ଭୁବନେଶ୍ବର: ରାଜଧାନୀର ୟୁନିଟ ୧ ଆଦିବାସୀ ପଡିଆରେ ଆରମ୍ଭ ହୋଇଛି ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଏବଂ ଜନଜାତି ନୃତ୍ୟ ମହୋତ୍ସବ । ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଜନଜାତି ନୃତ୍ୟ ମହୋତ୍ସବ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମହୋତ୍ସବରେ ଓଡ଼ିଶା ସମେତ ଗୁଜୁରାଟ, ଛତିଶଗଡ, ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ, ମିଜୋରାମ ଭଳି ୧୨ଟି ରାଜ୍ୟର ଜନଜାତି ନୃତ୍ୟଶିଳ୍ପୀମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ ହେବ । ସେହିପରି ଓଡ଼ିଶା ସମେତ ୧୩ ରାଜ୍ୟରୁ ଆସିଥିବା ଜନଜାତି କଳାବସ୍ତୁ ପ୍ରଦର୍ଶିତ ହୋଇଛି ।
ବିଶେଷକରି ଏହି ମେଳାରେ ଆମ ଓଡ଼ିଶାର ଲାଖ, ବାଉଁଶ, ଶବାଇ ଘାସ, ଶିଆଳିରୁ ପ୍ରସ୍ତୁତ ସାମଗ୍ରୀ ମୁଖ୍ୟ ଆକର୍ଷଣ ସାଜିଛି । ମହୋତ୍ସବରେ ଓଡ଼ିଶାର ମୋଟ ୮୧ଟି ଷ୍ଟଲ୍ ରହିଥିବାବେଳେ ରାଜ୍ୟ ବାହାରୁ ୨୫ଟି ଷ୍ଟଲ୍ ଆସିଛି । ଆଦିବାସୀ ମେଳା ଭଳି ଏହି ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ମେଳାରେ ଭଲ ବ୍ୟବସାୟ ହେବାର ଆଶା ରଖାଯାଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଜନଜାତି ମହୋତ୍ସବର ଉଦଘାଟନ କରିଛନ୍ତି ।
ଏହି ଅବସରରେ ମନ୍ତ୍ରୀ ଓ ମେୟର କହିଛନ୍ତି ଯେ, ଏଭଳି କାର୍ଯ୍ୟକ୍ରମ ଜନଜାତିଙ୍କ ସାମଗ୍ରୀର ବିକ୍ରି ପାଇଁ ବଜାର ସୃଷ୍ଟି କରୁଥିବା ବେଳେ ସେମାନଙ୍କ ଚାଲିଚଳଣି, ବେଶ ପୋଷାକ ଓ ସେମାନଙ୍କର ପରମ୍ପରିକ ନୃତ୍ୟର ଗାଥା ବଖାଣୁଛି । ତେଣୁ ଏହା ସେମାନଙ୍କୁ ଖୁସି ଦେବା ସହ ସେମାନଙ୍କ ଭିତରେ ଭାବର ଆଦାନପ୍ରଦାନ ଏବଂ ଏକ ବନ୍ଧୁତ୍ୱର ସଦ୍ଭାବନା ସୃଷ୍ଟି କରୁଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଅନୁସୂଚିତ ଜନଜାତି ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଇଦ୍ରମଣି ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।
ପ୍ରତିଦିନ ଦିନ ୩ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତି ୯ଟା ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ଅରୁଣାଚଳ ପ୍ରଦେଶର ନିଶୀ ଜନଜାତିଙ୍କ ରେଖାମପଡ଼ା ନୃତ୍ୟ, ଓଡିଶାର କୋୟା ଜନଜାତିର ବିରଜା ପାଣ୍ଡୁ ନୃତ୍ୟ, ମିଜୋରାମର ମିଜୋ ଜନଜାତିର ସୋଲାକିଆ ନୃତ୍ୟ, ମହାରାଷ୍ଟ୍ରର ଗଣ୍ଡ ଜନଜାତିର ଖାପରି ନୃତ୍ୟ, ଝାଡଖଣ୍ଡ ଓରାମ ଜନଜାତିର କରମା ନୃତ୍ୟ ପରିବେଷିତ ହୋଇଛି । ୧୩, ୧୪ ଓ ୧୫ ତାରିଖ ତିନି ଦିନ ଧରି ସନ୍ଧ୍ୟା ସାଢେ ୬ଟାରୁ ରାତି ୯ଟା ଯାଏଁ ୧୨ଟି ରାଜ୍ୟରୁ ଆସିଥିବା ଜନଜାତିର ନୃତ୍ୟ ପରିବେଷଣ କରାଯିବ ।
ଆଜି ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ଉତ୍ତରପ୍ରଦେଶ, ଓଡି଼ଶା, ଛତିଶଗଡ଼, ହିମାଞ୍ଚଳ ପ୍ରଦେଶ ଓ ମିଜୋରାମ ଜନଜାତିର ନୃତ୍ୟ ପ୍ରଦର୍ଶିତ ହେବ । ଏହି କଳାବସ୍ତୁ ଓ ନୃତ୍ୟ ପ୍ରଦର୍ଶନୀ ମହୋତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରରୁ ଆସିଥିବା ନୃତ୍ୟ ଶିଳ୍ପୀ ନିଜ ରାଜ୍ୟର କଳା ସଂସ୍କୃତି ଓ ପରମ୍ପରାର ପ୍ରତିଭା ପ୍ରଦର୍ଶନ କରି ଖୁସିଥିବା ପ୍ରକାଶ କରିଛନ୍ତି । ବ୍ୟବସାୟୀମାନେ ସେମାନଙ୍କର ହାତ ତିଆରି ସାମଗ୍ରୀର ଭଲ ବ୍ୟବସାୟ ପାଇଁ ଆଶା ରଖିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର