ଭୁବନେଶ୍ବର: ଆଜି କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସପ୍ତାହେ ବିଳମ୍ବରେ କେରଳ ଛୁଇଁଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ମୌସୁମୀ କେରଳ ଛୁଇଁଥିବା ବେଳେ କେବେ ଓଡ଼ିଶା ଛୁଇଁବ ମୌସୁମୀ ତାହା ସ୍ପଷ୍ଟ ହୋଇପାରୁନାହିଁ । ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ, ଲାକ୍ଷାଦ୍ଵୀପ ଓ କେରଳର ସବୁ ଅଞ୍ଚଳକୁ ମୌସୁମୀ ବାୟୁ ଛୁଇଁଛି । ଦକ୍ଷିଣ ତାମିଲନାଡୁ ମଧ୍ୟ ମୌସୁମୀ ବାୟୁ ଛୁଇଁଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତିବର୍ଷ ଜୁନ ୧ କିମ୍ବା ୨ ତାରିଖରେ କେରଳ ଛୁଉଁଥିବା ବେଳେ ଏବର୍ଷ ସାମାନ୍ୟ ବିଳମ୍ବ ହୋଇଛି । ଏହିକ୍ରମରେ ଓଡିଶାରେ ମୌସୁମୀ ସ୍ଥଳଭାଗ ଛୁଇଁବା ମଧ୍ୟ ବିଳମ୍ବ ହେବ ବୋଲି ପୂର୍ବାନୁମାନ କରିଛି ବିଭାଗ ।
ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ପାଇଁ ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲା ଗୁଡ଼ିକୁ ଗ୍ରୀଷ୍ମ ପ୍ରବାହ ଜାରି ହୋଇଛି । 2ରୁ 3 ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ଅପରାହ୍ନରେ ଭୁବନେଶ୍ୱର ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ପବନ ହୋଇଛି ।
ଗତ ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବା ବେଳେ କଟକ ଜିଲ୍ଲାର କଣ୍ଟାପଡ଼ାରେ ସର୍ବାଧିକ ୫୨.୦୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁରରେ ସର୍ବାଧିକ ଦିନ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ଭୁବନେଶ୍ଵରର ତାପମାତ୍ରା ରହିଥିଲା ୪୧.୨ ଡିଗ୍ରୀ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ନଥିବା ବେଳେ ବର୍ତ୍ତମାନ ରାଜ୍ୟରେ ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହେଉଛି । ଏହାକୁ ନେଇ ଆଗକୁ ଆହୁରି ରାଜ୍ୟରେ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ତେଣୁ ଏଥର ରଜକୁ ଫିକା କରିବ ଖରା । କାରଣ ୫ଦିନ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ହେବ । ସ୍ଵାଭାବିକ ତାପମାତ୍ରାଠାରୁ ୩ରୁ ୫ ଡିଗ୍ରୀ ବୃଦ୍ଧି ହେବ ଦିନ ତାପମାତ୍ରା ।
ଇଟିଭି ଭାରତ, ଭୁବନେଶ୍ବର