ଭୁବନେଶ୍ବର: ଡ୍ରପ୍ ଆଉଟ୍ ସମସ୍ୟା ନେଇ ଚିନ୍ତାରେ ଗଣଶିକ୍ଷା ବିଭାଗ । କୋଭିଡ ସମୟର ଲକ୍ଷ ଲକ୍ଷ ପିଲାମାନେ ଅଧାରୁ ପାଠ ଛାଡିଛନ୍ତି । ଏମାନଙ୍କୁ ଖୋଜିବାକୁ ବିଭାଗର ଚାଲିଛି ପ୍ରାୟାସ । ହେଲେ ଏପର୍ଯ୍ୟନ୍ତ ବିଫଳ ରହିଛନ୍ତି ରାଜ୍ୟ ସରକାର । ଶିଶୁଙ୍କ ପାଇଁ ତମାମ ଯୋଜନା ଓ ପ୍ରୋତ୍ସାହନ ସତ୍ତ୍ବେ ଲକ୍ଷାଧିକ ପିଲା ପାଠ ପଢାରୁ ବଞ୍ଚିତ ହେଉଛନ୍ତି । ଅନେକ ସ୍ଥାନରେ ଏବେବି ହଜାର ହଜାର ଛାତ୍ର ଶିଶୁ ଶ୍ରମିକ ଭାବରେ କାମ କରୁଛନ୍ତି । ସେମାନଙ୍କୁ ଚିହ୍ନଟ କରି ମୁଖ୍ୟସ୍ରୋତରେ ସାମିଲ କରିବାକୁ ବାରମ୍ବାର ପ୍ରାୟାସ କରାଯାଉଥିଲେ ମଧ୍ୟ ଆଶାନୁରୂପକ ଭାବରେ ସଫଳତା ମିଳୁନାହିଁ । ପ୍ରାଥମିକ ଶିକ୍ଷା ପାଇଁ ସରକାରଙ୍କ ମାଳ ମାଳ ଯୋଜନା ରହିଛି ।
ଏହା ସତ୍ତ୍ବେ ବି ପିଲାମାନେ ପାଠ ପଢ଼ାପ୍ରତି ଆଗ୍ରହ ଦେଖାଉନାହାଁନ୍ତି । ତେବେ ଶିଶୁ ଦିବସ ଓ ସୁରଭି କାର୍ଯ୍ୟକ୍ରମ କାହା ପାଇଁ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ, "ଶିକ୍ଷକମାନେ ସ୍କୁଲ ଛାଡ଼ିଥିବା ପିଲାଙ୍କ ଘର ଘର ବୁଲି ସମୀକ୍ଷା କରିବେ । ଯଦି ସ୍କୁଲକୁ ପିଲାଙ୍କୁ ପଠାଇବାରେ ଅଭିଭାବକ ଅସମର୍ଥ ହେବେ ତେବେ ଏହାକୁ ନେଇ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯିବ । ଏହା ସହ ଅଙ୍ଗନବାଡ଼ି ଓ ସ୍ବେଚ୍ଛାସେବୀ ସଂଗଠନର ସହାୟତା ନିଆଯିବ ।" କୋଭିଡ ସମୟରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଅଧିକ ପ୍ରଭାବିତ ହୋଇଥିଲା । ସରକାରୀ ତଥ୍ୟ ଅନୁସାରେ, ୬ ରୁ ୧୪ ବର୍ଷ ମଧ୍ୟରେ ୧.୮୭ ଲକ୍ଷ୍ୟ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର