ଖୋର୍ଦ୍ଧା: ଜିଲ୍ଲାରେ ଚାଲିଛି ଖଣି ମାଫିଆଙ୍କ ରାଜ । ନରସିଂହପ୍ରସାଦ ମୌଜା ରାମଚଣ୍ଡିରେ ଥିବା ପ୍ରଦୀପ ନରେନ୍ଦ୍ର ଜିତସିଂହଙ୍କ ସ୍ଥିତିବାନ ଜମିରେ କିଛି ମାଫିଆମାନେ ଜବରଦଖଲ କରିବା ସହିତ ସେଠାରୁ ଲଘୁ ଖଣିଜ ଖନନ କରୁଛନ୍ତି । ପ୍ରଦୀପ ଅଭିଯୋଗ କଲେ ତାଙ୍କୁ ବୋମା, ବନ୍ଧୁକ ଦେଖାଇ ମାରିଦେବାକୁ ଧମକ ମଧ୍ୟ ଦେଉଛନ୍ତି । ତେବେ ଏନେଇ ପ୍ରଦୀପ ଗତ 28 ରେ ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଏସ୍ପି, ସଦର ଥାନା ତହସିଲଦାର ଓ ଏସ୍ଟିଏଫ୍ ପର୍ଯ୍ୟନ୍ତ ସବୁଠାରେ ଅଭିଯୋଗ କରିଥିଲେ ।
ହେଲେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ନମିଳିବାରୁ ସୋମବାର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ପ୍ରଦୀପ। ଏହା ସହିତ ଆଗାମୀ 15 ଦିନ ଭିତରେ ନିଜ ଜମି ଫେରିପାଇବା ଓ ବେଆଇନ ଖଣି ଖନନ ବନ୍ଦ ନହେଲେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଲିଖିତ ଜଣାଇଛନ୍ତି । ସେପଟେ ଜିଲ୍ଲାପାଳ ପ୍ରଦୀପଙ୍କୁ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ସହିତ କାର୍ଯ୍ୟାନୁଷ୍ଠାନ ପାଇ ଏସ୍ପିଙ୍କୁ ନିର୍ଦେଶ ଦେଇଛନ୍ତି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ