ଭୁବନେଶ୍ବର: ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି ଓଡ଼ିଆ ପ୍ରଯୋଜକ ନୀଳମାଧବ ପଣ୍ଡା । ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଯୋଜକ ଓ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଭାରତର ପ୍ରଥମ କ୍ଲାଇମେଟ୍ ଫିକ୍ସନ (କ୍ଲି-ଫି) ଥ୍ରୀଲର ସିରିଜ୍ ‘ଦ ଜେଙ୍ଗାବୁରୁ କର୍ସ’ର ରିଲିଜ୍ ପାଇଁ ପ୍ରସ୍ତୁତ ହୋଇସାରିଛି । ‘ଦ ଜେଙ୍ଗାବୁରୁ କର୍ସ’ ସିରିଜ ଓଡ଼ିଶାର ଖଣି ଖାଦାନର ପୃଷ୍ଠଭୂମିକୁ ନେଇ ନିର୍ମିତ ହୋଇଛି । ଏହି ସିରିଜ୍ ଆସନ୍ତା ଅଗଷ୍ଟ ୯ ତାରିଖରୁ ସୋନି ଲିଭ୍ ଆପ୍ରେ ଷ୍ଟ୍ରିମିଂ ହେବ ।
ଓଡ଼ିଶାର ଏକ ଛୋଟିଆ ସହର ଉପରେ ପର୍ଯ୍ୟବେଶିତ ଏହି ସିରିଜ୍ ଲଣ୍ଡନ୍ରେ ରହୁଥିବା ଜଣେ ଆର୍ଥିକ ବିଶ୍ଳେଷକ ପ୍ରିୟା ଦାସଙ୍କ କାହାଣୀ ଉପରେ ଆଧାରିତ । ଯେତେବେଳେ ତାଙ୍କ ପିତା ପ୍ରଫେସର ଦାସ ହଠାତ୍ ନିଖୋଜ ହୋଇଯାଆନ୍ତି, ଏହା ପ୍ରିୟାଙ୍କୁ ଓଡ଼ିଶା ଫେରିବାକୁ ବାଧ୍ୟ କରେ । ପ୍ରିୟା ତାଙ୍କ ପିତାଙ୍କୁ ଖୋଜିବା ସମୟରେ ଏକାଧିକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ପାଆନ୍ତି ଯାହା ସ୍ଥାନୀୟ ବଣ୍ଡା ଆଦିବାସୀ ଓ ଖଣି ରାଜ୍ୟ ଓଡିଶା ମଧ୍ୟରେ ଏକ ଅସାଧାରଣ ସଂଯୋଗକୁ ଉନ୍ମୋଚନ କରିଥାଏ ।
ଫିଲ୍ମ ପ୍ରଯୋଜକ ନୀଳମାଧବ ପଣ୍ଡା ଏହି ସିରିଜ ମାଧ୍ୟମରେ ଓଟିଟି ପ୍ଲାଟ୍ଫର୍ମରେ ଡେବ୍ୟୁ କରିବେ । ଷ୍ଟୁଡିଓ ନେକ୍ସଟ୍ ଦ୍ୱାରା ପ୍ରାୟୋଜିତ ଦ ଜେଙ୍ଗାବୁରୁ କର୍ସକୁ ନୀଳମାଧବ ପଣ୍ଡା ନିର୍ଦ୍ଦେଶନା ଦେଇଥିବା ବେଳେ ମୟଙ୍କ ତିୱାରୀ ଏହାକୁ ଲେଖିଛନ୍ତି ଏବଂ ପାଉଲୋ ପେରେଜ ଡିଓପି ଭାବେ କାର୍ଯ୍ୟ କରିଛନ୍ତି । ଅଳକାନନ୍ଦା ଦାସଗୁପ୍ତା ଓ ଦୁର୍ଗା ପ୍ରସାଦ ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଏହି ସିରିଜର ପ୍ରଡକ୍ସନ ଡିଜାଇନର ରହିଛନ୍ତି । ଏହି ସିରିଜ୍ରେ ଫରିଆ ଅବ୍ଦୁଲ୍ଲା, ନସିର ମକରନ୍ଦ ଦେଶପାଣ୍ଡେ, ସୁଦେବ ନାୟର, ଦୀପକ ସମ୍ପତ୍ ଓ ହିତେଶ ଦାବେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ନୀଳମାଧବ ପଣ୍ଡା ଜୁରୀ ମେମ୍ବର ଚୟନ, ଶୁଭେଚ୍ଛା ଜଣାଇଲେ ନବୀନ
ସେପଟେ ଏନେଇ କ୍ରିଏଟର ଏବଂ ଡାଇରେକ୍ଟର ନୀଳମାଧବ ପଣ୍ଡା କହିଛନ୍ତି, ‘ଦ ଜେଙ୍ଗାବୁରୁ କର୍ସ' ହେଉଛି ପ୍ରଥମ ଭାରତୀୟ କ୍ଲାଇମେଟ୍ ଫିକ୍ସନ ଥ୍ରୀଲର ସିରିଜ୍ । ଏହା ମନୁଷ୍ୟ ଦ୍ୱାରା ପ୍ରାକୃତିକ ସମ୍ପଦ ଗୁଡିକର ନିରନ୍ତର ସନ୍ଧାନର ପ୍ରତିକ୍ରିୟାକୁ ଗଭୀର ଭାବେ ଉପସ୍ଥାପନ କରିଛି ଏବଂ ଏହାର ଭୟଙ୍କର ପରିଣାମକୁ ପରିପ୍ରକାଶ କରିଛି । ଜେଙ୍ଗାବୁରୁ ମାଧ୍ୟମରେ ଆମର ଲକ୍ଷ୍ୟ ହେଉଛି ଦର୍ଶକଙ୍କୁ ମନୋରଞ୍ଜନ କରାଇବା ଏବଂ ପରିବେଶ ସଂରକ୍ଷିତ ରଖିବାର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା । ତେଣୁ ଓଡ଼ିଶାର କାହାଣୀକୁ ଜାତୀୟ ସ୍ତରରେ ପହଞ୍ଚାଇବାର ଏହି ପ୍ରୟାସ ନିଶ୍ଚୟ ସବୁ ବର୍ଗର ଦର୍ଶକଙ୍କୁ ଭଲ ଲାଗିବ।
ଇଟିଭି ଭାରତ, ଭୁବନେଶ୍ବର