ଭୁବନେଶ୍ବର: ହକି ତାରକାଙ୍କ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ । ପୂର୍ବତନ ହକି ଖେଳାଳି ତଥା ପୂର୍ବତନ ହକି କ୍ୟାପଟେନ ପ୍ରବୋଧ ତିର୍କିଙ୍କ ଘରୁ ଅନେକ ମୂଲ୍ୟବାନ ଜିନିଷ ପଦାର୍ଥ ସହ ତାଙ୍କ ସମସ୍ତ ପରିଶ୍ରମକୁ ମଧ୍ୟ ଚୋରି କରିନେଇଛନ୍ତି । ଖେଳ କ୍ୟାରିଅର ଭିତରେ ଜିତିଥିବା ସମସ୍ତ ମେଡାଲକୁ ଏହି ଦୁର୍ବୃତ୍ତମାନେ ଚୋରି କରିନେଇଥିବା ଜଣାପଡ଼ିଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ରାଜଧାନୀର ହାଇସିକ୍ୟୁରିଟି ଜୋନ୍ରେ ଏଭଳି ଚୋରି ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ କେହି ସ୍ଥାନୀୟ ଲୋକ ସମ୍ପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରିଛି ।
ଦାମି ଜିନିଷର ସହ ଘରର ଆସବାବପତ୍ର ଚୋରମାନେ ଲୁଟି ନେଇଛନ୍ତି । ଏଭଳି ଆତଙ୍କ ହାଇସିକ୍ୟୁରିଟି ଜୋନ୍ ତଥା କ୍ୟାପିଟାଲ ଥାନା ଅଞ୍ଚଳର ଭୁବନେଶ୍ବର କ୍ଲବ୍ ପଛପଟ କ୍ବାଟର ନମ୍ବର VR 86 ଅଞ୍ଚଳରେ ଦେଖିବାକୁ ମିଳିଛି । ଘରର ତାଲା ତାଡି ଘରୁ କଳାକନା ବୁଲାଇଛନ୍ତି ଚୋରଗୋଷ୍ଠୀ । ଅଲମ୍ପିଆନ ତଥା ଭାରତର ପୂର୍ବତନ ହକି କ୍ୟାପଟେନ ପ୍ରବୋଧ ତିର୍କିଙ୍କ ଘରୁ ଏଭଳି ଚୋରି ହୋଇଛି । ସେ ଓ ତାଙ୍କ ପତ୍ନୀ ଘରେ ଅନୁପସ୍ଥିତ ଥିବା ବେଳେ ହୋଇଛି ଚୋରି । ସେ ନିଜ ଭାଇ ଘରେ ଥିବା ବେଳେ ଏହି ସମୟର ସୁଯୋଗ ନେଇ ଚୋରମାନେ ତାଲା ଭାଙ୍ଗି ଚୋରି କରିଛନ୍ତି ।
ଏହା ବି ପଢନ୍ତୁ- ସୀମା ଲଙ୍ଘୁଛି ପାଶବିକତା ! ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ କଲେ 3 ନାବାଳକ
ଘରୁ ମୂଲ୍ୟବାନ ଜିନିଷ ଓ ତାଙ୍କର ସମସ୍ତ ମେଡାଲ ଚୋରି କରିନେଇଛନ୍ତି ଏମାନେ । ନିଜ କ୍ୟାରିଅରରେ ବହୁ ପରିଶ୍ରମର ସହିତ ଖେଳି ଦେଶ ପାଇଁ ଗୌରବ ଆଣିଥିବା ଏହି ପୂର୍ବତନ ହକି ତାରକାଙ୍କୁ ଘରୁ ଏପରି ଚୋରି ହୋଇଛି । ଏନେଇ ପ୍ରବୋଧଙ୍କ ଭାଇ କ୍ୟାପିଟାଲ ଥାନାରେ ରିପୋର୍ଟ ଦେଇଛନ୍ତି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, "ସେମାନେ ଘରେ ନଥିବା ସମୟରେ ଚୋରି ହୋଇଛି । ଜଣାପଡ଼ୁଛି ଏଠାକାର ସ୍ଥାନୀୟ ଲୋକ କେହି ଏପରି କାମ କରିଛି । ତେବେ କୌଣସି ପ୍ରଫେସନାଲ ଚୋରର ଏପରି କରିଥିବା ନେଇ ଜଣା ପଡୁନାହିଁ । ଉକ୍ତ ସ୍ଥାନରେ ସାଇଣ୍ଟିଫିକ ଟିମ ପହଞ୍ଚିଛି । ଚୋରକୁ ଖୋଜିବାକୁ ପ୍ରୟାସ ଚାଲିଛି । ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି । ତଦନ୍ତ ପ୍ରକ୍ରିୟା ଆଗକୁ ବଢିଲେ ଚୋର ସମ୍ପର୍କରେ ଜଣାପଡ଼ିବ । ଖୁବଶୀଘ୍ର ଚୋରକୁ ଧରିବାକୁ ପ୍ରୟାସ ଜାରି ରହିଛି ।" ଗୋଟିଏ ପଟେ ପୁରୁଷ ବିଶ୍ବକପ ହକି ୨୦୨୩ ଚାଲିଥିବା ବେଳେ ଏପରି ଚୋରି ପୋଲିସ ପାଇଁ ଚ୍ୟାଲେଞ୍ଜି ସୃଷ୍ଟି କରିଛି ।
ଇଟିଭି ଭାରତ, ଭୁବନେଶ୍ବର