ ଚାଷୀ ଆଜି ହନ୍ତସନ୍ତ ହେଉଛି । ରାଜ୍ୟ ଆଉ କେନ୍ଦ୍ର ସରକାର ଚୁପ ବସିଛନ୍ତି । ପନିପରିବା ଦର ନକମିଲେ ଛାତ୍ର କଂଗ୍ରେସ ଆଗକୁ ଏ ଆନ୍ଦୋଳନକୁ ତୀବ୍ର କରିବ ।"
ଇଟିଭି ଭାରତ, ଭୁବନେଶ୍ବର